ବ୍ୟାଙ୍କ୍‌ରୁ ୫୬ ଲକ୍ଷ ଟଙ୍କା ଠକେଇ ଘଟଣା:ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ମହାକାଳପଡ଼ା: ଅନ୍‌ଲାଇନ୍‌ରେ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରୁ ୫୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍‌ ଘଟଣାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି। କଟକସ୍ଥିତ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ଏକ ୬ ଜଣିଆ ଟିମ୍‌ ଆଜି ସନ୍ଧ୍ୟାରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଗତ ନଭେମ୍ବର ୨୪ ତାରିଖରେ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ବଡ଼ଧରଣର ଲୁଟ୍‌ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ପ୍ରସାଦ ପାଇଟାଳ ଓରଫ କାଳିଆ (୨୮) ଅନ୍‌ଲାଇନ୍‌ରେ ଟଙ୍କା ହଡ଼ପ କରି ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ଆକାଉଣ୍ଟରେ ଜମା ରଖୁଥିଲା। ଏତେ ପରିମାଣର ଅର୍ଥ ଜଣଙ୍କ ଆକାଉଣ୍ଟରେ ଜମା ହେବା ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷ ଖୋଳତାଡ କରିଥିଲେ। ଏବଂ, ଏହା ଏକ ବଡ଼ଧରଣର ସାଇବର୍‌ ଅପରାଧ ବୋଲି ଜଣାପଡ଼ିବା ପରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦେଇଥିଲେ।
କ୍ରାଇମବ୍ରାଞ୍ଚ ପ୍ରଥମେ ଜିତେନ୍ଦ୍ରର ଭାଇ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଦେଉଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଓଳିହା ଗ୍ରାମର ରାଜକିଶୋର ପାଇଟାଳଙ୍କ ପୁଅ ବିଜୟ। ନିକଟରେ ବିଜୟ ହାଇକୋର୍ଟରୁ ଜାମିନ୍‌ ପାଇ ମୁକୁଳିଛନ୍ତି। କିଛିଦିନ ବ୍ୟବଧାନରେ କ୍ରାଇମବ୍ରାଞ୍ଚ ଆଜି ପୁଣିଥରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ବ୍ରଜକିଶୋର ପାଇଟାଳଙ୍କ ପୁଅ ଜିତେନ୍ଦ୍ର ଓ ଅନ୍ୟ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ହେଲେ, ଜୟଦେବ ରାଉତ୍‌ ଓରଫ ପକୁ (୨୩) ଓ ସତ୍ୟ ପ୍ରସାଦ ରାଉତ (୨୪)। ଗିରଫ ହୋଇଥିବା ସମସ୍ତ ଯୁବକ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରକୁ ସହଯୋଗ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ କହିବାନୁସାରେ, କ୍ରାଇମବ୍ରାଞ୍ଚ ଟିମ୍‌ ଚଢ଼ାଉ ସମୟରେ ସ୍ଥାନୀୟ ପୁଲିସ୍‌ର ସହାୟତା ନେଇଥିଲେ। ଅଭିଯୁକ୍ତମାନଙ୍କୁ ଉଠାଇ ଅଣାଯିବା ସହିତ ସେମାନଙ୍କ ଠାରୁ ଏକ ବଡ଼ ଏଲ୍‌ସିଡ଼ି ଟିଭି , ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ , ଏୟାର କଣ୍ଡିସନ୍‌ ମେସିନ୍‌ ଏବଂ ନାମୀଦାମୀ ଜିନିଷ ପତ୍ର ଜବତ କରାଯାଇଛି। ପ୍ରକାଶଥାଉକି, ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ଜଣେ ଇଞ୍ଜିନିୟର। ସେ ଚେନ୍ନାଇଠାରେ ଏକ କମ୍ପାନିରେ କାମ କରୁଥିଲେ। ପରେ ଚାକିରି ଛାଡ଼ି ଘରେ ଆସି ରହୁଥିଲେ। ସେ ହିଁ ଘଟଣାର ମାଷ୍ଟରମାଇଣ୍ଡ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି।
କେମିତି ହୋଇଥିଲା ଠକେଇ?
ବ୍ୟାଙ୍କ ଅଫ୍‌ ଇଣ୍ଡିଆର କେନ୍ଦ୍ରାପଡା ଶାଖାରେ ଥିବା ପାର୍କିଂ ଆକାଉଣ୍ଟରୁ ୫୬ ଲକ୍ଷ ଟଙ୍କା ଗାଏବ୍‌ ହୋଇଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ବ୍ୟାଙ୍କର ଭୁବନେଶ୍ୱର ଶାଖା ଜାଣିପାରିଥିଲା। ମାସକ ତଳେ ଜଣେ ବ୍ୟକ୍ତି ଏକ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନ୍‌ କରିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ଏହି ଟ୍ରାଞ୍ଜାକ୍ସନ ପାଇଁ କେନ୍ଦ୍ରାପଡା ଶାଖାର ପାର୍କିଂ ଆକାଉଣ୍ଟରୁ ଟଙ୍କା କଟିଥିଲା। ମାତ୍ର, ଟ୍ରାଞ୍ଜାକ୍ସନ୍‌ ସଫଳତାର ସହ ଶେଷ ହେବା ପରେ ସମ୍ପୃକ୍ତ ଗ୍ରାହକଙ୍କ ଆକାଉଣ୍ଟରୁ ସମାନ ଟଙ୍କା ପାର୍କିଂ ଆକାଉଣ୍ଟକୁ ଆସିପାରିନଥିଲା। ଏହି ବିଷୟ ଗ୍ରାହକ ଜାଣିବା ପରେ ସେ ପୁନର୍ବାର ଏକ ଟ୍ରାଞ୍ଜାକ୍ସନ କରିଥିଲେ। ଏହିଭଳି ଦୁଇଥର କରିବା ପରେ ବ୍ୟାଙ୍କ ସଫ୍ଟେଓ୍ଵୟାର୍‌ରେ କିଛି ତ୍ରୁଟି ଥିବା ସେ ଜାଣିପାରିଥିଲେ। ସେ କ୍ରମାଗତ ଭାବେ ମାସକ ମଧ୍ୟରେ ୩୫୬ ଥର ଟ୍ରାଞ୍ଜାକ୍ସନ କରି ମୋଟ ୫୬ ଲକ୍ଷ ଟଙ୍କା ଉଠାଇବା ସହ ସମ୍ପର୍କୀୟ ଭାଇଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରିଥିଲା। ଏହା ଜଣାପଡ଼ିବାପରେ କେନ୍ଦ୍ରାପଡା ଶାଖାର ପରିଚାଳକ ସାଇବର୍‌ ଥାନାରେ ଏକ ଏତଲା ଦାଏର୍‌ କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର