ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ: ଅଭିଯୁକ୍ତ ଶିକ୍ଷକ ଥାନାରେ ଅଟକ

ରାଜନଗର: ହିନ୍ଦୁ ଶାସ୍ତ୍ର ମତେ ହେଉଛି ପବିତ୍ର ଗୁରୁପୂର୍ଣ୍ଣିମା। ସମଗ୍ର ଭାରତବର୍ଷରେ ପବିତ୍ର ଗୁରୁ ପୂର୍ଣ୍ଣିମାରେ ଆଶ୍ରମଠୁଁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ଗୁରୁଙ୍କୁ ପୂଜା, ବନ୍ଦନା କରାଯାଉଥିବା ବେଳେ ରାଜନଗର ବ୍ଲକର ବନ୍ଧପଡା ଗ୍ରାମପଂଚାୟତ ଉଚ୍ଚ ବିଦ୍ୟାଳୟରେ ଶିଷ୍ୟାଙ୍କୁ ଗୁରୁଙ୍କ ଅଶ୍ଳୀଳ ଇଙ୍ଗିତ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏପରିକି ଗୁରୁଙ୍କ ଦ୍ବାରା ମାନସିକ ଆଘାତ ପାଇଥିବା ଶିଷ୍ୟାଙ୍କ ଖୁଢୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିବା ସହିତ ପଚରା ଉଚରା ଜାରି ରଖିଛନ୍ତି।
ଅଭିଯୋଗ ମୁତାବକ, ରାଜନଗର ବ୍ଲକ ବନ୍ଧପଡା ଗ୍ରାମପଂଚାୟତ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜନୈକା ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଗଣିତ ଶିକ୍ଷକ ଗୋବିନ୍ଦପୁର ଗାଁର ଅନନ୍ତ ଚରଣ ପାତ୍ର ମନ୍ଦ ଉଦ୍ଦେଶ୍ୟ ରଖି ଶ୍ରେଣୀଗୃହକୁ ଡାକିନେଇ ଅଶ୍ଲୀଳ ଇଙ୍ଗିତ କରିବା ସହିତ ଅସଦାଚରଣ କରିଛନ୍ତି। ପୂର୍ବରୁ ଶିକ୍ଷକ ଅନନ୍ତ ବହୁବାର ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ। ଛାତ୍ରୀଟି ପ୍ରଥମେ ଭୟରେ ଘରେ ଜଣାଇ ନଥିଲେ। ବାରମ୍ବାର ଶିକ୍ଷକଙ୍କ ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ଗତ ୧୧ ତାରିଖରେ ଏ ସଂପର୍କରେ ଘରେ ଜଣାଇଥିଲେ। ପରିବାର ଲୋକେ ଏ ବିଷୟରେ ପ୍ରଧାନଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିକୁ ଜଣାଇଥିଲେ। ଏ ନେଇ ସ୍କୁଲ ଗୃହରେ ଏକ ବୈଠକ ବସିଥିଲା। ବୈଠକରେ ଶିକ୍ଷକଙ୍କ ଏହି ଅମାନବୀୟ କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ଶିକ୍ଷକ ଅନନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କିନ୍ତୁ ଶିକ୍ଷକ ଅନନ୍ତ ନିଜ ଦୋଷକୁ ଅସ୍ବୀକାର କରିଥିଲେ।ଛାତ୍ରୀଙ୍କ ଖୁଡୀ ରାଜନଗର ଥାନାରେ ସଂପୃକ୍ତ ଶିକ୍ଷକ ଅନନ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି। ଏ ସଂପର୍କରେ ଏସ୍‌ଆଇ ବିଭୂତି ରାଉତ କୁହନ୍ତି, ‘‘ଛାତ୍ରୀଙ୍କ ପରିବାର ଲୋକେ ଏ ସଂପର୍କରେ ଅଭିଯୋଗ କରିଛନ୍ତି। ଘଟଣାଟି ସଂଗୀନ ରହିଛି। ସଂପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି’’ ବୋଲି ସେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ ଯେ ସଂପୃକ୍ତ ଶିକ୍ଷକ ଗତବର୍ଷ ଏହି ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଦଣ୍ତିତ ହୋଇଥିଲେ।

ସମ୍ବନ୍ଧିତ ଖବର