ଗରଦପୁର: ପାଟକୁରା ନିର୍ବାଚନକୁ ନେଇ ବନ୍ତଳା ଗ୍ରାମରେ ବିଜେପି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି। ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ପୁଲିସକୁ ମୃଦ୍ୟୁ ଲାଠିଚାଳନା କରିବାକୁ ପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ପୂର୍ବାହ୍ନ ୧୧ଟାରେ ବିଜେପିର କେତେଜଣ କର୍ମକର୍ତ୍ତା ବନ୍ତଳା ଗ୍ରାମରେ ଥିବା ବିଜେଡି ଅଫିସ୍ ଆଗରେ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀମାନେ ମଧ୍ୟ ବିଜେପି କର୍ମୀଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ ବନ୍ତଳା ପ୍ରାଇମେରୀ ସ୍କୁଲ ନିକଟ ରାସ୍ତା ଉପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କିଛି ସମୟ ଯୁକ୍ତିତର୍କ ପରେ ଉତ୍ତେଜନା ବଢ଼ିଥିଲା ଓ ସେମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଖବରପାଇ ପାଟକୁରା ଥାନା ଏଏସଆଇ ରବୀନ୍ଦ୍ର କୁମାର ବେଉରିଆଙ୍କ ନେତୃତ୍ବରେ ପୁଲିସ ପେଟ୍ରୋଲିଂ ଗାଡି ସେଠାରେ ପହଞ୍ଚିଥିଲା। ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ପୁଲିସ ସେଠାରେ ମୃଦ୍ୟୁ ଲାଠିଚାଳନା କରିଥିଲା। ପରିସ୍ଥିତି ସାମାନ୍ୟ ଶାନ୍ତ ପଡ଼ିବାରୁ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ସେମାନେ ସେଠାରୁ ପଳାଇ ଯାଇଥିଲେ।