ବିଜେପିର ମିଶ୍ରଣପର୍ବ : ଯୋଗଦେଲେ ବିଜେଡିର ପୂର୍ବତନ ବିଧାୟକ

କେନ୍ଦ୍ରାପଡା : ବିଜେପିର ଅସନ୍ତୁଷ୍ଟ କର୍ମୀମାନେ ଯେଉଁଭଳି ଭାବେ ବିରୋଧ କରିବେ ବୋଲି ଘୋଷଣା କରିଥିଲେ, ସେମିତି କିଛି ଘଟିଲାନି। କାଁ ଭାଁ ପୋଷ୍ଟର, ପ୍ରଚାରପତ୍ର ଚିରିବା ଘଟଣାକୁ ବାଦ୍‌ଦେଇ ବିଜେପିର ମିଶ୍ରଣ ପର୍ବ ଶାନ୍ତି ଶୃଙ୍ଖଳା ସହ ସଂପନ୍ନ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜନଗରର ପୂର୍ବତନ ବିଧାୟକ ଅଲେଖଚନ୍ଦ୍ର ଜେନା ଓ ମହାକାଳପଡ଼ାର ବରିଷ୍ଠ ନେତା ବିଜୟ ପ୍ରଧାନ ଏବଂ ସେମାନଙ୍କ ସମର୍ଥକମାନେ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ କଷଣଅଣ୍ଟା ଯାତ୍ରା ପଡ଼ିଆଠାରେ ଏହି ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ କେନ୍ଦ୍ରାପଡ଼ାର ଦୁଇ ଦିବଗଂତ ନେତା ନଳିନୀ ମହାନ୍ତି ଓ ଶରତ ଦେବଙ୍କ କଥା କହି ଲୋକମାନଙ୍କ ଭାବାବେଗକୁ ଛୁଇଁବାକୁ ଉଦ୍ୟମ କରିଛନ୍ତି। ସେ କହିଥିଲେ ଯେ, ଏହି ଦୁଇନେତା ଉପକୂଳ ଅଞ୍ଚଳର ବିକାଶ ଚାହୁଁଥିଲେ। ମାତ୍ର, ବର୍ତ୍ତମାନର ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ, କେନ୍ଦ୍ର ସରକାରଙ୍କୁ ହିସାବ ମାଗୁଥିବା ଶ୍ରୀ ଦେବଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭାକୁ ପଠାଇଛନ୍ତି। ମାତ୍ର, ତାଙ୍କ ଅଞ୍ଚଳ ସର୍ବାଧିକ ଅବହେଳିତ। ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ଏହି ସରକାର ଅମଳରେ ବିକାଶ ପଚାଶ ବର୍ଷ ପଛକୁ ଚାଲିଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର