ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ‘କାୟାକଳ୍ପ’ରୁ ଔଷଧୀୟ ବୃକ୍ଷ ବଗିତା ଉଭାନ

ଖୋର୍ଦ୍ଧା: ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିର ଉନ୍ନତୀକରଣ ସହ ପରିବେଶର ସକରାତ୍ମକ ବିକାଶ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାୟାକଳ୍ପ ଯୋଜନାରେ କେତେକ ପରାମର୍ଶ ଦେଇଥିଲେ । ଏଥିରେ ପ୍ରଥମ ପର୍ଯ୍ୟାୟରେ ଚିକିତ୍ସାଳୟ ମଧ୍ୟରେ ସୁନ୍ଦର ବଗିଚା ବିଶେଷତଃ ଔଷଧୀୟ ବୃକ୍ଷର ବଗିତା ନିର୍ମାଣ କରିବାକୁ କୁହାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୧ରେ ଏନେଇ ଏକ ବିସ୍ତୃତ ଯୋଜନା କରାଯାଇ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଥିଲା । ବର୍ତମାନ ୨ ବର୍ଷ ପରେ ଔଷଧୀୟ ବଗିଚା ଉଭାନ ହୋଇଯାଇଥିବା ବେଳେ ରୋଗୀ କଲ୍ୟାଣ ସମିତିର ଯୋଜନାରୁ ଏହି ବଗିଚା ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଛି ।

କାୟାକଳ୍ପ ଯୋଜନା ଅନୁସାରେ, ପ୍ରତ୍ୟେକ ଚିକିତ୍ସାଳୟରେ ସ୍ଥାନୀୟ ଅଂଚଳରେ ମିଳୁଥିବା ଔଷଧୀୟ ବୃକ୍ଷ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଏଥିପାଇଁ ଘିଅକୁଆଁରି ଠାରୁ ଆରମ୍ଭ କରି ଅଁଳା, ବ୍ରାହ୍ମୀ, ବଚ ଆଦି ୫୦ ପ୍ରକାର ପ୍ରଜାତିର ଗଛ ଲଗାଇବାକୁ ଏକ ତାଲିକା ମଧ୍ୟ ଦିଆଯାଇଥିଲା । ଏହି ବଗିଚା ପାଇଁ କୌଣସି ରସାୟନିକ ସାର କିମ୍ବା କୃତି୍ରମ ଖତ ଦେବା ପାଇଁ ବାରଣ କରାଯାଇଥିଲା । ଏଭଳି ବଗିଚା ଦ୍ୱାରା ଚିକିତ୍ସାଳୟ ପରିବେଶରେ ଏକ ସୁସ୍ଥ, ସକରାତ୍ମକ ବାତାବରଣ ସୃଷ୍ଟି ହେବାର ଲକ୍ଷ୍ୟ ରଖାଯାଇଥିଲା ।

୨୦୨୧ ଫେବ୍ରୁଆରି ମାସରେ ହୋଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ୮ଟି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏଥିରେ ଚିକିତ୍ସାଳୟ ପରିସରରେ ଏକ ଔଷଧୀୟ ବୃକ୍ଷ ବଗିତା ନିର୍ମାଣ କରିବାକୁ ପ୍ରାଥମିକତା ଦିଆଯାଇଥିଲା । ପରେ ଚିକିତ୍ସାଳୟର ମହିଳା ଓ ଶିଶୁ ବିଭାଗ କୋଠା ସମ୍ମୁଖରେ ୨୦ ବର୍ଗଫୁଟର ଏକ ସ୍ଥାନରେ ହରଡ଼ା, ବାହାଡ଼ା ଓ ଅଁଳା ଗଛ ଲଗାଇଯାଇ ଏହାର ଶୁଭାରମ୍ଭ ମଧ୍ୟ କରାଯାଇଥିଲା । ଏହି ଉଦ୍ୟାନ ନିର୍ମାଣ କରିବାକୁ ଚିକିତ୍ସାଳୟ କର୍ତୃପକ୍ଷ ପ୍ରାୟ ୩ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ । ବର୍ତମାନ ଦୁଇବର୍ଷ ପରେ ଚିକିତ୍ସାଳୟ ମଧ୍ୟରେ ଔଷଧୀୟ ଉଦ୍ୟାନ ନାମରେ କେବଳ ତିନିଟି ଗଛ ହିଁ ରହିଛି ।
ବର୍ତମାନ ଦୁଇ ବର୍ଷ ପରେ ଚଳିତ ବର୍ଷ ଫେବ୍ରୁଆରୀ ୨୭ ତାରିଖରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ଆଶ୍ଚର୍ଯ୍ୟଜନକ ଭାବେ ଏହି ଯୋଜନା ଉଭାନ ହୋଇଯାଇଛି । ଏପରିକି ଏନେଇ ହୋଇଥିବା ଖର୍ଚ୍ଚର ବିବରଣୀ ମଧ୍ୟ ସ୍ଥାନିତ ହୋଇନାହିଁ । ଏନେଇ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ରାଜ୍ୟ ମହିଳା ଓ ଶିଶୁ ବିଭାଗ ସଚିବ ଶୁଭା ଶର୍ମାଙ୍କ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ ସମୟରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଏନେଇ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଥିଲା । ଏନେଇ ସେ ଚିକିତ୍ସାଳୟ କର୍ତୃପକ୍ଷଙ୍କ ସହ ଆଲୋଚନା କରିବି ବୋଲି ମଧ୍ୟ କହିଥିଲେ । ବର୍ତମାନ ଏହି ଔଷଧୀୟ ଉଦ୍ୟାନକୁ ନେଇ ଚିକିତ୍ସାଳୟ କର୍ତୃପକ୍ଷଙ୍କ ସ୍ପଷ୍ଟୀକରଣ ହେଲା ଚିକିତ୍ସାଳୟ ପରିସରରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଆବଶ୍ୟକ ସ୍ଥାନ ନିରୂପଣ କରାଯାଇପାରୁନାହିଁ, କିନ୍ତୁ ଦୁଇ ବର୍ଷ ପୂର୍ବେ ଏହି ଉଦ୍ୟାନ ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା କ’ଣ ହେଲା ସେ ଉତ୍ତର କାହାରି ନିକଟରେ ନାହିଁ ।

ସମ୍ବନ୍ଧିତ ଖବର