ଅନ୍ଧବିଶ୍ବାସର ସ୍ଥାନ ନାହିଁ! : ମୃତ ପତ୍ନୀଙ୍କ ପେଟ ଚିରିଲା ସ୍ବାମୀ, ଗର୍ଭସ୍ଥ ଶିଶୁକୁ ପାଣିରେ ଭସାଇ ଦେଲା

ମହାକାଳପଡ଼ା : ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମଣିଷ କ’ଣ କରିପାରେ, କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ଅଞ୍ଚଳରେ ତାହାର ଏକ ଜୀବନ୍ତ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଲୋକ ନିଜ ମୃତ ପତ୍ନୀଙ୍କ ପେଟ ଭିତରୁ ମଲାଶିଶୁକୁ କାଢ଼ିବା ସହିତ ପାଣିରେ ଭସାଇ ଦେଇଛନ୍ତି। କିଛି ଲୋକଙ୍କ ଅନ୍ଧବିଶ୍ବାସ ଦ୍ବାରା ପ୍ରଭାବିତ ହୋଇ ସେ ଏପରି କରିଥିବା କହିଛନ୍ତି।

ଏହି ବ୍ୟକ୍ତି ଜଣକ ହେଲେ, ପଟ୍ଟାମୁଣ୍ତାଇ ବ୍ଲକ ବଡ଼ମୋହନପୁର ପଞ୍ଚାୟତ ଭୂଇଁପଡ଼ା ଗ୍ରାମର ଭାସ୍କର ମଳିକ ଓରଫ ବୋଧି। ବୋଧିଙ୍କ ପତ୍ନୀ ମମତା ଓ ସେମାନଙ୍କର ୩ ଝିଅ ଅଛନ୍ତି। ଚତୁର୍ଥ ଥର ଗର୍ଭବତୀ ହୋଇଥିଲେ ମମତା। ଦୁଇଦିନ ପୁର୍ବରୁ ସେ ପ୍ରସବ ଯନ୍ତ୍ରଣା ଭୋଗିବା ଆରମ୍ଭ କରିବା ପରେ ବୋଧି ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ନେଇ ଯାଇଥିଲେ। ଅବସ୍ଥା ଭଲ ନଥିବାରୁ ଏହାପରେ ତାଙ୍କୁ କଟକ ସ୍ଥାନା‌ନ୍ତର କରାଯାଇଥିଲା। ମାତ୍ର, ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ମମତାଙ୍କ ମୃତଦେହ ନିଜ ଗ୍ରାମକୁ ଆଣି ସତ୍କାର କରିବାକୁ ବୋଧି ଯୋଜନା କରୁଥିବାବେଳେ ଗ୍ରାମର କେତେକ ବ୍ୟକ୍ତି ବାରଣ କରିଥିଲେ। ପରମ୍ପରା ଅନୁଯାୟୀ ପିଲା ପେଟରେ ଥିବା ବେଳେ ମହିଳାଙ୍କ ମୃତ୍ୟୁ ହୋଇଥିବାରୁ ସେ ଚିରଗୁଣି ହୋଇପାରନ୍ତି ବୋଲି କହିଥିଲେ। ତେଣୁ ତାଙ୍କର ପେଟ କାଟି ଗର୍ଭସ୍ଥ ଶିଶୁକୁ ବାହାର କରିବା ପାଇଁ ପରାମର୍ଶ ଦେଇଥିଲେ। ବୋଧି ବି ଏହି ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ଘରଠାରୁ ପାଖାପାଖି ୫ କିଲୋମିଟର ଦୂର ଦୂର ଗୋବରୀ ନଦୀ କୂଳ ନିକଟକୁ ମୃତ ପତ୍ନୀଙ୍କୁ ଆଣିଥିଲେ। ତାଙ୍କ ପେଟକୁ ଚିରି ଗର୍ଭସ୍ଥ ମୃତ ଶିଶୁକୁ ବାହାର କରି ପାଣିରେ ଭସାଇ ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ଼ ଜମିଥିଲା। ମହିଳାଙ୍କୁ କଦଳୀ ଗଛକୁ ଡେ଼ରି ବସାଯାଇଥିବା ବେଳେ ତାଙ୍କ ପେଟ ଚିରାଯାଇ ସିଲେଇ କରାଯାଇଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକଙ୍କ ପରାମର୍ଶ ଅନୁଯାୟୀ ଏପରି କରିବାକୁ ବାଧ୍ୟ ହୋଇଥିବା ବୋଧି କହିଥିଲେ। ତନ୍ତିଆପାଳ ପୁଲିସ୍‌ର ହସ୍ତକ୍ଷେପ ଫଳରେ ମମତାଙ୍କ ଶବକୁ ସେଠାରୁ ନେଇ ପରିବାର ଲୋକେ ଅନ୍ତିମ ସତ୍କାର କରିଥିବା ଜଣାପଡ଼ିଛି।

ଆଦିବାସୀ ପ୍ରଭାବିତ ଅଞ୍ଚଳରେ ଏହିଭଳି ଘଟଣା ଘଟୁଥିବାବେଳେ କେନ୍ଦ୍ରାପଡ଼ା ଭଳି ଏକ ଅପେକ୍ଷାକୃତ ଆଗୁଆ ଜିଲ୍ଲାରେ ଏପରି ଘଟଣା ଘଟିବା ସଭ୍ୟ ସମାଜରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର