ନାବାଳିକାଙ୍କୁ ହତ୍ୟା ଉଦ୍ୟମ, ଦୁଷ୍କର୍ମ

କେନ୍ଦ୍ରାପଡ଼ା/ଡେରାବିଶ: କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ନାବାଳିକାଙ୍କ ପ୍ରତି ଅମାନବୀୟ ଘଟଣା ଘଟିଛି। ଗୋଟିଏ ଜାଗାରେ ହତ୍ୟା ଉଦ୍ୟମ କରାଯାଇଥିବାବେଳେ ଅନ୍ୟ ଏକ ଜାଗାରେ ଦୁଷ୍କର୍ମ କରାଯାଇଛି। ଏହି ଘଟଣା ନାବାଳିକାଙ୍କ ସୁରକ୍ଷା ପ୍ରତି ଚିନ୍ତାର କାରଣ ପାଲଟିଛି।
ସୂଚନା ଅନୁସାରେ, ଡେରାବିଶଠାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିବା ଜଣେ ୫ ବର୍ଷର ଶିଶୁକୁ ଅପହରଣ କରି ଆଜି ହତ୍ୟା ଉଦ୍ୟମ କରାଯାଇଛି। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।
ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ବେଣୀପୁରଠାରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଜନୈକ ଅଙ୍ଗନବାଡ଼ି କେନ୍ଦ୍ରକୁ ଏଠାରେ ଥିବା ୫ ବର୍ଷର ଏକ ଛୋଟ ଶିଶୁ ଯାଇଥିଲା। ଏହି ଗ୍ରାମର ଜଣେ ୩୦ ବର୍ଷୀୟ ଯୁବକ ନରେନ୍ଦ୍ର ସାହୁ କୁନି ଝିଅଟିକୁ ଅପହରଣ କରିନେଇ ବିଦ୍ୟାଳୟ ପରିସରରେ ଥିବା ଏକ ପାଇଖାନା ଘରେ ପୂରାଇ ଦେଇଥିଲେ। ଝିଅଟିର ତଣ୍ଟିକୁ ଚିପିବା ସହିତ ଧାରୁଆ ଖୁରରେ ତା’ ମୁଣ୍ଡ ଅଗ୍ରଭାଗରୁ ଚୂଳ ଚାଞ୍ଝ ଦେବା ସହିତ ଗଳାକାଟି ହତ୍ୟା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଶିଶୁଟି ଜୋର୍‌ରେ କାନ୍ଦିବାରୁ ଗ୍ରାମର କିଛି ଲୋକ ଓ ପଡ଼ିଶା ଆସିଯାଇଥିଲେ। ଏହାପରେ ନରେନ୍ଦ୍ର ଶିଶୁଟିକୁ ଛାଡ଼ି ଫେରାର୍‌ ହୋଇଯାଇଥିଲେ। ସଂଧ୍ୟାରେ ନରେନ୍ଦ୍ର ଏ ସମ୍ପର୍କରେ ନିକିରାଇ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବ୍ୟବସାୟକୁ କେନ୍ଦ୍ରକରି ଏପରି ଘଟଣା ଘଟିଥିବା ଜଣାପଡ଼ିଛି।
ସେହିଭଳି, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମଙ୍ଗ ଗ୍ରାମରେ ଗତକାଲି ଜଣେ ନାବାଳିକାକୁ ବଳାତ୍କାର କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଛି।
ଅଭିଯୁକ୍ତ ଯୁବକ ହେଲେ, ସେହି ଗ୍ରାମର ଫଗୁ ମଳିକ। ଆଜି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍‌କୋର୍ଟରେ ଫଗୁକୁ ହାଜର କରାଯାଇଥିଲା । ଜିଆର୍‌ କେସ୍‌ ନଂ ୮ରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ୩୪୧, ୩୪୩, ୫୦୬, ୩୭୬ ଓ ୮ ପୋକ୍‌ସୋ ଆଇନ୍‌ରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ପ୍ରଜ୍ଞା ପାଣିଗ୍ରାହୀ ଶୁଣାଣି କରି ଅଭିଯୁକ୍ତ ଫଗୁର ଜାମିନ ନାମଂଜୁର କରି ଦେଇଥିଲେ । ତେଣୁ ଫଗୁକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପିପି ସଂଜୟ କୁମାର ଜେନା ଏହି ମାମଲା ପରିଚାଳନା କରୁଥିଲେ । ସ୍ଥାନୀୟ ଏସ୍‌ଡ଼ିଜେଏମ୍‌ଙ୍କ ନିକଟରେ ମଧ୍ୟ ଉକ୍ତ ନାବାଳିକାର ସାକ୍ଷ୍ୟ ଗ୍ରହଣ କରାଯାଇଛି ।
ଦୁଷ୍କର୍ମ ଉଦ୍ୟମ ଘଟଣାରେ
ଅଭିଯୁକ୍ତ କୋର୍ଟଚାଲାଣ
ମାର୍ଶାଘାଇ /ମହାକାଳପଡା: ମାର୍ଶାଘାଇ ଥାନା ଅଧୀନରେ ଥିବା ମହାକାଳପଡା ବ୍ଲକ୍‌ ଅନ୍ତର୍ଗତ ତିଖିରୀ ଅଞ୍ଚଳର ଜନୈକା ୯ମ ଶ୍ରେଣୀ ଝିଅକୁ ଅସଦାଚରଣ ତଥା ଦୁଷ୍କର୍ମ ଉଦ୍ୟମ କରାଯାଇଛି। ଏହି ସଂକ୍ରାନ୍ତୀୟ ଅଭିଯୋଗରେ ଆଜି ମାର୍ଶାଘାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି । ଏହି ଘଟଣାରେ ମାର୍ଶାଘାଇ ପୁଲିସ୍‌ ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି। ଏହି ଅଭିଯୁକ୍ତ ଜଣକ ସିରିମ୍‌ପୁର ଗ୍ରାମର ସୁକାନ୍ତ ନାୟକଙ୍କ ପୁଅ ବୁଟୁ ଓରଫ୍‌ ପ୍ରଫେସର ନାୟକ ବୋଲି ଜଣାପଡ଼ିଛି।
ପ୍ରକାଶଥାଉକି, ଘଟଣା ଘଟିବା ଦିନ ପ୍ରଫେସର ନାୟକ ଜଣେ ୯ମ ଶ୍ରେଣୀର ଛାତ୍ରୀଙ୍କ ଘରେ ପଶି ତାଙ୍କୁ ଅସଦାଚରଣ ତଥା ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଏପରିକି ଅଭିଯୁକ୍ତ ଜଣକ ପୀଡ଼ିତାର ଦାଦାଙ୍କୁ ନିଶାସକ୍ତ ଅବସ୍ଥାରେ ବାଡ଼ାବାଡ଼ି କରିଥିବା ପୁଲିସ କହିଛି । ଏ ନେଇ ପୀଡ଼ିତା ଜଣକ ୭ ତାରିଖରେ ଜିଲ୍ଲା ଅରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ମାର୍ଶାଘାଇ ପୁଲିସ କେସ୍‌ ନଂ ୨୧/୧୮ ରେ ମାମଲା ରୁଜୁ କରିଥିଲା । ମିଳିଥିବା ଖବର ଅନୁଯାୟୀ, ଅଭିଯୁକ୍ତ ଜଣଙ୍କୁ ଗିରଫ କରି ପୁଲିସ୍‌ କୋର୍ଟଚାଲାଣ କରିଛି ।

ସମ୍ବନ୍ଧିତ ଖବର