ବିଂଝାରପୁର : ଅସୁସ୍ଥ ଯୁବତୀଙ୍କୁ କାର୍ ଯୋଗେ କଟକ ବଡ଼ଡାକ୍ତରଖାନା ନେଉଥିଲେ ପରିବାର ଲୋକେ। ଆଉ କିଛି ସମୟ ପରେ ଡାକ୍ତରଖାନାରେ ପହଞ୍ଚିଥାନ୍ତେ। ତା’ ପୂର୍ବରୁ ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟାରେ ଏକ ଟ୍ରକ ଧକ୍କାରେ କାର୍ ଚୂରମାର ହୋଇଗଲା। ଅସୁସ୍ଥ ଯୁବତୀଙ୍କ ସମେତ ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଗଲା। ମୃତକ ଦ୍ବୟ ହେଲେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଜରୀ ଗ୍ରାମର ଭୋଳାନାଥ ମଲିକଙ୍କ ଝିଅ ସରିତା ମଲିକ(୧୭) ଓ ସେହି ଗ୍ରାମର ବାବାଜି ମଲିକ (୪୯)।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଭୋଳାନାଥଙ୍କ ଝିଅ ସରିତା ମଲିକ(୧୭) ଗତକାଲି ବିଳମ୍ଵିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ମା’ ମନୋରମା ମଲିକ, ଭାଇ ବିଶ୍ଵଜିତ ମଲିକ ଓ ଗ୍ରାମର ବାବାଜି ମଲିକ ଏକ କାର୍ ଯୋଗେ ତାଙ୍କୁ କେନ୍ଦ୍ରାପଡ଼ା ଦେଇ କଟକ ନେଉଥିଲେ। ଘନ କୁହୁଡ଼ି କାରଣରୁ କଟିକଟା ନିକଟରେ ଏକ ଟ୍ରକ ସହିତ କାରଟିର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସରିତାଙ୍କର ମୃତ୍ୟୁ ହୋଇଥିଲା। କଟକ ବଡ଼ମେଡିକାଲରେ ବାବାଜି ଆଖି ବୁଜିଥିଲେ। ମନୋରମା, ବିଶ୍ବଜିତଙ୍କ ସମେତ ଗାଡ଼ି ଡ୍ରାଇଭର ସତ୍ୟଜିତ ମହାନ୍ତି ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶବ ବ୍ୟବଚ୍ଛେଦ ହୋଇ ଗାଁରେ ପହଞ୍ଚିଲା ପରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି। ଆସନ୍ତାକାଲି ସତ୍କାର କରାଯିବ ବୋଲି ଜଣାପଡ଼ଛି। ଖବର ପାଇ ସରପଞ୍ଚଙ୍କ ସ୍ଵାମୀ ମନୋଜ କୁମାର ସାମଲ ଓ ଯୁବ ସାମାଜିକ କର୍ମୀ ଅମର ମଲିକ କଟକରେ ପହଞ୍ଚି ଆହତଙ୍କୁ ଚିକିତ୍ସା କରାଇବାରେ ସହଯୋଗ କରିଥିଲେ।