ଆଳି : ଗୋଟିଏ ଦିନରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଆଳି : ଆଜି ଗୋଟିଏ ଦିନରେ ଆଳିରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । କେବଳ ଅଟାଳ ଗ୍ରାମରୁ ୧୨ ଆକ୍ରାନ୍ତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଅଟାଳ,ଖନ୍ଦୋଳ ଓ ଧନେଶ୍ୱର ପୁରକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମାତ୍ର ୩ ଜଣ ପ୍ରବାସୀ ରହିଥିବା ବେଳେ ଅନ୍ୟ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ଏହି ୨୦ ଆକ୍ରାନ୍ତଙ୍କ ମଧ୍ୟରୁ  ଅଟାଳ ଗ୍ରାମରୁ ଜଣେ ୫ ବର୍ଷିୟ ଶିଶୁ,୮ ମହିଳା ରହିଥିବା ବେଳେ ଦଶିପୁର ଗ୍ରାମର ୩ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ରହିଛି । ଆଜି ଅଟାଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାମୁହିକ ଆଣ୍ଟିଜେନ ଟେଷ୍ଟ ବେଳେ ଚିହ୍ନଟ ହୋଇଥିବା ଅଟାଳ ଗ୍ରାମର ୧୨ ଆକ୍ରାନ୍ତଙ୍କ ସମେତ ଲୋକାପଡା ଗ୍ରାମ ନିବାସୀ ଜନୈକ ମେଡିକାଲ ସିକ୍ୟୁରିଟି ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ବ୍ଲକ କୋଭିଡ ସଂଯୋଜକ ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ ସୂଚନା ଦେଇଛନ୍ତି।

ସେହିପରି ଚିହ୍ନଟ ପ୍ରବାସୀ ମାନଙ୍କ ମଧ୍ୟରେ ତୁଳସୀ ଶାସନ ଗ୍ରାମର ଜଣେ ତେଲେଙ୍ଗାନା ଫେରନ୍ତା ରହିଥିବା ବେଳେ ବଉଳଯୋଡି ଓ ଭୂଇଁପୁର ଗ୍ରାମର ୨ ଜଣ ହାଇଦ୍ରାବାଦ ଫେରନ୍ତା ରହିଛନ୍ତି। ଦଶିପୁର ଗ୍ରାମର ୩ ସ୍ଥାନୀୟ ସଂକ୍ରମିତ ଓ ଅନ୍ୟ ୩ ପ୍ରବାସୀଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଟାଳର ୧୨ ଆକ୍ରାନ୍ତଙ୍କୁ ହୋମ କ୍ବାରେଣ୍ଟିନରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବିଚାର କରାଯାଉଛି । ଆଜି ରାତିରେ ଆଳି ବିଡିଓ ଦିବ୍ୟେନ୍ଦୁ ଦାସ,ବ୍ଲକ କୋଭିଡ ସଂଯୋଜକ ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ ଅଟାଳ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଆକ୍ରାନ୍ତ ମାନଙ୍କୁ ହୋମ୍ କ୍ବାରେଣ୍ଟିନରେ ରଖିବାକୁ ବ୍ୟବସ୍ଥା କରୁଥିବା ବେଳେ ଭୟଭୀତ ଗ୍ରାମବାସୀ ମାନେ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଅଡି ବସିଛନ୍ତି । ଅପରପକ୍ଷରେ ଆଳି ମେଡିକାଲର ସିକ୍ୟୁରିଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ମେଡିକାଲକୁ ସଟଡାଉନରେ ରଖାଯାଇ ଡାକ୍ତର ଓ ସମସ୍ତ ଷ୍ଧାଫ ମାନଙ୍କର ସ୍ବାବ ପରୀକ୍ଷା ପାଇଁ ପ୍ରଶାସନିକ ବିଚାର-ବିମର୍ଷ ଚାଲିଥିବା ଡାକ୍ତର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଆଜି ସର୍ବାଧିକ ଆକ୍ରାନ୍ତଙ୍କୁ ନେଇ ତମାମ ଅଞ୍ଚଳରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ସମୁଦାୟ ଆଳି ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଛୁଇଁଛି।

ସମ୍ବନ୍ଧିତ ଖବର