କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଗତ ୧୫ ତାରିଖରେ ଆଗତ ମାମଲାକୁ ଆଜି ବିଚାର ପାଇଁ ଗ୍ରହଣ କରାଯାଇଛି। ଏହି ମାମଲା(ମେଣ୍ଟେନେବୁଲ)ର ବିଚାର ଆରମ୍ଭ ହେବ ବୋଲି ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନିହାର ରଞ୍ଜନ ସାହୁ ସ୍ପଷ୍ଟ କରିଛନ୍ତି। ଏହି ଅଭିଯୋଗ ନେଇ କୋର୍ଟରେ ଏକ ୧ ସିସି(କମ୍ପ୍ଲେନ୍‌ କେସ୍‌) ରୁଜୁ କରାଯାଇଥିଲା ।

Advertisment

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ରତ୍ନାକର ଲେଙ୍କା ଏହି ପିଟିସନ୍‌ ଦାଏର୍‌ କରିଥିଲେ । କୋର୍ଟରେ ଅଭିଯୋଗକାରୀଙ୍କ ପକ୍ଷରୁ ତାଙ୍କ ଓକିଲ ଅକ୍ଷୟ କୁମାର ନାୟକ ପିଟିସନ୍‌ ଉପସ୍ଥାପନ କରିଥିବା ବେଳେ ଏସ୍‌ଡ଼ିଏମ୍‌ ନିହାର ରଂଜନ ସାହୁ ଏହାର ଶୁଣାଣି କରିଥିଲେ । ଆବେଦନକାରୀ ଶ୍ରୀ ଲେଙ୍କା ଏହି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ୨୦୧୪ ଲୋକସଭା ନିର୍ବାଚନରେ ବୈଜୟନ୍ତ ପଣ୍ଡା ବିଜେଡିିରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଫର୍ମ ନଂ. ୨୬ର କଲମ ନଂ. ୯ରେ ସତ୍ୟପାଠ କରି ବୃତ୍ତି(ଅକୁପେସନ୍‌ ଓ ପ୍ରଫେସନ୍‌)ରେ ଜଣେ ଲୋକସଭା ସଦସ୍ୟ ବୋଲି ଦର୍ଶାଇଥିଲେ । ଏହି ସତ୍ୟପାଠରେ ମିଥ୍ୟା ତଥ୍ୟ ପ୍ରଦାନ ସହ ଅନେକ ତଥ୍ୟ ଲୁଚାଇଥିଲେ । ସତ୍ୟପାଠ ଦାଖଲ ବେଳେ ସେ ନିଜର ଇମ୍ଫା କମ୍ପାନିରେ ଚାକିରି କରି ଦରମା ଆକାରରେ କୋଟି କୋଟି ଟଙ୍କା ନେଇଥିଲେ। କିନ୍ତୁ ଏ ବିଷୟରେ କିଛି ତଥ୍ୟ ଦେଇ ନଥିଲେ । ଏହା ଜନପ୍ରତିନିଧି ଆଇନ୍‌ର ୧୨୫(କ) ଅନୁସାରେ ଏକ ଫୌଜଦାରୀ ଦଣ୍ଡଯୁକ୍ତ ଅପରାଧ ଓ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ସାଂସଦ ଶ୍ରୀ ପଣ୍ଡା ଜାଣିଶୁଣି ଏସବୁ ତଥ୍ୟ ଲୁଚାଇ ଭୋଟରଙ୍କୁ ପ୍ରତାରିତ କରିଥିବାରୁ ତାଙ୍କ ବିରୁଦ୍ଧରେ ତୁରନ୍ତ ଆଇନାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଓକିଲ ଶ୍ରୀ ଲେଙ୍କା ଅନୁରୋଧ କରିଥିଲେ । ମାମଲାରେ ଏସ୍‌ଡିଜେଏମ୍‌ ଦରଖାସ୍ତକାରୀ ଲେଙ୍କାଙ୍କ ବୟାନ ଲିପିବଦ୍ଧ କରି ମାମଲା ଆଗକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।