ମାନସିକ ଭିନ୍ନକ୍ଷମ ଶାଶୂଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ବୋହୂ

ମହାକାଳପଡ଼ା : ମାନସିକ ଭିନ୍ନକ୍ଷମ ଶାଶୂଙ୍କ ଉପରେ ବୋହୂ ଗରମ ପାଣି ଫିଙ୍ଗିବା ଭଳି ଅଭାବନୀୟ ଘଟଣା ଘଟିଛି ମହାକାଳପଡ଼ା ବ୍ଲକ ରାଜଗଡ଼ ଗ୍ରାମରେ। ଶାଶୂଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ ଥାନାରେ ଏତଲା ଦିଆଯାଇଛି।ଘଟଣାରୁ ପ୍ରକାଶ ଯେ, ମହାକାଳପଡ଼ା ଥାନା ରାଜଗଡ଼ ଗ୍ରାମର ବିଦ୍ୟାଧର ସ୍ୱାଇଁଙ୍କ ପତ୍ନୀ କଲ୍ୟାଣୀ (୫୯)୧୦ବର୍ଷ ହେଲା ମାନସିକ ବିକାରଗ୍ରସ୍ତ। ବିଦ୍ୟାଧରଙ୍କ ସମେତ ଦୁଇ ପୁଅ ଓ ବଡ଼ ବୋହୂ ଗୁଜୁରାଟରେ ରହି ସୂତାକଳରେ କାମ କରୁଛନ୍ତି। ଗ୍ରାମରେ ସାନ ବୋହୂ ପିଙ୍କି ଶାଶୂଙ୍କ ସହ ରୁହନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ପିଙ୍କି ଶାଶୂଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରିବା ସହିତ ଖାଇବାପିଇବାକୁ ଦିଅନ୍ତି ନାହିଁ । ଫଳରେ ବିଦ୍ୟାଧରଙ୍କ ବଡ଼ଭାଇ ସାଧୁଙ୍କ ପରିବାର ସଦସ୍ୟ କଲ୍ୟାଣୀଙ୍କ ଭଲମନ୍ଦ ବୁଝିଥାନ୍ତି।

ଗତ ୧୪ ତାରିଖ ଦିନ ଶାଶୂଙ୍କ ଉପରେ କୌଣସି କାରଣରୁ ରାଗି ଯାଇ ପିଙ୍କି ଗରମ ପାଣି ପକାଇ ଦେଇଥିଲେ । କଲ୍ୟାଣୀଙ୍କ ବାମ ପାର୍ଶ୍ୱ ମୁହଁ, କାନ୍ଧ, ପିଠି ଓ ହାତ ସିଝି ଯାଇ ଚମଡ଼ା ଉଠିଯାଇଛି । ବିଦ୍ୟାଧର ଘଟଣା ଘଟିବା ଦିନ ଗୁଜୁରାଟରୁ ଫେରି ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜି ବିଦ୍ୟାଧର ଏ ନେଇ ମହାକାଳପଡ଼ା ଥାନାରେ ଲିଖିତ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର