ବିପର୍ଯ୍ୟସ୍ତ ଅବସ୍ଥାରେ “ଆଳି ରିଂବନ୍ଧ”ର ସ୍ଲୁଇସଗେଟ

ଆଳି: ବ୍ରାହ୍ମଣୀ, କାଣୀ, ଖରସ୍ରୋତା ନଦୀକୁ ଘେରି ରହିଛି ୬୦ କିମି ପରିଧିର ବନ୍ୟା ନିରୋଧକ ଆଳି ରିଂବନ୍ଧ। ଏହି ବନ୍ଧ ଆଲୋଚ୍ୟ ନଦୀମାନଙ୍କର ବନ୍ୟା ଦାଉରୁ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତକୁ ସୁରକ୍ଷା ଦେବା ସହିତ ସଂପୃକ୍ତ ପଞ୍ଚାୟତଗୁଡ଼ିକର ବିସ୍ତୀର୍ଣ୍ଣ ଚାଷଜମିକୁ ଜଳସରବରାହ ନିୟନ୍ତ୍ରଣ କରୁଛି। କୃଷି କ୍ଷେତ୍ରର ଜଳସରବରାହ ଓ ବନ୍ୟାଜଳ ନିୟନ୍ତ୍ରଣ ପାଇଁ ରିଂବନ୍ଧର ବିଭିନ୍ନ ସ୍ଥାନରେ ସ୍ଲୁଇସଗେଟ ଗୁଡିକର ବ୍ୟବସ୍ଥା କରାଯାଇଛି। ବହୁବର୍ଷ ତଳୁ ନିର୍ମିତ ହୋଇଥିବା ଏହି ସ୍ଲୁଇସଗେଟଗୁଡ଼ିକ ଆବଶକୀୟ ମରାମତି ଅଭାବରୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ରିଂବନ୍ଧର ସମସ୍ତ ସ୍ଲୁଇସଗେଟ ଗୁଡ଼ିକ ମଧ୍ୟରୁ ବର୍ତ୍ତମାନ ଅର୍ଦ୍ଧାଧିକ ସ୍ଲୁଇସ ଗେଟ ଭାଙ୍ଗିରୁଜି, ଅକାମି ହୋଇପଡିଛି। କେଉଁଠି ଗେଟର କବାଟ ଭାଙ୍ଗି ଜଳସ୍ରୋତ ଲିକ୍ କରୁଛି ତ କେଉଁଠି ଲକ୍ କାମ କରୁନାହିଁ ଆଉ କେଉଁଠି କଂକ୍ରିଟ ଭାଙ୍ଗି ଲୁହାଛଡ଼ ଦେଖାଯାଉଛି। ଏହି କାରଣରୁ ଚଳିତମାସ ୪ ତାରିଖରେ ଭୂଇଁପୁର ଖରକା ବଜାର ନିକଟସ୍ଥ ସ୍ଲୁଇସଗେଟର କଂକ୍ରିଟ ଛାତ ହଠାତ ଭୁଷୁଡି ପଡିଲା। ଏଥିଯୋଗୁ ୧୨ ଟି ପଞ୍ଚାୟତର ଗମନାଗମନ ବାଧାପ୍ରାପ୍ତ ହେଲା। ଆକସ୍ମିକ ଭାବେ ଭୁଷୁଡିଥିବା ଏହି ସ୍ଲୁଇସଗେଟର ସ୍ଥିତି ଅନୁଧ୍ୟାନ କରିବା ପରେ ତଟବନ୍ଧ ବିଭାଗ ପକ୍ଷରୁ ମାଟି ପକାଯାଇ ଏହି ଗେଟକୁ ପୋତି ଦିଆଯାଇଛି। ବିଭାଗୀୟ ଅନୁମୋଦନ ପରେ ଏହାର ପୁନଃ ନିର୍ମାଣ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି।

ଭୂଇଁପୁର ସ୍ଲୁଇସ ଗେଟ ପରି ଅନ୍ୟ ସ୍ଲୁଇସଗେଟ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଓ ନେତୃସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଟୁଙ୍ଗା ନିକଟସ୍ଥ କାଳିଆ ଘାଈ ସ୍ଲୁଇସଗେଟର ଲୁହାରଡ ପ୍ରାୟ ୮ ବର୍ଷ ହେଲା ଭାଙ୍ଗିଛି, କାମଚଳା ମରାମତିରେ ଏଠାରେ କାମ ଚାଲିଛି। ରାଜବାଟି ଓ ଅରେହିକଣାରେ ରହିଥିବା ସୁନାମୁହିଁ ଉପର ଓ ତଳମୁଣ୍ଡର ୨ ଟି ସ୍ଲୁଇସଗେଟ, ଗିରିବନ୍ଧର ବ୍ରାହ୍ମଣୀଜୋରୀ ସ୍ଲୁଇସଗେଟର ଅବସ୍ଥା ମଧ୍ୟ ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।

ଏପରିକି ମାତ୍ର ୬ ବର୍ଷ ତଳେ ନିର୍ମିତ ହୋଇଥିବା ରମ୍ଭିଳା ସ୍ଲୁଇସଗେଟ ନିର୍ମାଣ ସମୟର ତ୍ରୁଟି ଯୋଗୁଁ ଠିକ୍ ଭାବରେ କାର୍ଯ୍ୟକ୍ଷମ ହେଉନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହିସବୁ ବିପର୍ଯ୍ୟସ୍ତ ସ୍ଲୁଇସଗେଟ ବନ୍ୟା ସମୟରେ ଆଳିର ସୁରକ୍ଷିତ ଅଞ୍ଚଳରେ ଆତଙ୍କର କାରଣ ହେଉଥିବା ବେଳେ ପର୍ଯ୍ୟାପ୍ତ ପରିମାଣର କୃଷିକ୍ଷେତ୍ରକୁ ଘୋର ପ୍ରଭାବିତ କରୁଛି। ଭଙ୍ଗା, ଦଦରା ସ୍ଲୁଇସଗେଟ ଗୁଡିକରେ ଜଳ ନିୟନ୍ତ୍ରଣ ଠିକ୍ ଭାବରେ ହୋଇ ପାରୁନଥିବାରୁ କେତେବେଳେ ଧୋଇରେ ତ କେତେବେଳେ ମରୁଡ଼ିରେ ଚାଷ ଉଜୁଡ଼ି ଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି, କୃଷକ, ବନ୍ୟା ନିୟନ୍ତ୍ରଣ ଓ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଆଳି ରିଂବନ୍ଧ ସଂଲଗ୍ନ ବିପର୍ଯ୍ୟସ୍ତ ସ୍ଲୁଇସଗେଟ ଗୁଡିକର ମରାମତି, ନିର୍ମାଣ ଜରୁରୀ ହୋଇପଡିଛି।

ସମ୍ବନ୍ଧିତ ଖବର