ଚାରିଦିନ ହେଲା ପଡ଼ିରହିଛି ମା, ଝିଅଙ୍କ ମୃତଦେହ, ଆଇଆଇସି, ତହସିଲଦାରଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ରାଜନଗର : ଚାରିଦିନ ହେଲା ଘର ଆଗରେ ମା ଝିଅଙ୍କ ଶବ ପଡ଼ିଥିଲେ ମଧ୍ୟ ସତ୍କାର ହେଉନାହିଁ । କାରଣ ଗ୍ରାମବାସୀଙ୍କ ଗୋଟିଏ ଜିଦ୍ , ପ୍ରଥମେ ହତ୍ୟାକାରୀଙ୍କୁ ଗିରଫ କର, ତାପରେ ଗାଁ ଦାଣ୍ଡରୁ ଶବ ଉଠିବ । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇଥିବା ତହସିଲଦାର,ଆଇଆଇସି ଓ ବିଡିଓଙ୍କୁ ଅଟକ ରଖିଛନ୍ତି ।
ସୂଚନା ଅନୁସାରେ ରାଜନଗର ମହୁଲିଆ ପଂଚାୟତ ମାଣପଡା ଗାଁର ପତିତପାବନ ନାଥଙ୍କ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା ଅଭିଯୋଗ ହୋଇଛି । ପତିତପାବନଙ୍କ ସ୍ତ୍ରୀ ପ୍ରମିଳା ୧୯ ତାରିଖରୁ ନିଖୋଜ ଥିଲେ । ପରଦିନ ତାଙ୍କ ମୃତଦେହ ହଂସୁଆ ନଦୀରୁ ମିଳିଥିଲା । ସେହିପରି ତାଙ୍କ ଝିଅ ସତ୍ୟପ୍ରିୟାଙ୍କର ମୃତଦେହ ଗାଁର ଏକ ପୋଖରୀରୁ ମିଳିଥିଲା ।
ଆଶ୍ଚର୍ଯ୍ୟର କଥା ହେଉଛି ସତ୍ୟପ୍ରିୟାଙ୍କ ଶବ ବ୍ୟବଛେଦ ପରେ ତାଙ୍କ ପେଟରେ ୮ ମାସର ଶିଶୁ ଥିବା ଜଣାପଡିଥିଲ। । ଦୁହିଁଙ୍କ ଶବ ବ୍ୟବଛେଦ ପରେ ସଂପର୍କୀୟ ମୃତଦେହ ଦୁଇଟିକୁ ନେଇ ପତିତପାବନଙ୍କ ଘର ଦୁଆର ମୁହଁରେ ଥୋଇ ଦେଇ ଆସିଥିଲେ । ହଠାତ୍ ନିଖୋଜ ହୋଇଯିବା ଓ ପରେ ମୃତଦେହ ମିଳିବା ବଡ ସନ୍ଦେହ ସୃଷ୍ଟି କରିଛି । ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରି ଗ୍ରାମବାସୀ ଶବ ସତ୍କାର କରିବାକୁ ମନା କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । ହେଲେ ଏ ଯାଏଁ କାହାରିକୁ ଗିରଫ କରାଯାଇନଥିବାରୁ ହତ୍ୟାକାରୀର ଗିରଫ ଦାବିରେ ଜିଦରେ ଅଡି ବସିଛନ୍ତି ଗ୍ରାମବାସୀ ।

ସମ୍ବନ୍ଧିତ ଖବର