ପିଡ଼ି ମହେଶ୍ବର ନାଏକଙ୍କ ବଦଳି ବାତିଲ୍ ଦାବି; ବନ୍ଦ ଡାକରାରେ କାଶୀପୁର ଠପ୍ 

ରାୟଗଡ଼ାରେ ସଚେତନ ନାଗରିକ ମଞ୍ଚର ରାଲିକୁ ଅଟକାଇଲା ପୁଲିସ୍

ରାୟଗଡ଼ା: ମାସେ ନ ପୁରୁଣୁ ପିଡିଙ୍କୁ ବଦଳି କରି ଦିଆଗଲା। ରାଜନୈତିକ ଚାପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଜଣେ ସଚ୍ଚୋଟ ଅଫିସରଙ୍କ ରାତି ଅଧିଆ ବଦଳିକୁ କାଶୀପୁରବାସୀ ଦୃଢ଼ ନିନ୍ଦା ସହ ପ୍ରତିବାଦ କରୁଛୁ। ସରକାର ନିଷ୍ପତ୍ତିରେ ପରିବତ୍ତର୍ତନ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ।

ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାଏକଙ୍କ ବଦଳି ବାତିଲ୍ ଦାବିରେ କାଶୀପୁର ଆଞ୍ଚଳିକ ବିକାଶ ପରିଷଦ ଏପରି ଚେତାବନୀ ଦେଇଛି। ପିଡ଼ିଙ୍କ ପୁନଃ ଥଇଥାନ ଦାବି କରି ଆଜି ଟିକିରି, କାଶୀପୁରରେ ବନ୍ଦ ପାଳନ କରାଯାଇଛି। ପରିଷଦର ଆହ୍ବାନକ୍ରମେ ସାରା ବ୍ଲକରେ ଆଜି ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା। ସରକାରୀ, ବେସରକାରୀ ଅଫିସକୁ ପିକେଟିଂ କରି ଆନ୍ଦୋଳନକାରୀ ବନ୍ଦ କରିଥିଲେ। ମୁଖ୍ୟ ରାସ୍ତା ଗୁଡିକରେ ପୋଷ୍ଟର ଲଗାଇ ରାସ୍ତାରୋକ କରାଯାଇଥିଲା।

ସକାଳ ୬ଟାରୁ କାଶୀପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ବଦଳି ବାତିଲ୍ ଦାବିରେ ବିକାଶ ପରିଷଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି। ଦାବି ପତ୍ର ପ୍ରଦାନ ସମୟରେ ଯୋଗେନ୍ଦ୍ର ନାଏକ, ଅଙ୍ଗଦ ନାଏକ, ଯୁଧିଷ୍ଠିର ନାଏକ, ଗଜେନ୍ଦ୍ର ନାଏକ, ଉଜଳଦେଇ ମାଝି, ପି. ଦେବେନ୍ଦ୍ର ରାଓଙ୍କ ସମେତ ବହୁ ଜନ ସାଧାରଣ ଉପସ୍ଥିତ ଥିଲେ।

ସେହିପରି ରାୟଗଡ଼ା ଏସସି/ଏସିଟି ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ପଞ୍ଚାୟତରାଜ ବିଭାଗ ମୁଖ୍ୟ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରର ଏକକ ନକଲ କୋରାପୁଟ ସାଂସଦ, ରାୟଗଡ଼ା ବିଧାୟକଙ୍କୁ ମଧ୍ୟ ମଞ୍ଚ ପ୍ରଦାନ କରିଛି। ସ୍ମାରକପତ୍ର ପ୍ରଦାନ ପୂର୍ବରୁ ମଞ୍ଚ ସଦସ୍ୟ କୋରାପୁଟ ଛକରୁ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। କୋଭିଡ଼୍ କଟକଣା ଯୋଗୁ ପୁଲିସ୍ ମଞ୍ଚ ରାଲିକୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଅଟକାଇ ଥିଲା। ଅତ୍ୟଧିକ ଗହଳି ନ କରି କେବଳ ୫ ଜଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲା ପୁଲିସ୍। ଫଳରେ ମଞ୍ଚ କର୍ତ୍ତୃପକ୍ଷ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଭାବେ କାର୍ଯ୍ୟରତ ମହେଶ୍ବର ନାଏକଙ୍କ ସ୍ଥାନରେ ନୂତନ ପିଡ଼ି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ନାଏକ କାର୍ଯ୍ୟରେ ଯୋଗଦେବାର ମାସେ ନ ପୁରୁଣୁ ସରକାର ତାଙ୍କ ସ୍ଥାନରେ ନୂତନ ପିଡିଙ୍କୁ ନିଯୁକ୍ତି ଦେବା ଯୁକ୍ତି ସଙ୍ଗତ ହୋଇନଥିବା ଦର୍ଶାଇ କାଶୀପୁର ବିକାଶ ପରିଷଦ ଏହି ବନ୍ଦ ଡାକରା ଦେଇଥିଲା।

 

ସମ୍ବନ୍ଧିତ ଖବର