ସମ୍ଭାବ୍ୟ ବନ୍ୟାକୁ ନେଇ ସଜାଗ ପ୍ରଶାସନ: ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

କର୍ମଚାରୀଙ୍କ ଛୁଟି ବାତିଲ,୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ

କେନ୍ଦ୍ରାପଡ଼ା ମହାନଦୀର ହୀରାକୁଦରେ ୨୫ଟି ଗେଟ ଖୋଲାଯିବା ପରେ ଜିଲ୍ଲାର ମହାନଦୀ ଅବବାହିକାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବନ୍ୟା ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳ ମୁଣ୍ଡରେ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ବାଲିବସ୍ତା ମହଜୁଦ ରଖାଯିବା ସହ ବିପଦପୂର୍ଣ୍ଣ ସ୍ଥାନରେ ସେଚ ବିଭାଗର କର୍ମଚାରୀଙ୍କୁ ପଇଁତରା ମାରିବାକୁ କୁହାଯାଇଛି। ଶୁଖିଲା ଖାଦ୍ୟ, ପିଇବା ପାଣି ଡଙ୍ଗା ମହଜୁଦ୍‌ ରଖା ଯାଇଛି । ଏନ୍‌ଡିଆର୍‌ଏଫ୍‌ର ୩୦ ଜରିଆଟିମ୍‌ ଆଜି ଏଠାରେ ଡେରା ପକାଇଛନ୍ତି ।
ଛତିଶଗଡ଼ ଉପରମୁଣ୍ଡରେ ଅଧିକ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ହୀରାକୁଦ୍‌ରୁ ଅଧିକ ବନ୍ୟା ପାଣି ଛାଡ଼ିବା ଆଶଙ୍କା ରହିଛି । ସେଥିପାଇଁ ରାଜ୍ୟର ୧୧ଟି ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ୍‌ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନମିତା ବାରିକ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ମୁଣ୍ଡୁଳିଠାରେ ୮.୫ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହୋବ ଦ୍ୱାରା ମହାନଦୀ ସମେତ ଏହାର ଶାଖା ଲୁଣା, କରାଣ୍ଡିଆ, ପାଇକା, ଚିତ୍ରୋତ୍ପଳା, ନଦୀ ଅବବାହିକା ସମ୍ପୂର୍ଣ୍ଣ ଜଳମଗ୍ନ ହେବା ଆଶଙ୍କା ରହିଛି। ଏସବୁ ନଦୀରେ ବନ୍ୟା ଆସିଲେ ଜିଲ୍ଲାର ମାର୍ଶାଘାଇ, ଗରଦପୁର ଓ ମହାକାଳପଡ଼ା ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହେବ । କେନ୍ଦ୍ରାପଡ଼ା ଓ ଡେରାବିଶ୍‌ ବ୍ଲକ୍‌ ମଧ୍ୟ ଆଂଶିକ ଭାବେ ପ୍ରଭାବିତ ହେବ। ବନ୍ୟା ଆଶଙ୍କା କରି ୧୮୨୦୦ କୁଇଣ୍ଟାଲ ଚାଉଳ, ଚୂଡ଼ା, ପାଣି ପାଉଚ୍‌, ଗୁଡ଼ ଆଦି ଶୁଖିଲା ଖାଦ୍ୟ, ଔଷଧ, ଗୋଖାଦ୍ୟ ମହଜୁଦ୍‌ ରଖାଯାଇଛି । ନିଜେ ଜିଲ୍ଲାପାଳ ଦାଶରଥି ଶତପଥୀ ଏସବୁ କାମ ତଦାରଖ କରୁଛନ୍ତି । ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ୫୦ଟି ସରକାରୀ ବୋଟ୍‌, ୭୩ଟି ଘରୋଇ ଡଙ୍ଗା, ୧୨୫ଟି ପାଓ୍ଵାର ବୋଟ୍‌ ପ୍ରସ୍ତୁତ ରଖା ଯାଇଛି । ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ବିଭାଗୀୟ କର୍ମଚାରୀଙ୍କୁ ଦୁର୍ବଳ ନଦୀ ବନ୍ଧ ପ୍ରତି ସତର୍କ ଦୃଷ୍ଟିି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ କୁମାର ରାଉତ କହିଛନ୍ତି ଏମ୍‌ଡି ଓସିସି କବି ପ୍ରସାଦ ମିଶ୍ର, ଭୁବନେଶ୍ୱରରରୁ ସ୍ୱତନ୍ତ୍ର ଡ୍ୟୁଟିରେ ଆସି ପହଞ୍ଚିିଛନ୍ତି । ରାତି ସାରା ବିଭିନ୍ନ ଦୁର୍ବଳ ନଦୀ ବନ୍ଧର ସ୍ଥିତି ପରଖିଛନ୍ତି। ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ ବିରୂପା ନଦୀର ବେଣିପୁର ଘେରି, ଚିତ୍ରୋତ୍ପଳାର ଦକ୍ଷିଣ ପାର୍ଶ୍ୱ, ଦଶମଉଜି ଘେରି, କଂରଜ ସ୍ଲୁଇସ୍‌ ପାଖ ବୁଲି ଦେଖିଛନ୍ତି । ସେହପରି ଲୁଣାର ବସପୁର ନଦୀ ବନ୍ଧ ବୁଲି ଦେଖିଛନ୍ତି । ଅନ୍ୟପକ୍ଷରେ ଗୁଆଳି ଓ ମଣ୍ଡନ ପାଖରେ ମହାନଦୀ ନର୍ଥ ଡିଭିଜନ୍‌ର ନିର୍ବାହୀଯନ୍ତ୍ରୀ ସାଗର ରଂଜନ ମହାନ୍ତି ଓ ତାଙ୍କ ଟିମ୍‌ ନଦୀ ବନ୍ଧଗୁଡ଼ିକ ବୁଲି ଦେଖିଛନ୍ତି ।

ସମ୍ବନ୍ଧିତ ଖବର