ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଉଦ୍ୟମ:ବିଧାୟକଙ୍କ ସମେତ ୫୦ ଗିରଫ

ଆଳି: ମଙ୍ଗଳବାର ଦିନ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସି˚ହ ଚରଣ ସାହୁ ଆଳି ବ୍ଲକରେ ରାଜ୍ୟସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ପାଇଁ ଆଳି ଗସ୍ତରେ ଆସୁଥିବା ବେଳେ କ˚ଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ ଉଦ୍ୟମ କରି ଆଳି ପୁଲିସ ଦ୍ବାରା ଗିରଫ ହୋଇଥିଲେ। ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଆଳି ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରା ନ ଯାଇ ବ୍ୟାପକ ଅନିୟମିତତା ଅଭିଯୋଗ ଉଠାଇଥିଲେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା। ଅନିୟମିତତାର ପ୍ରତିବାଦରେ ବିଧାୟକ ଶ୍ରୀ ଶର୍ମାଙ୍କ ନେତୃତ୍ବରେ ପୂର୍ବତନ ଆଳି ବ୍ଲକ କ˚ଗ୍ରେସ ସଭାପତି ପର୍ଶୁରାମ ରାଉତରାୟ, ନକୁଳ ପରିଡା, ଜିଲ୍ଲା ଯୁବକ˚ଗ୍ରେସ ନେତା ସତ୍ୟପ୍ରିୟ ସାମଲ, ରାଜମୋହନ ସ୍ବାଇଁ,ପ୍ରଭାକର ସାହୁଙ୍କ ସମେତ ଶତାଧିକ କ˚ଗ୍ରେସ କର୍ମୀ ସରକାର ବିରୋଧୀ ନାରାଦେଇ କଳାପତାକା ଧରି କଟକ-ଚାନ୍ଦବାଲି ରାସ୍ତାକୁ ନିଆଳହାଟ ଛକରେ ଅବରୋଧ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କ˚ଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିବା ମାତ୍ରେ ଆଳି ପୁଲିସ ବିଧାୟକଙ୍କ ସମେତ ୫୦ କର୍ମୀଙ୍କୁ ଗିରଫ କରିନେଇ କାର୍ଯ୍ୟକ୍ରମ ଶେଷ ଯାଏ ଆଳିଥାନାରେ ଅଟକ ରଖିଥିଲେ।

ସମ୍ବନ୍ଧିତ ଖବର