ପରାଜୟ ପରେ ପ୍ରତିକ୍ରିୟା ରଖି ବିଜୟ କହିଲେ ପାଟକୁରା ନିର୍ବାଚନ ଫଳାଫଳ ମତେ ଆଶ୍ଚର୍ଯ୍ୟ କରିଛି

ଭୁବନେଶ୍ବର: ରାଜ୍ୟ ରାଜନୀତିର ଧୂରୀଣ ରାଜନୀତିଜ୍ଞ, ବିଜେଡିର ଅନ୍ୟତମ ପ୍ରତିଷ୍ଠାତା, ବିଜେପିର ତୁଙ୍ଗ ନେତା ବିଜୟ ମହାପାତ୍ରଙ୍କୁ ନିଜର ପାରମ୍ପରିକ  ନିର୍ବାଚନ କ୍ଷେତ୍ରରେ ପରାଜୟର ସ୍ବାଦ ଚଖାଇବାକୁ  ବିଜେଡି ସମର୍ଥ ହୋଇଛି। ବିଧାନସଭା ପହଞ୍ଚି ପାରି ନାହାନ୍ତି ବିଜୟ ମହାପାତ୍ର। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ଠାରୁ ୧୭,୬୫୫ ଭୋଟରେ ପରାଜିତ ହୋଇଛନ୍ତି ବିଜୟ।

ପରାଜୟ ପରେ ପ୍ରତିକ୍ରିୟା ରଖି ବିଜୟ ମହାପାତ୍ର କହିଛନ୍ତି, ‘ନିର୍ବାଚନ ଫଳାଫଳ ମତେ ଆଶ୍ଚର୍ଯ୍ୟ କରିଛି। ଜନମତ ଭିନ୍ନ ଥିଲା, କିନ୍ତୁ ଫଳାଫଳ ଭିନ୍ନ ହେଲା। ଏହାର କାରଣ ଅନୁଧ୍ୟାନ କରିବି। ଫଳ ଯାହା ବି ହେଉ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଜନମତକୁ ସମ୍ମାନ ଜଣାଇବାକୁ ହେବ।’ ଏଥିସହ ସେ ଅଭିଯୋଗ କରିଛନ୍ତି କି ପାଟକୁରାକୁ ଘେରାବନ୍ଦୀ କରି ରଖାଗଲା, ମାଳମାଳ ନେତା ସେଠି କ୍ୟାମ୍ପ କଲେ।

୧୯୮୦ରୁ ୨୦୦୦ ଯାଏଁ ଲଗାତାର ୪-୪ଟି ନିର୍ବାଚନ ଜିତି ବିଜୁ ପଟ୍ଟନାୟକ ସରକାରରେ ଟାଣୁଆ ଚେହେରା ସାଜିଥିବା ବିଜୟ ଲଗାତର ପରାଜିତ ହୋଇ ଚାଲିଛନ୍ତି । ଡେରାବିଶ , ମାର୍ଶାଘାଇ ଦୂରେ ଥାଉ ନିଜ ଗଡ ଗରଦପୁରରେ ବି ବିଜେଡିକୁ ଟପିପାରିନାହାନ୍ତି ବିଜୟ । ରାଜନୀତିର ଧାର ଧରୁନଥିବା ସାବିତ୍ରୀ ଅଗ୍ରୱାଲ ନିଜ ଦିବଂଗତ ପତି ବେଦପ୍ରକାଶ ଅଗ୍ରୱାଲଙ୍କ ସଙ୍ଗଠନ, ଅନୁକମ୍ପା ଭୋଟ ଓ ନବୀନଙ୍କ ଲୋକପ୍ରିୟତାକୁ ଆଧାର କରି ଅକ୍ଲେଶରେ ପାର ହୋଇଛନ୍ତି ନିର୍ବାଚନ ବୈତରଣୀ ।

ସୂଚନାଯୋଗ୍ୟ ବିଜୟ ମହାପାତ୍ର କେନ୍ଦ୍ରାପଡା ପାଟକୁରାରୁ ଲଗାତାର ୪ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ସେ ବିଧାୟକ ହୋଇଥିଲେ । ଏପରିକି ୧୯୯୦ରେ ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସେ କ୍ୟାବିନେଟ ମନ୍ତ୍ରୀ ଥିଲେ । ୨୦୦୦ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ହଠାତ୍ ବିଜୟ ମହାପାତ୍ରଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇ ପାଟକୁରାରୁ ଟିକେଟ ମଧ୍ୟ ଦିଆଯାଇନଥିଲା । ୨୦୦୧ ମସିହାରେ ବିଜୟ ମହାପାତ୍ର ଓଡିଶା ଗଣ ପରିଷଦ ଗଠନ କରି ୨୦୦୪ରେ କଂଗ୍ରେସ ସହ ମେଂଟ କରିଥିଲେ । ନିର୍ବାଚନରେ ଓଜିପି ୨ଟି ଆସନ ପାଇଥିଲା । ବିଜୟ ମହାପାତ୍ର ଅତି କମ ବ୍ୟବଧାନରେ ହାରିଯାଇଥିଲେ । ତେବେ ପରେ ଓଜିପିର ଏନସିପି ସହ ମିଶ୍ରଣ ହୋଇଥିଲା ।

୨୦୦୯ରେ ଏନସିପି ବିଜେଡି ସହ ମେଂଟ କରିବାକୁ ଘୋଷଣା କରିବା ପରେ ଏହାର ବିରୋଧ କରି ବିଜୟ ଦଳ ଛାଡିଥିଲେ ବିଜେପିରେ ସାମିଲ ହୋଇଥିଲେ ବିଜୟ ମହାପାତ୍ର । ହେଲେ ୨୦୧୮ ମସିହା ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ଯ୍ୟରେ  ଅସନ୍ତୋଷ ପ୍ରକାଶ କରି ସେ  ଦଳ ଛାଡିଥିଲେ । ହେଲେ ସବୁ ମାନଅଭିମାନ ଭୁଲି ମାର୍ଚ୍ଚ ୨୮, ୨୦୧୯ରେ ଦଳକୁ ବାହୁଡ଼ିଥିଲେ ବିଜୟ । ବିଜୟ ମହାପାତ୍ରଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଜେପି ପାଟକୁରା ଜିତିବା ପାଇଁ ଆଶା ବାନ୍ଧିଥିଲା । ପୁଣି ଥରେ ବିଧାନସଭା ଯିବାପାଇଁ ଆଶା ବାନ୍ଧିଥିଲେ ବିଜୟ । ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତ କରି ଶେଷରେ ବିଜେଡ଼ି ଜିତିଗଲା ପାଟକୁରା ।

ସମ୍ବନ୍ଧିତ ଖବର