ଭିତରକନିକା ଜାତୀୟ ଉଦ୍ୟାନରୁ ୩୬ ବଡ଼ କୁମ୍ଭୀର ଗାଏବ !

୬ ବର୍ଷ ହେଲା ସଂଖ୍ୟା ବଢୁଥିଲା; ଚଳିତ ବର୍ଷ କମିଗଲା

ରାଜନଗର: ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭିତରକନିକା ଜାତୀୟ ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି। ଚଳିତମାସ ୧୫ ରୁ ୨୩ ତାରିଖ ଯାଏ ବନବିଭାଗ ପକ୍ଷରୁ କରାଯାଇଥିବା କୁମ୍ଭୀର ଗଣନା ରିପୋର୍ଟ ଏହି ତଥ୍ୟ କହୁଛି। ଖାଦ୍ୟ ଓ ଖାଦକ ପ୍ରକ୍ରିୟାରେ ଛୋଟ ଛୋଟ କୁମ୍ଭୀରଙ୍କୁ ବଡ଼ କୁମ୍ଭୀର ବା ବଡ଼ ମାଛ ଖାଇଥାନ୍ତି। ମାତ୍ର ୬ ଫୁଟରୁ ବଡ ଅର୍ଥାତ ୪ ବର୍ଷରୁ ଅଧିକ ବୟସ୍କ ୩୬ଟି କୁମ୍ଭୀର ଭିତରକନିକା ନଦୀ ନାଳରୁ ଗାଏବ ହୋଇଯିବା ସବୁ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଏତେ ସଂଖ୍ୟକ ବଡ଼ କୁମ୍ଭୀର କୁଆଡେ ଗଲେ? ବର୍ଷକ ମଧ୍ୟରେ ୩୬ଟି ବଡ କୁମ୍ଭୀର ମୃତ୍ୟୁ ବରଣ କରିଛନ୍ତି ନା ସେମାନଙ୍କୁ ଶିକାର କରାଯାଇଛି ସେ ନେଇ ପ୍ରଶ୍ନ ଉଠିଛି। ଗତ ୧୦ ବର୍ଷର କୁମ୍ଭୀର ଗଣନା ରିପୋର୍ଟ ଅନୁସାରେ ପ୍ରତିବର୍ଷ ବଡ କୁମ୍ଭୀର ସଂଖ୍ୟା ବଢୁଥିବା ବେଳେ ଏ ବର୍ଷ ୩୬ କୁମ୍ଭୀର ଗାଏବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତିବର୍ଷ କୁମ୍ଭୀର ଗଣନା କରାଯାଇଥାଏ। ୧୯୭୫ରେ ୩୪ଟି ପରିପକ୍ବ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ବଂଶବୃଦ୍ଧି ଯୋଜନା ଆରମ୍ଭ ହୋଇଥିଲା।

ଚଳିତ ବର୍ଷ କୁମ୍ଭୀର ଗଣନା ରିପୋର୍ଟରେ କୁମ୍ଭୀର ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗଣନା ରିପୋର୍ଟ ଅନୁଯାୟୀ ଏ ବର୍ଷ ଭିତରକନିକାରେ ୨ ଫୁଟରୁ କମ୍ ଆକାରର ୫୯୩ କୁମ୍ଭୀର, ୨ ଫୁଟରୁ ୩ ଫୁଟ ମଧ୍ୟରେ ୩୭୬, ୩ ଫୁଟରୁ ୬ ଫୁଟର ୩୨୦, ୬ ଫୁଟରୁ ୮ ଫୁଟର ୧୫୨, ୮ ଫୁଟରୁ ୧୦ ଫୁଟର ୧୨୭, ୧୦ ରୁ ୧୨ ଫୁଟର ୯୬, ୧୨ରୁ ୧୪ ଫୁଟର ୫୦, ୧୪ରୁ ୧୬ ଫୁଟର ୩୧, ୧୬ରୁ ୧୮ ଫୁଟ ମଧ୍ୟରେ ୨୨ଟି, ୧୮ରୁ ୨୦ ଫୁଟ ମଧ୍ୟରେ ୬ ଓ ୨୦ ଫୁଟରୁ ଅଧିକ ଲମ୍ବର ୪ଟି କୁମ୍ଭୀର ଅଛନ୍ତି। ଅର୍ଥାତ୍ ୬ ଫୁଟରୁ ବଡ ୪୮୮ଟି କୁମ୍ଭୀର ଚଳିତବର୍ଷ ଗଣନାରେ ଚିହ୍ନଟ କରାଯାଇଛି। ଯାହାକି ଗତବର୍ଷ ତୁଳନାରେ ୩୬ଟି କମ। ବନବିଭାଗ ଏ ବର୍ଷ କୁମ୍ଭୀର ସଂଖ୍ୟା ଆଶାତୀତ ବଢିଥିବା କହି ଖୁସି ବ୍ୟକ୍ତ କରୁଛି। ମାତ୍ର ପ୍ରକୃତପକ୍ଷେ ଗଣନା ରିପୋର୍ଟ ଅନୁସାରେ ଭିତରକନିକା ଯେ ବଉଳା କୁମ୍ଭୀରଙ୍କ ପାଇଁ ଶ୍ମଶାନ ଭୂମି ପାଲଟିଛି, ସେ ଭଳି ମାରାତ୍ମକ ତଥ୍ୟ ସାମ୍ନାକୁ ଆସିଛି। ଗତ ୭ ବର୍ଷର ରିପୋର୍ଟ ଅନୁସାରେ ୬ ଫୁଟରୁ ବଡ କୁମ୍ଭୀର ୨୦୧୪–୧୫ରେ ୪୫୭, ୨୦୧୫–୧୬ରେ ୪୬୩, ୨୦୧୬–୧୭ରେ ୪୭୪, ୨୦୧୭–୧୮ରେ ୪୮୩, ୨୦୧୮–୧୯ରେ ୫୦୩, ୨୦୧୯–୨୦ରେ ୫୨୪ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୪୮୮କୁ ଖସି ଆସିଛି। ଭିତରକନିକା ନଦୀ ନାଳ ନିକଟରେ ପ୍ରତିବର୍ଷ ମେ’ରୁ ଜୁଲାଇ ମଧ୍ୟରେ ବଉଳା କୁମ୍ଭୀର ବସା ବାନ୍ଧି ଅଣ୍ତା ଦେଇ ଛୁଆ ଫୁଟାଇଥାନ୍ତି।

ପ୍ରତିବର୍ଷ ବନବିଭାଗ ପକ୍ଷରୁ ୧୦୦ରୁ ଅଧିକ କୁମ୍ଭୀର ବସା ଚିହ୍ନଟ ହୋଇଥାଏ। ଗୋଟିଏ କୁମ୍ଭୀର ୪୦ ରୁ ୬୫ଟି ଅଣ୍ତା ଦେଇଥାନ୍ତି। ପ୍ରତିବର୍ଷ ସର୍ବନିମ୍ନ ୪ହଜାର କୁମ୍ଭୀର ଶାବକ ଜନ୍ମ ନେଇଥାନ୍ତି। ମାତ୍ର ଖାଦ୍ୟ ଓ ଖାଦକ ପ୍ରକ୍ରିୟାରେ ଛୋଟ ଛୋଟ କୁମ୍ଭୀର ଛୁଆକୁ ବଡ କୁମ୍ଭୀର ଖାଇଥାନ୍ତି। ଏପରିକି ବଡ ବଡ ମାଛ ଛୋଟ କୁମ୍ଭୀର ଛୁଆକୁ ଖାଇଥାନ୍ତି। ଏହାବାଦ ବଡ ପକ୍ଷୀ କୁମ୍ଭୀର ଛୁଆକୁ ଧରି ଉଡି ଯାଇଥାନ୍ତି। ବଡ କୁମ୍ଭୀରଙ୍କୁ ଭିତରକନିକାରେ କୌଣସି ଜନ୍ତୁ ଖାଇବାର କେବେ ବି ନଜିର ନାହିଁ। ଖାଦ୍ୟ ଖାଦକ ପ୍ରକ୍ରିୟା ଯୋଗୁଁ ପ୍ରତିବର୍ଷ ଛୋଟ କୁମ୍ଭୀର ଛୁଆଙ୍କ ରିପୋର୍ଟରେ ସଠିକତା ଆସି ନ ଥାଏ। ମାତ୍ର ବଡ କୁମ୍ଭୀରଙ୍କ ସଂଖ୍ୟା ପ୍ରତିବର୍ଷ ୫/୧୦ଟି ବଢିଥାଏ। ସବୁ ବର୍ଷ ବଡ କୁମ୍ଭୀର ସଂଖ୍ୟା ବଢି ଆସୁଥିବା ବେଳେ ହଠାତ ଚଳିତ ବର୍ଷ ୩୬ଟି ବଡ କୁମ୍ଭୀର ଗାଏବ ହୋଇଯିବା ଚକିତ କରିଛି। ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବେଧଡକ ଭାବେ ଜାଲ ବସାଇ ମାଛ ଧରାଯିବା ସହ ମାଛ ଜାଲରେ କୁମ୍ଭୀର ମରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ବନବିଭାଗ ଏହାକୁ ଖଣ୍ତନ କରି ଆସୁଥିବା ବେଳେ ଚଳିତ ବର୍ଷ ହଠାତ୍ ୩୬ଟି ବଡ କୁମ୍ଭୀର ଗାଏବ ହୋଇଯିବା, ବନବିଭାଗ ପାଇଁ ଅଡୁଆ ସୃଷ୍ଟି କରିଛି। ଏ ସଂପର୍କରେ କୁମ୍ଭୀର ଦାୟିତ୍ବରେ ଥିବା ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡ. ସୁଧାକର କରଙ୍କ ମତ ହେଲା ଶହେ ପ୍ରତିଶତ କୁମ୍ଭୀର ଚିହ୍ନଟ ହୋଇପାରି ନ ଥିବେ। ପାଗ ଠିକ୍ ନ ଥିଲା, କର୍ମଚାରୀମାନେ ସଂଖ୍ୟାରେ ଏପଟସେପଟ କରିଥାଇପାରନ୍ତି ବୋଲି କହିଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ କୁମ୍ଭୀର ଗଣନା କରୁଥିବା କର୍ମଚାରୀମାନେ ଚଳିତ ବର୍ଷ କୁମ୍ଭୀର ଗଣନା କରିଛନ୍ତି। ଯଦି ପ୍ରତିବର୍ଷ ବଡ କୁମ୍ଭୀର ବଢୁଥିଲା, ତେବେ ଏକାବେଳେ ଗଣନାରେ ୩୬ଟି ବଡ କୁମ୍ଭୀର ଗାଏବ ହୋଇଯିବା ଘଟଣା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏ ସଂପର୍କରେ ପରିବେଶବିତ ତଥା ଅବୈତନିକ ଡିଏଫଓ ବିଜୟ କୁମାର କବିଙ୍କ କହିବା କଥା ହେଲା ହୁଏତ ଖାଦ୍ୟ ଅଭାବରୁ କୁମ୍ଭୀର ନଦୀ ନାଳରୁ ଆଗକୁ ପଳାଇଛନ୍ତି। ଯେଉଁ ସମୟରେ କୁମ୍ଭୀର ଗଣନା କରାଗଲା, ସେ ସମୟ ଉପଯୁକ୍ତ ନ ଥିଲା। ଏହାବାଦ୍‌ ଶିକାର ଓ ଅପ୍ରାକୃତିକ ମୃତ୍ୟୁକୁ ଅସ୍ବୀକାର କରାଯାଇ ନ ପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର