କେନ୍ଦ୍ରାପଡ଼ା : ବସ ଧକ୍କାରେ ଯୁବକ ମୃତ, ବସ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

୫ ନମ୍ବର (କ) ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା, ଗମନାଗମନ ବାଧାପ୍ରାପ୍ତ

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନିକଟସ୍ଥ ୫ ନମ୍ବର ଜାତୀୟ ରାଜପଥ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଛି । ଏହା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ନିଆଁ ଲଗାଇ ଜାଳି ଦେଇଛନ୍ତି ।

ସୂଚନା ଅନୁସାରେ ଆଜି ସକାଳୁ ୫ ନମ୍ବର (କ) ଜାତୀୟ ରାଜପଥରେ କୋଲକାତାରୁ ପାରାଦୀପ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଲୋକନାଥ (ଡବ୍ଲୁବି ୪୧ଇ ୬୦୧୨) ଏକ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆଗଡ଼ା ଗାଁର ବାବୁଲି ନାୟକଙ୍କର ପୁଅ ବିକାଶ ନାୟକ (୨୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଜାତୀୟ ରାଜପଥ କଡ଼ରେ ସେ ପାନଦୋକାନ କରିଥିଲେ । ସେ ନିଜ ସ୍କୁଟିରେ ସଉଦା କିଣିବାକୁ ଯାଉଥିବା ବେଳେ ରଙ୍ଗ ରୁଟରେ ବସ ଆସି ମୁହାଁମୁହିଁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ।

ବିକାଶଙ୍କର ମୃତ୍ୟୁ ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ବସକୁ ଅଟକାଇଥିଲେ । ସେମାନେ ବସକୁ ଭଙ୍ଗାରୁଜା କରିବା ସହିତ ଏଥିରେ ନିଆଁ ଲଗାଇ ଦେଇଥିଲେ । ଖବରପାଇ ୯ଟା ୩୦ରେ ମାର୍ଶାଘାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଦମକଳ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇଥିଲେ । ପୁଲିସ ବିକାଶର ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି । ଏହି ଦୁର୍ଘଟଣା ପରେ ୫ ନମ୍ବର (କ) ଜାତୀୟ ରାଜପଥରେ ଶତାଧିକ ଗାଡ଼ ଅଟକି ରହିଛି । ଚଳାଚଳ ବାଧାପ୍ରାପ୍ତ ହୋଇଛି । ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର