ରାୟଗଡ଼ା: ନିଜେ ଗରିବ ଶ୍ରେଣୀର। ଚିକେନ୍ ବିକି ପରିବାର ପୋଷୁଛନ୍ତି। କିନ୍ତୁ ଗରିବଙ୍କ ପେଟକୁ ଦାନା ଯୋଗାଇବାକୁ ଖୋଲିଛନ୍ତି ମାଗଣା ହୋଟେଲ୍। ସପ୍ତାହକୁ ଥରେ ଗରିବଙ୍କୁ ପେଟ ପୂରା ଖାଇବାକୁ ଦେଉଛନ୍ତି। ଗରିବଙ୍କ ପାଇଁ ଗରିବୀ ମଣିଷ କାସିମ୍ ଚାଚାଙ୍କ ଏପରି ଦରଦି ପଣିଆ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିବା ପରେ ଏବେ କାସିମଙ୍କୁ ଆମେରିକାରୁ ବଢ଼ିଛି ସହାୟତାର ହାତ। ସହାୟତା ମିଳିବା ପରେ ଏଣିକି ସପ୍ତାହରେ ଦୁଇ ଦିନ ହୋଟେଲ୍ ଖୋଲି ମାଗଣାରେ ଗରିବଙ୍କୁ ଖାଇବାକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
କଲ୍ୟାଣସିଂହପୁରର ଶେକ୍ ମହମ୍ମଦ କାସିମ। ପୁରୁଣା ବସଷ୍ଟାଣ୍ଡ ନିକଟରେ ଚିକେନ୍ ଦୋକାନ କରିଥିବା କାସିମଙ୍କ ମାଗଣା ହୋଟେଲକୁ ନେଇ ଏବେ ସବୁଠି ଚର୍ଚ୍ଚା। ଦିନେ ଦିନକୁ ଦୁଇ ଓଳି ଖାଇବାକୁ ପାଉନଥିବା କାସିମ୍ ଏବେ ଗରିବଙ୍କ ସାହା ଭରସା ପାଲଟିଛନ୍ତି। ବିଭିନ୍ନ କାମରେ ଗାଁ ଗହଳିରୁ କଲ୍ୟାଣସିଂହପୁରକୁ ଆସୁଥିବା ଗରିବ ଲୋକଙ୍କୁ ସପ୍ତାହରେ ଥରେଟିଏ ମାଗଣାରେ ଖାଇବାକୁ ଦେଉଛନ୍ତି। ୨୨ ବର୍ଷ ତଳେ ଆନ୍ଧ୍ରରୁ ସ୍ତ୍ରୀ, ପିଲା ଛୁଆଙ୍କୁ ଧରି ଚାଲି ଚାଲି ଆସି କଲ୍ୟାଣସିଂହପୁରରେ ପହଞ୍ଚିଥିଲେ କାସିମ୍। ଚିକେନ୍ ବ୍ୟବସାୟ କରି ଆର୍ଥିକ ସ୍ଥିତିରେ ପରବର୍ତ୍ତନ ଆସିବା ପରେ ବଜାରରେ ଭୋକିଲା ପେଟରେ ଘୁରି ବୁଲୁଥିବା ଲୋକଙ୍କୁ ଦେଖି ସହି ପାରିନଥିଲେ। ନିଜେ ଦେଖିଥିବା ଦୁର୍ଦିନ ଆଉ କାହା ଭାଗ୍ୟରେ ଯେମିତି ନ ଆସୁ ସେଥିପାଇଁ ୨୦୧୯ ସେପ୍ଟେମ୍ବର ମାସରେ ନିଜ ଘର ଆଗରେ ଛୋଟ ହୋଟେଲ୍ କରି ପ୍ରତି ଗୁରୁବାର ଲୋକଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ନିଜ କଷ୍ଟ ଅର୍ଜିତ ଟଙ୍କାରେ ହୋଟେଲ୍ ଚାଲିଥିବା ବେଳେ କାସିମ୍ ଚାଚାଙ୍କ ମାଗଣା ହୋଟେଲ୍ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆମେରିକାରୁ ବଢ଼ିଛି ସହାୟତାର ହାତ। କାସିମ୍ ଚାଚାଙ୍କ ଏପରି ଉଦ୍ୟମରେ ପ୍ରଭାବିତ ହୋଇ ଆମେରିକାର ଶେକ୍ ରାଜା ହୁସେନ୍ କାସିମଙ୍କୁ ପ୍ରଶଂସା କରିବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
ଆର୍ଥିକ ସହାୟତା ମିଳିବା ସହ ଏବେ ମୁସଲମାନଙ୍କ ଧର୍ମ ମାସ ରାମଜାନ୍ ଚାଲିଥିବାରୁ କାସିମ୍ ଏଣିକି ସପ୍ତାହରେ ଦୁଇ ଦିନ ଗୁରୁବାର, ଶୁକ୍ରବାର ଗରିବଙ୍କୁ ମାଛ ସହ ଭାତ ଖୁଆଇବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମାସର ଶେଷ ଗୁରୁବାର ଦିନ କାସିମ୍ ହୋଟେଲରେ ଚିକେନ୍, ଭାତ ସହ ମିଠା ଖାଇବାକୁ ଦେଉଥିଲେ। ଗତ ବର୍ଷ କରୋନା ସମୟରେ କାସିମ୍ ଚାଚାଙ୍କ ହୋଟେଲ୍ ବନ୍ଦ ରହିଥିଲା। କରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍ଥାନୀୟ ପୁଲିସ୍, ତହସିଲଦାରଙ୍କୁ ଅବଗତ କରି କାସିମ୍ ପୁଣି ହୋଟେଲ୍ ଖୋଲିଛନ୍ତି। ବାପାଙ୍କ ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ପରେ କାସିମଙ୍କ ପୁଅ ମଧ୍ୟ ଆଗକୁ ଏହି ହୋଟେଲ୍ ଜାରି ରଖିବେ ବୋଲି କହିଛନ୍ତି।