କେନ୍ଦ୍ରାପଡାରେ ୟାସ୍ ପ୍ରସ୍ତୁତି; ରିଲିଫ୍ କମିସନର ଓ ଅଗ୍ନିଶମ ଡିଜିଙ୍କ ସମୀକ୍ଷା ବୈଠକ

ଅନ୍ୟ ଜିଲ୍ଲାରୁ ଆସିବେ ପାଞ୍ଚଟି ଟିମ୍‌; ୨୯ କଟର୍‌, ୨୭ ମାକ୍ସଲାଇଟ୍‌ ଓ ୯ ଫାୟାର୍ ବୋଟ୍‌ ତୟାର

କେନ୍ଦ୍ରାପଡା: ସମ୍ଭାବ୍ୟ ବାତ୍ୟା ‘ୟାସ’ ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଗୋଟିଏ ଦିନରେ ରାଜ୍ୟର ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଓ ଅଗ୍ନିଶମ ବିଭାଗର ଡିଜି ଏମ. ଅକ୍ଷୟ କେନ୍ଦ୍ରାପଡା ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତକାଲି ଜିଲ୍ଳାପାଳ ଏକ ପ୍ରସ୍ତୁତି ବୈଠକରେ ଜିଲ୍ଳାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ପାଞ୍ଚ ଶହରୁ ଅଧିକ ସ୍କୁଲ୍ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ଦେବା ସହିତ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବିଭାଗ ଡିଜି ଆଜି ଏମ.ଅକ୍ଷୟ ସକାଳ ପ୍ରାୟ ସାଢେ ୬ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ଏସ୍‌ପିଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଲୋକଙ୍କୁ ବାତ୍ୟା ପୂର୍ବରୁ ଯେଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ, ସେ ଦିଗରେ ଆଲୋଚନା କରିଥିଲେ।

ବିଶେଷ କରି ବାତ୍ୟା ପୂର୍ବ ଓ ପରର ସ୍ଥିତିକୁ ମୁକାବିଲା ପାଇଁ ଆବଶ୍ୟକ ସରଞ୍ଜାମ ପ୍ରସ୍ତୁତ ରଖିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ୨୯ଟି ଇଲେକ୍ଟ୍ରିକ କଟର, ୨୭ଟି ମାକ୍ସଲାଇଟ, ୯ ଫାୟାର ବୋଟ ମହଜୁଦ ରହିଛି। କୋଭିଡ ପାଇଁ ଜିଲ୍ଲାର ୩ଟି ମେଡିକାଲରେ କର୍ମଚାରୀ ରହିଥିବାରୁ ଅନ୍ୟ ଜିଲ୍ଲାରୁ ୫ଟି ଅଗ୍ନିଶମ ଟିମ ଜିଲ୍ଲାକୁ ଆଣିବା ପାଇଁ ବ୍ୟବସ୍ଥା ହୋଇଥିବା ଡିଜି ସୂଚନା ଦେଇଛନ୍ତି। ସେହିପରି କୋଭିଡ ହସ୍ପିଟାଲ ଯାଇ ମଧ୍ୟ ଡିଜି ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଡିଜି ଶ୍ରୀ ଅକ୍ଷୟ ଆଜି ପାରାଦୀପ ଯାଇ ମଧ୍ୟ‌ ସେଠାରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବା ସହିତ କ୍ଷତି ସମ୍ଭାବନା ଥିବା ବ୍ଲକ୍ ଗୁଡିକର ଦାୟିତ୍ବ ସ୍ବତନ୍ତ୍ର ଭାବେ ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି। ଜିଲ୍ଲା ଅଗ୍ନିଶମ ଅଧିକାରୀ ବରୀଭଦ୍ର ଟୁଡୁ କହିଛନ୍ତି ଯେ ବାତ୍ୟା ପୂର୍ବ ପୂର୍ବରୁ ଲୋକମାନଙ୍କୁ ଯେପରି ସୁରକ୍ଷିତ ସ୍ଥାନକୁ ଅଣାଯାଇପାରିବ ଏବଂ ଯଦି ବାତ୍ୟାରେ କୌଣସି ଗଛ ଭାଂଗେ, ତେବେ ତାକୁ ‌ଯୁଦ୍ଧକାଳୀନ ଭିତ୍ତିରେ ଯେପରି ହଟାଯାଇ ରାସ୍ତା ସଫା କରାଯିବ, ‌ତାହା ଉପରେ ଅଧିକ ଗୁରୁତ୍ବ ଦେବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ର ଉପକୂଳବର୍ତ୍ତୀ ମହାକାଳପଡ଼ା ଓ ରାଜନଗର ବ୍ଲକ୍‌ ଉପରେ ଅଧିକ ନଜର ରଖାଯିବ ବୋଲି ଶ୍ରୀ ଟୁଡୁ ସୂଚନା ଦେଇଛନ୍ତି।

ଅନ୍ୟପଟେ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଗସ୍ତ କରି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଶ୍ରୀ ଜେନା କହିଛନ୍ତି ବାତ୍ୟାର ପ୍ରଭାବ କେତେ ରହିବ ତାହା ଆସନ୍ତାକାଲି ସନ୍ଧ୍ୟାରେ ଜଣାପଡ଼ିବ। ଏ ଯାଏ କିଛି ସ୍ପଷ୍ଟ ହୋଇନାହିଁ। ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏଥର କୋଭିଡର ଦ୍ବିତୀୟ ଲହର ଆହ୍ବାନ ସୃଷ୍ଟି କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି। ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ମାସ୍କ ବ୍ୟବହାର ସହ ସାନିଟାଇଜେସନ ଉପରେ ଗୁରୁତ୍ବ ଦିଆଯାଇଛି। ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ କଚ୍ଚା ଓ ଆଜବେଷ୍ଟସ ଘରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ କୁହାଯାଇଛି। ବାତ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଅଛି ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର