କେନ୍ଦ୍ରାପଡ଼ାର ବିକାଶ ମୁଁ ନିଜେ ଦେଖିବି: ନବୀନ

ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ଼ ସୋ’ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକଙ୍କ ଗହଣରେ ରୋଡ ସୋ’ କରି ଜନସାଧାରଣଙ୍କୁ ନିଜ ମନ କଥା କହିଛନ୍ତି। କେନ୍ଦ୍ରାପଡ଼ାର ତିନିମୁହାଣୀ, ଗୁଲନଗର, ଇନ୍ଦୁପୁର, ଗୋଗୁଆ, ପଟ୍ଟାମୁଣ୍ଡାଇ, ପାତ୍ରପୁର, ଆଜି, ରାଜକନିକା, ଓଳାଭର, ହରିପୁର, ସଫା, ଗୌଡ଼ଗାଁ, ବିଶ୍ୱନକାନୀ, ବରପଦା, ଭଗତପୁର ଓ ଟାଙ୍ଗୀ ଆଦି ବିଭିନ୍ନ ସ୍ଥାନରେ ରୋଡ ସୋ’ କରି ସମବେତ ଜନସାଧାରଣଙ୍କୁ କହିଥିଲେ ଯେ, କେନ୍ଦ୍ରାପଡ଼ାର ବିକାଶ ଦାୟିତ୍ୱ ଏଥିର ସିଧାସଳଖ ଭାବେ ମୁଁ ନିଜେ ଦେଖିବି।

ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡ଼ା ହେଉଛି ବିଜୁ ବାବୁଙ୍କ କର୍ମଭୂମି। ବିଜୁ ବାବୁ କେନ୍ଦ୍ରାପଡ଼ାବାସୀଙ୍କୁ ନିଜର ପରିବାର ଭଳି ଦେଖୁଥିଲେ। ସେ ସଂପର୍କ ଓ ଭାବ ଆଜି ମଧ୍ୟ ରହିଛି।

ଓଡ଼ିଶା ନୁହେଁ, ଓଡ଼ିଶାବାସୀଙ୍କ ଭୋଟ ବିଜେପି ପାଇଁ ମୂଲ୍ୟବାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାମୁଣ୍ଡାଇ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାବାସୀ ନୁହନ୍ତି, ଓଡ଼ିଶାବାସୀଙ୍କ ଭୋଟ ବିଜେପି ପାଇଁ ମୂଲ୍ୟବାନ। ଭୋଟ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଗୋଟିଏ ମାସରେ ୧୦ ଥର ଓଡ଼ିଶା ଆସିଲେଣି କିନ୍ତୁ ଓଡ଼ିଶାବାସୀଙ୍କ ଦୁଃଖ ସମୟରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ୫ ବର୍ଷରେ ଥରୁଟିଏ ବି ସମୟ ଦେଇ ପାରିଲେନି। କେନ୍ଦ୍ରାପଡ଼ା ହେଉଛି ବିଜୁ ବାବୁଙ୍କ କର୍ମଭୂମି। କେନ୍ଦ୍ରାପଡ଼ାର ବିକାଶ ଦାୟିତ୍ୱ ମୋର ବୋଲି ସେ କହିଛନ୍ତି।

ମୁଁ ଏବେ କିଛି ତଥ୍ୟ ଆପଣଙ୍କ ବିଚାର ପାଇଁ ରଖୁଛି। ଆମର ମାନ୍ୟବର ପ୍ରଧାନମନ୍ତ୍ରୀଜୀ ୨୦୧୪ ଅକ୍ଟୋବର ୧୪ରେ ହୁଡହୁଡ ପାଇଁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ୨୦୧୭ ଅଗଷ୍ଟ ୨୬ରେ ବିହାର ବନ୍ୟା ପାଇଁ ଯାଇଥିଲେ। ସେହିବର୍ଷ ଜୁଲାଇ ୨୫ରେ ବନ୍ୟା ପାଇଁ ଗୁଜୁରାଟ ଯାଇଥିଲେ। ୨୦୧୭ ଅଗଷ୍ଟ ୧ରେ ବନ୍ୟା ପାଇଁ ଆସାମ ଯାଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଜଣେ ଯୁବ ଓ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ କେନ୍ଦ୍ରାପଡ଼ାର ଦାୟିତ୍ୱ ଦେଇଥିଲେ। ଭାବିଥିଲେ ଯେ, ସେ ବିକାଶକୁ ଆଗେଇ ନେବା ସହିତ କେନ୍ଦ୍ରପଡ଼ାବାସୀଙ୍କ ସେବା କରିବେ। କେନ୍ଦ୍ରାପଡ଼ାବାସୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭରସାରେ ତାଙ୍କୁ ବିଶ୍ୱାସ କରିଥିଲେ ଏବଂ ଦୁଇ ଦୁଇ ଥର ଲୋକସଭାକୁ ପଠାଇଥିଲେ। କିନ୍ତୁ ସେ ସମସ୍ତଙ୍କ ସହିତ ବିଶ୍ୱାସଘାତକତା କଲେ। ନିଜ ସ୍ୱାର୍ଥ ପାଇଁ କେନ୍ଦ୍ରାପଡ଼ାର ସ୍ୱାର୍ଥକୁ ବଳି ପକାଇଲେ। କେନ୍ଦ୍ରାପଡ଼ାବାସୀ ତାଙ୍କୁ କେବେ କ୍ଷମା ଦେବେ ନାହିଁ। କେନ୍ଦ୍ରାପଡ଼ାବାସୀ ସ୍ୱାଭିମାନୀ। କେନ୍ଦ୍ରାପଡ଼ାର ସ୍ୱାଭିମାନରେ ଆଞ୍ଚ ଆଣୁଥିବା ଲୋକଙ୍କୁ ସେମାନେ କଦାପି ବରଦାସ୍ତ କରିବେ ନାହିଁ। ଏବେ ସେ ଜଣେ ଉଚ୍ଚଶିକ୍ଷିତ, ଲୋକପ୍ରିୟ ବ୍ୟକ୍ତିଙ୍କୁ ସେ କେନ୍ଦ୍ରାପଡ଼ାର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରାପଡ଼ାର ବିକାଶ ଦାୟିତ୍ୱ ଏବେ ସେ ନିଜେ ଦେଖିବେ।

ସମ୍ବନ୍ଧିତ ଖବର