କରୋନା କାହାଣୀ! ପରିବାର ପେଟ ପୋଷିବାକୁ କମ୍ପାନି ଚାକିରିରୁ ପାନ ଦୋକାନ

ରାଜନଗର: ରାଜନଗର ବ୍ଲକ୍ ଘଡିଆମାଳ ପଞ୍ଚାୟତ ଜୁଣଗଡି ଗ୍ରାମର କ୍ଷୀରୋଦ ରାଉଳ। ବୟସ-୩୬। ବେଙ୍ଗାଲୁରର ‘ବିଜୟ ନିର୍ମନ୍’ କମ୍ପାନିରେ ଦୀର୍ଘ ୧୮ ବର୍ଷ ସୁପରଭାଇଜର୍ ଭ‌ାବେ କାମ କରି ଆସୁଥିଲେ। ୫ ଭଉଣୀରୁ ୪ ଭଉଣୀଙ୍କ ବିବାହ ସଂପନ୍ନ କରିଛନ୍ତି। ସ୍ବାମୀ ସ୍ତ୍ରୀ, ଦୁଇ ଝିଅ ଆଉ ଜଣେ ଭଉଣୀକୁ ନେଇ ଏବେ ପରିବାର। ବାପା ମା’ ଛେଉଣ୍ଡ କ୍ଷୀରୋଦଙ୍କ ଉପରେ ସଂପୂର୍ଣ୍ଣ ପରିବାରର ଭରଣପୋଷଣ ଦାୟିତ୍ବ। ‘ଅମ୍ଫାନ’ ବାତ୍ୟା ସମୟରେ ବାପାଙ୍କ ହୃଦଘାତରେ ପରଲୋକ ହୋଇଥିଲା। ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ସମୟରେ ସେ ଲକଡାଉନରେ ଘରକୁ ଫେରି ଆସିଥିଲେ।

ବାପାଙ୍କ ଦେହାନ୍ତ ପରେ ପରିବାରରେ କେହି ପୁରୁଷ ଲୋକ ନାହାନ୍ତି। ତା’ଛଡା କରୋନା ଭୟରୁ ଆଉ ବାହାରକୁ ନ ଯାଇ କ୍ଷୀରୋଦ ଏବେ ନିଜ ଗାଁ ଜୁଣଗଡିରେ ଭେରାଇଟି ଷ୍ଟୋର/ପାନଦୋକାନ କରିବାକୁ ବାଧ୍ୟ ହୋଇଛନ୍ତି। ଯାହା ଦି’ ପଇସା ରୋଜଗାର ହେଉଛି ସେଥିରେ ପାଞ୍ଚପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର ହୋଇପଡୁଛି। ସ୍ବଳ୍ପ ରୋଜଗାରରେ ସନ୍ତୁଷ୍ଟ ହେବାକୁ ପଡୁଛି। ଗରିବ ପରିବାର ତାଙ୍କର। ନା ଚାଷ ଜମି ଅଛି ନା କେହି ଚାକିରି କରିଛନ୍ତି। କେବଳ ଏହି କ୍ଷୁଦ୍ର ବ୍ୟବସାୟ ହିଁ ଭରସା। ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାହା ସରିଯିବା ପରେ ଏବେ ବ୍ୟବସାୟ ଉପରେ ପରିବାର ସଂପୂର୍ଣ୍ଣ ନିର୍ଭରଶୀଳ। କରୋନା ହିଁ ରୋଜଗାରର ମାଧ୍ୟମ ବଦଳାଇ ଦେଇଛି।

ସମ୍ବନ୍ଧିତ ଖବର