ପରିବର୍ତ୍ତନର ସଂକେତ ଦେଲେ ବିଜୟ

ଗୋଜବାୟାଣୀ ପୀଠରେ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା/ମାର୍ଶାଘାଇ : ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ‌ ନେତା ବିଜୟ ମହାପାତ୍ରଙ୍କୁ ତାଙ୍କ ସମର୍ଥକମାନେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଛନ୍ତି। ଏଥିପାଇଁ ଆୟୋଜିତ ସମାବେଶରେ ବିଜୟ ଆଗାମୀ ନୂଆବର୍ଷରେ କେନ୍ଦ୍ରାପଡ଼ାରୁ ହିଁ ରାଜନୈତିକ ପରିବର୍ତ୍ତନର ଘୋଷଣା କରାଯିବ ବୋଲି କହିଛନ୍ତି।

କିଛିଦିନ ତଳେ ବିଜୟ ବିଜେପିରୁ ଇସ୍ତଫା ଦେଇଥିଲେ। ଠିକ୍‌ ସେହିଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅନ୍ୟତମ ବରିଷ୍ଠ ନେତା ଦିଲୀପ ରାୟ ବି ଦଳ ଛାଡ଼ିଥିଲେ। ଦଳ ତ୍ୟାଗ ପରେ ବିଜୟ ଆଜି ପ୍ରଥମଥର ପାଇଁ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲେ। ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଜବାୟାଣୀ ପୀଠଠାରେ ଏଥିପାଇଁ ଏକ ସମାବେଶର ଆୟୋଜନ କରାଯାଇଥିଲା। ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ସେ କୌଣସି ସ୍ପଷ୍ଟ ବାର୍ତ୍ତା ରଖି ନ ଥିଲେ ବି ଦିଲୀପ ରାୟ ବିଦେଶରୁ ଫେରିବା ପରେ ଭବିଷ୍ୟତ ରାଜନୀତି ସଂପର୍କରେ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଥିଲେ।
ଏଥିସସହିତ, ବିଜୟ ସିଧାସଳଖ କୌଣସି ରାଜନୈତିକ ଦଳକୁ ଟାର୍ଗେଟ୍‌ ନ କରି ବିଜେପିକୁ ପରୋକ୍ଷରେ କଟୁ ସମାଲୋଚନା କରିଥିଲେ। ବିଜୟ କହିଥିଲେ ଯେ ୫ଟି ରାଜ୍ୟରେ ଦେଶବାସୀଙ୍କ ଦ୍ବାରା ପରିବର୍ତନ ଆଭାସ ସ୍ପଷ୍ଟ ହୋଇଛି। ଆସନ୍ତା ନିର୍ବାଚନ ସାରା ଭାରତରେ ଏମିତି ଏକ ପରିବର୍ତନ ଆଣିବ ତାକୁ କେହି ବଦଳାଇ ପାରିବେ ନାହିଁ।

ସମାବେଶରେ ମହାକାଳପଡ଼ା, କେନ୍ଦ୍ରାପଡ଼ା, ଡେରାବିଶ, ପଟ୍ଟାମୁଣ୍ତାଇ, ରାଜନଗର, ଆଳି, ଗରଦପୁର, ଜଗତସି˚ହପୁର, କୁଜଙ୍ଗ, ପାରାଦୀପରୁ ବିଜୟଙ୍କ ସମର୍ଥକମାନେ ଏକାଠି ହୋଇଥିଲେ। ଏଥିରେ ଭାବବିହ୍ବଳ ହୋଇ ବିଜୟ କହିଥିଲେ ଯେ, ସେ ଦୀର୍ଘ ବର୍ଷ ଧରି ରାଜନୈତିକ କ୍ଷମତାରେ ନ ଥିଲେ। ଆଜି ଲାଗୁଛି ମହାକାଳପଡ଼ାରେ ନିର୍ବାଚନ ହେଉଛି। ୨୦୦୪ରୁ ସେ ଅନେକ ନିର୍ଯାତନା ସହିଛନ୍ତି। ତାଙ୍କ ସହିତ ୧୮ ବର୍ଷ ଧରି କଷ୍ଟ, ନିର୍ଯାତନା ସହି ଯେଉଁମାନେ ଅଛନ୍ତି, ସେମାନଙ୍କ ଆଖିରେ ସେ ଲୁହ ଦେଖିଛନ୍ତି। ସେମାନେ ମଧୢ ତାଙ୍କ ଲୁହ ଦେଖିଛନ୍ତି। ୨୦୧୯ରେ ଆମେ ସେ ଆଖି ଲୁହ ପୋଛିବା ବୋଲି ସେ ନିଜର ସମର୍ଥକଙ୍କୁ ଆଶ୍ବାସନା ଦେଇ କହିଥିଲେ।

ସୁକାନ୍ତ କୁମାର ଦ୍ବିବେଦୀଙ୍କ ସ˚ଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲା ପରିଷଦ ସଭ୍ୟ ଗଣେଶ ପ୍ରସାଦ ସାମଲ, ବିଜୟ କୁମାର ସାହୁ, ମମତାମୟୀ ସାମଲ, ବିଜୟ ସ୍ବାଇଁ, ଅମ୍ବିକା ପ୍ରସାଦ ପରିଡା, କୁଳମଣି ଚୌଧୁରୀ, ଅନ୍ନଦା ପ୍ରସାଦ ତ୍ରିପାଠୀ, ମମତା ସାମଲ, ପ୍ରଶାନ୍ତ ସାମଲ, ଅମୀୟ ରଂଜନ ଲେଙ୍କା, ବିଭୁ ପ୍ରସାଦ ପଣ୍ତା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର