ହସ୍ପିଟାଲରେ ପୁଣି ସଫେଇ ଯାଞ୍ଚ କଲେ ଜିଲ୍ଲାପାଳ

କିନ୍ତୁ ନିଜ ଅଫିସ୍‌!
କେନ୍ଦ୍ରାପଡ଼ା:ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରୁ ଜିଲ୍ଲାପାଳ ରଘୁ ଜୀ. ଆବର୍ଜନା ହଟାଇଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରର ସଫେଇ କାମକୁ ଅଚାନକ ଯାଂଚ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାପାଳ ଆଜି ସକାଳେ ବିଭିନ୍ନ ଓ୍ଵାର୍ଡ଼, ସର୍ଜରୀ ଓ୍ଵାର୍ଡ, ମେଡିସନ୍‌ ଓ୍ଵାର୍ଡ଼ ପ୍ରଭୃତି ବୁଲି ଦେଖି ସଫେଇ ବ୍ୟବସ୍ଥାର ଯାଂଚ କରିଥିଲେ। ଜିଲ୍ଲାପାଳଙ୍କ ଏଭଳି ସ୍ୱଚ୍ଛ ଅଭିଯାନ ଉଦ୍ୟମକୁ କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀ ମହଲ ସ୍ୱାଗତ କରୁଛି । ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଛାତିରେ ମଧ୍ୟ ଛନକା ପଶିଛି । କେବଳ ହସ୍‌ପିଟାଲ ନୁହଁ ସହରର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟରୁ ଅଳିଆ, ଆବର୍ଜନା ହଟାଇବା ପାଇଁ ଉଦ୍ୟମ ହେବା ଜରୁରି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସେମାନଙ୍କ କହିବାନୁସାରେ, ଯେଉଁ ଅବ୍ୟବସ୍ଥା ଶାସନ ସଚିବଙ୍କ ଦୃଷ୍ଟିରେ ପଡ଼ି ନଥିଲା ତାହା ଜିଲ୍ଲାପାଳଙ୍କ ନଜରରୁ ଖସି ନଥିଲା ।
ତେବେ ଜିଲ୍ଲାପାଳ ସ୍ୱଚ୍ଛ ଅଭିଯାନର ନେତୃତ୍ୱ ନେଉଥିବା ବେଳେ ତାଙ୍କ ନିଜ କାର୍ଯ୍ୟାଳୟ ପରିସରର କେତେକ ମୂତ୍ରାଶୟ, ବେସିନ୍‌ରେ ପାନ ଛେପ ଗଦା ହୋଇ ଅପରିଷ୍କାର ପରିବେଶ ସୃଷ୍ଟି କରୁଛି । ସେଗୁଡ଼ିକୁ ସଫା କରାଯାଉ ନାହିଁ। କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ପରିସ୍ରାଗାର ଭିତର ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ବିଡ଼ମ୍ବନା ହେଲା ତଳିଆ କର୍ମଚାରୀମାନଙ୍କର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖାତିର୍‌ ନାହିଁ କି ନିଜେ ସେତିକି ସଚେତନ ହେଉ ନାହାନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣ୍ଡା ଗଣ୍ଡା ସିସି କ୍ୟାମେରା ଖଂଜା ଯାଇଛି । ଷ୍ଟାଫ୍‌ କର୍ମଚାରୀ ସଂଘ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ସଚେତନ ନାଗରିକ ଏହି ଅଫିସ୍‌ ଆସୁଛନ୍ତି । ଅଥଚ ବିକେହୀନ ଭାବେ ଏଠି ସେଠି ପାନ ଛେପ ଗଦା କରୁଛନ୍ତି । ପରିସ୍ରା କରୁଥିବା ସ୍ଥାନରେ ପାଣି ପକାଉ ନାହାନ୍ତି। ପରିବେଶକୁ ପ୍ରଦୂଷିତ କରୁଥିବା ବ୍ୟକ୍ତି ବିଶେଷଙ୍କର ସେଥିପ୍ରତି ଆଦୌ ଖାତିର ନଥିବା ଚର୍ଚ୍ଚାର ବିଷୟ ହୋଇଛି । ହାତ ଅଳସେ ନିଶ ବଙ୍କା ନ୍ୟାୟରେ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟର ଏଭଳି ବିକୃତ ଦୃଶ୍ୟ ପ୍ରତି ନଜର ଦେଇ କଡ଼ା ତାଗିଦ୍‌ କରାଗଲେ ଅବ୍ୟବସ୍ଥା ନିଶ୍ଚେ ସୁଧୁରି ଯାଆନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର