ରାୟଗଡ଼ା: କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିକୁ ନେଇ ଶନିବାର ବିଧାନସଭା ହୁଲୁସ୍ତୁଲୁ ହୋଇଛି। ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ରାଜ୍ୟ ସରକାରଙ୍କୁ ଘେରିବା ସହ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ କାହିଁକି ଏପରି ଘଟୁଛି, ନିରୀହ ଲୋକଙ୍କ ଜୀବନ ପୋକମାଛି ଭଳି ଯାଉଛି ସେ ନେଇ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିରୋଧୀଙ୍କ ନାରାବାଜି ଯୋଗୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଦୁଇଟି ଦଫାରେ ମୁଲତବୀ ରଖିଥିଲେ। ପ୍ରଥମେ ୧୦ ମିନିଟ୍ ପରେ ୧୫ ମିନିଟ୍ ପାଇଁ ଗୃହ ମୁଲତବୀ ହୋଇଥିଲା। କାଶୀପୁରରେ ପ୍ରତିବର୍ଷ ଝାଡ଼ାବାନ୍ତି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ଏହାକୁ ରୋକିବାକୁ ଠୋସ୍ ପଦକ୍ଷେପ ନିଆଯାଇନି। ଏଥି ସହିତ ଆଦିବାସୀଙ୍କ ଜୀବନଧାରାରେ ଉନ୍ନତି ଆଣିବା ପାଇଁ ସରକାର କୌଣସି ପଦକ୍ଷେପ ନେଇନଥିବା କଂଗ୍ରେସ ଅଭିଯୋଗ କରିଛି। ଯଦି ନେଇଛନ୍ତି କେଉଁ ଯୋଜନା ଚାଲିଛି, ତାହା ଦ୍ବାରା କିଏ ଉପକୃତ ହେଉଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ପୂର୍ବବର୍ଷ ଗୁଡ଼ିକରେ କାଶୀପୁର ଝାଡ଼ାବାନ୍ତିର କରାଳ ରୂପ ସମ୍ପର୍କରେ ଗୃହରେ ମତ ରଖିଥିଲେ ବାହିନୀପତି।

Advertisment

ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସଭିଁଙ୍କୁ ସାମିଲ କରିବା ପରେ ମଧ୍ୟ ଆଦିବାସୀ ଆମ୍ବ ଟାକୁଆ ଓ ଅଖାଦ୍ୟ ଖାଇବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ କହିଛନ୍ତି। କାଶୀପୁର ଘଟଣାକୁ ନେଇ ବିଧାନସଭାରେ ବିରୋଧୀ ତୁମ୍ବି ତୋଫାନ କରିବା ପରେ ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ସମ୍ପର୍କରେ ବିବୃତ୍ତି ରଖିବେ ବୋଲି ବାଚସ୍ପତି ଘୋଷଣା କରିଥିଲେ। ବାଚସ୍ପତିଙ୍କ ଘୋଷଣା ପରେ ବିରୋଧୀ ଶାନ୍ତି ପଡିଥିଲେ। ଅନ୍ୟପକ୍ଷରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କାଶୀପୁର ଘଟଣାରେ ଚିନ୍ତାପ୍ରକଟ କରିବା ସହ ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ନଚେତ୍ ସ୍ଥିତି ଅଣାୟତ୍ତ ହୋଇ ପଡ଼ିବ ବୋଲି ଶ୍ରୀ ମୁଦୁଲି କହିଛନ୍ତି।

ସରକାରଙ୍କ ଜନ କଲ୍ୟାଣ ଯୋଜନା, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପରେ ମଧ୍ୟ କାହିଁକି କାଶୀପୁରରେ ଝାଡ଼ାବାନ୍ତି ଥମୁନି ବୋଲି ମକରନ୍ଦ ପ୍ରଶ୍ନ କରିଛନ୍ତି। ଲଗାଣ ବର୍ଷା, ସୁଷମ ଖାଦ୍ୟର ଅଭାବ, ଦୂଷିତ ପାନୀୟ ଜଳ, ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ କାଶୀପୁର, ଟିକିରି, ଶଙ୍କରଡ଼ା, ମାଇକଞ୍ଚ, ଦୁଡୁକାବାହଲରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଲାଣି। କିନ୍ତୁ ଚିକିତ୍ସା ସୁବିଧା ଯୋଗାଇବାକୁ ଟିକିରି ମେଡ଼ିକାଲରେ ଡାକ୍ତର ନାହାନ୍ତି। କୁଚେଇପଦରରେ ପିଏଚସିରେ ବି ସମାନ୍ ଅବସ୍ଥା। ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଖଣ୍ଡିଏ ଆମ୍ବୁଲାନସ୍ ମଧ୍ୟ ନଥିବା ବିଧାୟକ କହିଛନ୍ତି। ବାରମ୍ବାର ଦାବି ପରେ ଖାଲି ପଡ଼ିଥିବା ଡାକ୍ତରୀ ପଦବି ପୂରଣ ହୋଇପାରୁନଥିବା ବେଳେ ଆଜି ସିଡିଏମଓଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କୁ ପଠାଯାଇଛି ବୋଲି ବିଧାୟକ ମୁଦୁଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମହାମାରୀ ରୋକିବାକୁ ଜରୁରି ଟାସ୍କ ଫୋର୍ସ କମିଟି ଗଠନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ଡିଏମଏଫ୍ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ କାଶୀପୁର ବ୍ଲକର ପରିମଳ ବ୍ୟବସ୍ଥା ସୁଧୁରି ପାରୁନି। ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ ଗାଁରେ ଥିବା ପୁରୁଣା ଜଳ ଉତ୍ସ ଗୁଡ଼ିକର ମରାମତି ହେଉନି କିମ୍ବା ନୂତନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଉନି ବୋଲି ସାଂସଦ ସପ୍ତଗିରି ଅଭିଯୋଗ ଆଣିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହକୁ ମଧ୍ୟରେ ଝାଡ଼ାବାନ୍ତିରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କୋରାପୁଟ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି।