ଜୟପୁର: ଯେଉଁ ମହତ ଉଦ୍ଦେଶ୍ୟ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ସମବାୟ ବ୍ୟାଙ୍କ ଜରିଆରେ ମହିଳା ସ୍ବୟଂ ସହାୟକ ଦଳ ଗୁଡ଼ିକୁ ଆର୍ଥିକ ଓସାମଜିକ ଭାବେ ସଶକ୍ତ କରିବା ପାଇଁ ବିନା ସୁଧରେ ବି ଋଣ ଦେଇ ଆସିଛନ୍ତି। ତେବେ ଏହି ଏସଏଚଜି ଦଳ ଗୁଡିକ ନାଁରେ କୋଟି କୋଟି ଟଙ୍କାର ବକେୟା ରହିବା ସହ ଖିଲାପକାରୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି। ଫଳରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ଅଭିବୃଦ୍ଦିରେ ଏହା ଏବେ କଣ୍ଟା ସାଜିଛି। କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଜରିଆରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଜିଲ୍ଲାରେ ୧୪ହଜାର ୧୭୪ଟି ଏସଏଚଜି ଦଳ ୨୮କୋଟି ୪୦ଲକ୍ଷ ବକେୟା ରଖିଛନ୍ତି। ସେଭଳି ଏହି ୪ଜିଲ୍ଲାର ୧୯୦୧ଜଣ ଖିଲାପକାରୀ ଏସଏଚଜି ଦଳ ନାଁରେ ୧୧କୋଟି ୧୪ଲକ୍ଷ ବକେୟା ରହିଛି। ଏଭଳି ୩୯କୋଟି ୫୪ଲକ୍ଷ ଟଙ୍କା ବ୍ୟାଙ୍କକୁ ଏହି ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ବାକି। ସୂଚନା ଅନୁଯାୟୀ, ମହିଳା, କିନ୍ନର, ଭିନ୍ନକ୍ଷମ, କୁଷ୍ଠାକ୍ରାନ୍ତ ଭଳି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ବ୍ୟବସାୟ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ପାଇଁ ଗଠନ କରାଯାଉଛି ସ୍ବୟଂସହାୟକ ସମୂହ (ଏସ୍ଏଚ୍ଜି)। ଟଙ୍କା ଅଭାବ କୌଣସି ଏସ୍ଏଚ୍ଜିଙ୍କ ଉଦ୍ୟମତାକୁ ପ୍ରଭାବିତ ନ କରୁ, ଏଥିପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସରକାର ୨୦୧୯ ମସିହାରୁ ଏସ୍ଏଚ୍ଜି ମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଦେଉଛନ୍ତି। ଏହା ପୂର୍ବରୁ ୨୦୧୩ ମସିହାରୁ ୨% ଏବଂ ୨୦୧୫ ମସିହାରୁ ୧% ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଥିଲା। ଏହି କ୍ରମରେ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବି ଋଣ ଦେଇ ଆସୁଛି। ଏହି ଆର୍ଥିକ ବର୍ଷ(୨୦୨୩-୨୦୨୪)ରେ ବି ୪ଟି ଜିଲ୍ଲାରେ ୧୫୬୦ଟି ଦଳକୁ ୪୧କୋଟି ୪୪ଲକ୍ଷ ଋଣ ଦେବାକୁ ଲକ୍ଷ୍ୟ ରଖିଛି। ସେଭଳି ୧୦୪ଟି ନୂଆଦଳକୁ ୧୦କୋଟି ୧ଲକ୍ଷ ଓ ୪୬୫ଟି ପୁରୁଣା ଦଳକୁ ନବୀକରଣ କରି ୯କୋଟି ୯୧ଲକ୍ଷ ଏଭଳି ୫୬୯ଟି ଏସଏଚଜିକୁ ୧୦କୋଟି ୯୩ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଛି। ଅପର ପକ୍ଷରେ ସମବାୟ ବ୍ୟାଙ୍କକୁ କୋରାପୁଟ ଜିଲ୍ଲାରୁ ୬୧୯୦ଟି ଦଳ ୧୪କୋଟି ୬୧ଲକ୍ଷ ଟଙ୍କା ବକେୟା ରଖିଛନ୍ତି। ନବରଙ୍ଗପୁର ଜିଲ୍ଲାର ୪୦୧୧ଟି ଦଳ ୫କୋଟି ୨୧ଲକ୍ଷ , ମାଲକାନଗିରି ଜିଲ୍ଲାର ୨୨୨୫ଟି ଦଳ ୩କୋଟି ୮୨ଲକ୍ଷ ଓ ରାୟଗଡା ଜିଲ୍ଲାର ୧୭୪୮ଟି ଦଳ ୪କୋଟି ୭୫ଲକ୍ଷ ଏଭଳି ଅବିଭକ୍ତକୋରାପୁଟ ଜିଲ୍ଲାର ୧୪ହଜାର ୧୭୪ଟି ଦଳ ୨୮କୋଟି ୪୦ଲକ୍ଷ ଟଙ୍କା ବକେୟା ରଖିଥିବା କହିଛନ୍ତି କେସିସି ବ୍ୟାଙ୍କ ପରିଚାଳନା କମିଟିର ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ।
ବହୁ ଦଳ ଋଣ ନେଇ ପରିଶୋଧ କରିବା ସହ ଆର୍ଥିକ ଓ ସାମାଜିକସ୍ତରରେ ସଶକ୍ତ ହୋଇଛନ୍ତି। ଅପରପକ୍ଷରେ କିଛି ରାଜନୈତିକ ନେତା, ଗାଁ ଟାଉଟର, କୁଜି ନେତା ମାନଙ୍କ ପ୍ରରୋଚନାରେ ଏହି ଦଳ ଗୁଡିକ ଋଣ ପରିଶୋଧ କରିବାକୁ ଚାହିଁ ବି କରୁ ନାହାନ୍ତି। କ୍ଷତି ସହୁଥିବା ଦର୍ଶାଇଲେ ସରକାର ଋଣ ଛାଡ଼ କରୁଥିବା କହି ଏମାନଙ୍କୁ ଭୁଆଁ ବୁଲାଇବା ଫଳରେ ଏମାନେ ଋଣ ପରିଶୋଧ କରୁ ନାହାନ୍ତି ବୋଲି କହିଛନ୍ତି ସଭାପତି ଇଂ.ପାଣିଗ୍ରାହୀ। ଅପରପକ୍ଷରେ କେସିସି ବ୍ୟାଙ୍କରେ କୋରାପୁଟ ଜିଲ୍ଲାର ୧୧୯୨ଜଣ ଋଣ ଖିଲାପକାରୀ ୭କୋଟି ୮ଲକ୍ଷ, ନବରଙ୍ଗପୁର ଜିଲ୍ଲାର ୪୨୮ଜଣ ୨କୋଟି ୪୨ଲକ୍ଷ, ମାଲାକାନଗିରି ଜିଲ୍ଲାର ୧୩୪ଜଣ ୧କୋଟି ୩ଲକ୍ଷ ଓ ରାୟଗଡ଼ା ଜିଲ୍ଲାର ୧୪୭ଜଣ ୫୯ଲକ୍ଷ ଟଙ୍କା ଏଭଳି ସର୍ବମୋଟ ୧୯୦୧ଜଣ ୧୧କୋଟି ୧୪ଲକ୍ଷ ଟଙ୍କା ପରିଶୋଧ କରିନଥିବା କହିଛନ୍ତି ବ୍ୟାଙ୍କ ପରିଚାଳନା କମିଟି ସଭାପତି ଇଂ.ପାଣିଗ୍ରାହୀ। କିଭଳି ବକେୟା ଓ ଖିଲାପକାରୀଙ୍କ ଠାରୁ ଋଣ ଅର୍ଥ ଆଦାୟ ହେବ ସେ ନେଇ ବ୍ୟାଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ସଭାପତି।