ଗଛକଟାକୁ କେନ୍ଦ୍ର କରି ମାଣିକପାଟଣାରେ ଗୋଷ୍ଠୀ ସଂଘର୍ଷ : ୩ ଆହତ,ଜଣେ ଗୁରୁତର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ମାଣିକପାଟଣାରେ ଗୋଷ୍ଠୀ ସଂଘର୍ଷ ଘଟି ଗୋଟିଏ ପକ୍ଷର ୩ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ଜନୈକ ଯୁବକଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଜି ପୂର୍ବାହ୍ନ ୧୨ ଟା ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।

ମାଣିକପାଟଣା ଗ୍ରାମର ସତ୍ୟବ୍ରତ ପାଣ୍ଡବ ଆଳି ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଜଣାଇଛନ୍ତି ଯେ,ଅପରପକ୍ଷର ଚିରଞ୍ଜିବୀ ଦାସଙ୍କ ପରିବାର ସତ୍ୟବ୍ରତଙ୍କ ବାଡ଼ିରେ ଥିବା ଚାକୁଣ୍ଡା ଗଛକୁ କାଟିଥିଲେ। ଗଛକଟାକୁ ସତ୍ୟବ୍ରତଙ୍କ ପରିବାର ଲୋକେ ବିରୋଧ କରିବାପରେ ଚିରଞ୍ଜିବୀ ଦାସ, ପୁଅ ଦାସ, ବାବୁନି ଦାସ ଓ ଭ୍ରମର ଦାସଙ୍କ ପରିବାରର ପ୍ରାୟ ୧୫ ଜଣ ସଂଘବଦ୍ଧ ଭାବେ ସତ୍ୟବ୍ରତଙ୍କ ସମେତ ତାଙ୍କର ବାପା ପଦ୍ମନାଭ ଓ ଭାଇ ପ୍ରିୟବ୍ରତଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଉଭୟପକ୍ଷର ସଂଘର୍ଷ ଯୋଗୁଁ ସତ୍ୟବ୍ରତ, ପଦ୍ମନାଭ ଓ ପ୍ରିୟବ୍ରତ ଆହତ ହୋଇଛନ୍ତି।

ଆକ୍ରମଣରେ ଗୁରୁତର ଆହତ ପ୍ରିୟବ୍ରତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଗଛକଟାକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଥିବା କୁହାଯାଉଥିବା ବେଳେ ରାଜନୈତିକ ଶତ୍ରୁତାରୁ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଆଲୋଚିତ ହେଉଛି। ଅଭିଯୋଗ ପରେ ଆଳି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର