କେନ୍ଦ୍ରାପଡ଼ା : କିଏ ଖାଇଗଲା ୨୮ଶହ କାଜୁ ଗଛ, ଦୁର୍ନୀତିର ପ୍ରମାଣ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

କେନ୍ଦ୍ରାପଡ଼ା, (ସୁବ୍ରତ ସାମଲ): କ୍ଷେତରେ ଚିହ୍ନବର୍ଣ୍ଣ ନାହିଁ। କିନ୍ତୁ ଖାତାରେ ୧୪ ହେକ୍ଟର‌୍‌ ଜମିରେ ୨୮୦୦ କାଜୁ ଗଛ ଲାଗିଥିବା ଦର୍ଶାଯାଇ ୨୦ ଲକ୍ଷରୁ ଅଧିକ ଟଙ୍କାର ବିଲ୍‌ ଉଠାଇ ନିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଳା ଗରଦପୁର ବ୍ଲକ୍‌ କୁଦାନଗରୀରେ କାଜୁ ବଗିଚା ନାଁରେ ଉଦ୍ୟାନ ବିଭାଗ କରିଥିବା ଏହି ଆଖିବୁଜା ଦୁର୍ନୀତିର ତଦନ୍ତ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କୌତୁହଳର କଥା ହେଉଛି, ଖାତାରେ ୨୮୦୦ ଗଛ ଲାଗିଥିବା ଦର୍ଶାଯାଇଥିବା ବେଳେ ତଦନ୍ତ ଅଧିକାରୀ ଭାବେ ପ୍ରକଳ୍ପସ୍ଥଳକୁ ଯାଇଥିବା ଡିଆର‌୍‌ଡିଏ ପିଡି କିନ୍ତୁ କ୍ଷେତରେ ମାତ୍ର ୩୫ଟି ଗଛ ଥିବା ଦେଖିବାକୁ ପାଇଛନ୍ତି। କେବଳ ସେତିକି ନୁହେଁ, ଲୋକାୟୁକ୍ତ ଟିମ୍‌ ବି ଇତିମଧୢରେ ଘଟଣାର ସରଜମିନ୍‌ ତଦନ୍ତ କରିଗଲେଣି। ହେଲେ ପିଡିଙ୍କ ତଦନ୍ତ ରିପୋର୍ଟରେ ଏହି କେଳେଙ୍କାରୀ ପାଇଁ ଉଦ୍ୟାନ ବିଭାଗର ଦୁଇ ସହକାରୀ ନିର୍ଦେଶକ ଓ ଜଣେ କ୍ଷେତ୍ର ସ˚ପ୍ରସାରଣ କର୍ମଚାରୀଙ୍କ ନାମ ଉଲ୍ଲେଖ ଥିବା ବେଳେ ଅଦ୍ୟାବଧି କିନ୍ତୁ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କେଳେଙ୍କାରୀର ଆଉ କି ପ୍ରକାର ଚାକ୍ଷୁସ ପ୍ରମାଣ ମିଳିଥିଲେ ଅସାଧୁ ଅଧିକାରୀଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ହେଇଥାନ୍ତା ବୋଲି ଏବେ କେବଳ ପ୍ରଶ୍ନ ଉଠୁନି, ବର˚ ପ୍ରଶାସନର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ ସହେନ୍ଦ ସୃଷ୍ଟି ହେଉଛି।

ଗରଦପୁରର ଏହି ପ୍ରସିଦ୍ଧ କୁଦାନଗରୀ ପୀଠକୁ ସବୁଜବନାନୀ ପାଇଁ କାଜୁ ବଗିଚା ସୃଷ୍ଟି କରିବାକୁ ଯୋଜନା ହୋଇଥିଲା। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଯୋଜନାରେ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକବର୍ଷରେ ଏଥିନିମନ୍ତେ ତିନି ପର୍ଯ୍ୟାୟରେ ୪୨ଲକ୍ଷ ୯୧ହଜାର ୭୦୦ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୧୫-୧୬ରେ ୪ହେକ୍ଟର‌୍‌ ଜମିରେ ୮୦୦ କାଜୁ ଗଛ ପାଇଁ ୧୨ଲକ୍ଷ ୨୬ହଜାର ୨୦୦ଟଙ୍କା, ଦ୍ବିତୀୟ ପର୍ଯ୍ୟାୟ ୨୦୧୬-୧୭ରେ ୬ହେକ୍ଟର‌୍‌ ଜମିରେ ୧୨୦୦ଗଛ ପାଇଁ ୧୮ଲକ୍ଷ ୩୯ହଜାର ୩୦୦ଟଙ୍କା, ତୃତୀୟ ପର୍ଯ୍ୟାୟରେ ୪ହେକ୍ଟର‌୍‌ ଜମିରେ ୮୦୦ଗଛ ପାଇଁ ୧୨ଲକ୍ଷ ୨୬ହଜାର ୨୦୦ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିଲା। ତଦନୁଯାୟୀ, ୧୪ହେକ୍ଟର‌୍‌ ବା ୩୫ଏକର ଜମିରେ ୨୮୦୦ କାଜୁ ଗଛ ଲାଗିଥିବା ଦର୍ଶାଯିବା ସହ ଏ ବାବଦରେ ୨୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଇଛି। କିନ୍ତୁ ବାସ୍ତବରେ କ୍ଷେତରେ ୨ ପ୍ରତିଶତ ଗଛ ବି ନାହିଁ। ଉଦ୍ୟାନ ବିଭାଗର ଅଧିକାରୀ ସଫେଇ ଦେଉଛନ୍ତି ଯେ ଗଛ ଲଗାଇଥିଲୁ, ମରିଗଲା।

ଏଣେ ପିଡି କହିଛନ୍ତି ଯେ କ୍ଷେତରେ ମାତ୍ର ୩୫ଟି ଗଛ ଥିବା ଦେଖିବାକୁ ପାଇଛି। ଦୁଇ ସହକାରୀ ଉଦ୍ୟାନ ଓ କୃଷି ନିର୍ଦେଶକ ବିଷ୍ଣୁଚରଣ ଦାସ, ମଧୁସୂଦନ ଦଳାଇ, ଉଦ୍ୟାନ କ୍ଷେତ୍ର ସ˚ପ୍ରସାରଣ କର୍ମଚାରୀ ପ୍ରଶାନ୍ତ ରାଉତରାୟ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ଦାୟିତ୍ବରେ ଥିଲେ। ସେମାନଙ୍କ ମଧୢରୁ ଦୁଇ ସହକାରୀ ନିର୍ଦେଶକ ଶ୍ରୀ ଦାସ ଓ ଶ୍ରୀ ଦଳାଇ ବଦଳି ହୋଇ ଯଥାକ୍ରମେ ଯାଜପୁରର ବରୀ ଏବ˚ ମାଲକାନଗିରିରେ କାମ କରୁଛନ୍ତି। ଦଣ୍ତ ଦେବା ଅଧିକାର ମୋ’ର ନାହିଁ। ଏଣୁ ଜିଲ୍ଲାପାଳ ହିଁ ତଦନ୍ତ ରିପୋର୍ଟ ଆଧାରରେ ଯାହା କିଛି ପଦକ୍ଷେପ ନେବେ। ସେପଟେ ଗତ ଡିସେମ୍ବର ୧୫ତାରିଖରେ ଲୋକାୟୁକ୍ତ ଟିମ୍‌ ବି କୁଦାନଗରୀ ଯାଇ ଘଟଣାର ଖୋଳତାଡ଼ କରି ଫେରିଛନ୍ତି। ହେଲେ କେଳେଙ୍କାରୀର ଜଳଜଳ ପ୍ରମାଣ ଥିବା ସତ୍ତ୍ବେ କେବେ କାର୍ଯ୍ୟାନୁଷ୍ଠାନ ହେବ, ତାହାକୁ ନେଇ ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର