ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ଯାଞ୍ଚ କଲେ ରାଜ୍ୟ କାୟାକଳ୍ପ ଟିମ

ବାଲିଅନ୍ତା: ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗ ଅଧୀନ କାୟାକଳ୍ପ ଟିମର ଏକ ତିନିଜଣିଆ ପ୍ରତିନିଧି ଦଳ ଆଜି ପୂର୍ବାହ୍ନରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ତଦନ୍ତରେ ଆସି ସ୍ବାସ୍ଥ୍ୟ ସେବା କାର୍ଯ୍ୟ ତଦାରଖ କରିଥିଲେ। ଡାକ୍ତର ସଂଗ୍ରାମ କେଶରୀ ଦାଶଙ୍କ ତତ୍ତ୍ବାବଧାନରେ ଟିମ ତଦାରଖ କରିଥିଲେ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟିକ ହସ୍ପିଟାଲ ଯାଞ୍ଚ କରିଥିଲା। କାୟାକଳ୍ପ ଟିମ ପକ୍ଷରୁ କରାଯାଇଥିବା ତଦନ୍ତ ଆଧାରରେ ସ୍ବାସ୍ଥ୍ୟସେବା ଗୁଣମାନକୁ ଭିତ୍ତିକରି ଜିଲ୍ଲା ସ୍ତରରେ ମୂଲ୍ୟାୟନ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଏବଂ କର୍ମଚାରୀମାନଙ୍କ ସ୍ବସ୍ଥ୍ୟସେବା ପ୍ରଦାନ ଏବଂ ପରିଚାଳନାଗତ ଦକ୍ଷତା ସନ୍ତୋଷଜନକ ହୋଇଥିଲେ ପୁରସ୍କାର ପାଇବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯୋଗ୍ୟ ବିବେଚିତ ହେବ।

ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଉକ୍ତ ଟିମ ହସ୍ପିଟାଲରେ ପହଞ୍ଚିଥିଲା। ହସ୍ପିଟାଲ ପରିସର ପରିବେଶ ପରିମଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ଆଉଟଡୋର ଚିକିତ୍ସା ସେବା, ରେଜିଷ୍ଟର, ଅଫିସ ରେକର୍ଡ଼ପତ୍ର ଆଦି ଯାଞ୍ଚ କରିଥିଲେ। ଡାକ୍ତରଖାନା ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ଏବଂ ପିଏଚଇଓ ସନ୍ତୋଷ ତ୍ରିପାଠୀଙ୍କୁ ପଚାରି ବୁଝିଥିଲେ। ହସ୍ପିଟାଲକୁ ଯୋଗାଣ ହେଉଥିବା ଟ୍ୟାପଲାଇନ ପାନୀୟ ଜଳର ସ୍ବଚ୍ଛତା, ଟ୍ୟାପ ଗୁଡ଼ିକର ଅବସ୍ଥା, କରୋନା କାଳରେ ଲୋକଙ୍କୁ କିଭିଳି ଭାବେ ସଚେତନ କରାଯାଇଛି, ଶିଶୁ ଓ ଗର୍ଭବତୀଙ୍କ ଚିକିତ୍ସା ନେଇ ଗ୍ରହଣ କରାଯାଉଥିବା ବ୍ୟବସ୍ଥା ଏବଂ ସତର୍କତା , ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରିଚାଳନା, ଅଂଶୁଘାତ ପ୍ରତିରୋଧକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ମେଡ଼ିକାଲ ଏବଂ ଆଉଟଡୋରରୁ ନିର୍ଗତ ଜୈବିକ ଆବର୍ଜନା ପରିଚାଳନା ବ୍ୟବସ୍ଥା ଆଦି କାର୍ଯ୍ୟ ଯାଞ୍ଚ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଗୀ କଲ୍ୟାଣ ସମିତି ପ୍ରମୁଖ ସଦସ୍ୟ ଅରବିନ୍ଦ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର