୫ ହଜାର ଲାଞ୍ଚ ନେଇ ଭିଜିଲାନ୍‌ସ ଜାଲରେ ଆଳି ଥାନା ଏଏସ୍‌ଆଇ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳି ଥାନା ଏଏସ୍‌ଆଇ ରଣେନ୍ଦ୍ର କୁମାର ସାମଲ ଆଜି ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଆଳି ପୁଲିସ ଜବତ କରିଥିବା ଏକ ବାଇକ୍‌ ଛାଡ଼ିବା ପାଇଁ ଏହି ଟଙ୍କା ଉତ୍କ‌ୋଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍‌ସ ଧରିଛି।
ପ୍ରାପ୍ତ ସୂଚନା ଅନୁସାରେ, ୨୦୧୮ ମସିହାର ଏକ ମାମଲାରେ ଆଳି ପୁଲିସ୍‌ ନିଆଳ ଗ୍ରାମର ବାନାମ୍ବର ଦାସଙ୍କ ବାଇକ୍ ଜବତ କରିଥିଲା। ଏହି ମାମଲାରେ ବାନାମ୍ବର ଥାନାରେ ପ୍ରତ୍ୟେହ ହାଜିରା ଦେବାକୁ ଚୁକ୍ତି କରି ଜାମିନ୍‌ରେ ଯାଇଥିଲେ। ମାମଲାରୁ ମୁକ୍ତି ପାଇବା ସହ ବାଇକ୍ ମୁକାଳିବା ସକାଶେ ସେ ଏଏସ୍‌ଆଇ ସାମଲଙ୍କ ସହ ଯୋଗାଯୋଗ କରିଥିଲେ। ବାଇକ୍ ମୁକାଳିବା ନିମନ୍ତେ ଏଏସ୍‌ଆଇ ସାମଲ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ବାନାମ୍ବର କଟକ ଭିଜିଲାନ୍‌ସ ଏସ୍‌ପିଙ୍କ ସହ ଯୋଗାଯୋଗ କରିଥିଲେ। ଭିଜିଲାନ୍‌ସ ପକ୍ଷରୁ ଶ୍ରୀ ସାମଲଙ୍କୁ ଧରିବା ପାଇଁ ଏକ ଯୋଜନା କରାଯାଇଥିଲା। ଯୋଜନା ମୁତାବକ ଆଜି ସକାଳେ ଭିଜିଲାନ୍‌ସ ଡିଏସ୍‌ପି ସୁରେନ୍ଦ୍ର ରାଇଗୁରୁଙ୍କ ନେତୃତ୍ବରେ ଏକ ଟିମ୍ ରାସାୟନିକ ପ୍ରଲେପ ଦିଆଯାଇଥିବା ୫ ହଜାର ଟଙ୍କା ଦେଇ ବାନାମ୍ବରଙ୍କୁ ଏଏସ୍‌ଆଇ ସାମଲଙ୍କ ନିକଟକୁ ପଠାଇଥିଲେ ଓ ଭିଜିଲାନ୍‌ସ ଟିମ୍‌ ଥାନା ନିକଟରେ ଜଗି ରହିଥିଲେ। ବାନାମ୍ବର ଏଏସ୍‌ଆଇ ସାମଲଙ୍କୁ ଭେଟି ୫ ହଜାର ଟଙ୍କା ଲାଞ୍ଚ ଦେବା ପରେ ପରେ ଲୁଚି ରହିଥିବା ଭିଜିଲାନ୍‌ସ ଟିମ୍ ତାଙ୍କୁ କାବୁ କରି ନେଇଥିଲେ। ତାଙ୍କ ନିକଟରୁ ଉକ୍ତ ରାସାୟନିକ ପ୍ରଲେପ ଦିଆ ୫ ହଜାର ଟଙ୍କା ଜବତ କରାଯାଇଥିଲା। ପରେ ଭିଜିଲାନ୍‌ସର ଦୁଇଟି ଟିମ୍ ଆଳି ଥାନା ପାର୍ଶ୍ବରେ ଥିବା ଶ୍ରୀ ସାମଲଙ୍କ ସରକାରୀ କ୍ବାର୍ଟର ଓ କେନ୍ଦ୍ରାପଡ଼ା ସହର ଗୋପସ୍ଥିତ ଘରେ ଚଢ଼ଉ ଜାରି ରଖିଛନ୍ତି। ‌ସେହିପରି ଭିଜିଲାନ୍‌ସର ଆଉ ଗୋଟିଏ ଟିମ୍ ତିର୍ତ୍ତୋଲ ଥାନା ସାମନ୍ତରାପୁର ଗାଁରେ ଥିବା ତାଙ୍କ ପୈତୃକ ବାସଭବନରେ ଚଢ଼ଉ କରିବାକୁ ଯିବ ବୋଲି ଡିଏସ୍‌ପି ଶ୍ରୀ ରାୟଗୁରୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର