କରୋନା କାହାଣୀ: କଲୋ‌ମ୍ବୋରୁ ହାତିଆଗଡ଼ି; ଚାକିରି ଗଲା, ଏବେ ଚାଷରେ ମନ

ରାଜନଗର: ରାଜନଗର ବ୍ଲକ୍ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡି ଗ୍ରାମର ଧ୍ରୁବଚରଣ ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନ ବୟସ। ବୟସ ୨୭। ପରିବାରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ଶ୍ରୀଲଙ୍କାର କଲମ୍ବୋରେ ୩ ବର୍ଷ ହେବ ରେନବୋ କନଷ୍ଟ୍ରକ୍ସନରେ ଆସିଷ୍ଟାଣ୍ଟ୍ ସୁପରଭାଇଜର୍ ଭାବେ କାର୍ଯ୍ୟ କରୁଥିଲେ। କରୋନା ସମୟରେ ଶ୍ରୀଲଙ୍କାରେ ଫସି ରହିଥିଲେ। କମ୍ପାନିରେ କାମ ମଧ୍ୟ ବନ୍ଦ ହୋଇଗଲା। ଘରକୁ ଫେରିବାକୁ ଚାହିଁଲେ ବି ବିମାନ ଚଳାଚଳ କରୁ ନ ଥିବାରୁ ହଠାତ୍‌ ଘରକୁ ଫେରି ପାରିଲେନି। ପରବର୍ତ୍ତୀ ସମୟରେ ଜୁନ୍ ୧୩ରେ ଘରକୁ ଫେରି ଆସିଥିଲେ। କରୋନା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସେ ଆଉ ବିଦେଶ ଯିବାକୁ ମନ ବଳାଇଲେ ନାହିଁ। ଗାଁରେ ରହି ଚାଷବାସ ଓ ମୂଲମଜୁରୀ ଲାଗି ପରିବାର ଭରଣପୋଷଣ କରିବାକୁ ନିଷ୍ପତ୍ତି ନେଲେ।

ଏବେ ନିଜ ଜମିରେ ଧାନ ଫସଲ ଅମଳ କରିବା ସହ ଦିନମଜୁରିଆ ଭାବେ କାମ କରି ଦୁଇ ପଇସା ରୋଜଗାର କରୁଛନ୍ତି। ତାଙ୍କ ଉପରେ ପରିବାରର ୧୫ ଜଣ ସଦସ୍ୟ ନିର୍ଭରଶୀଳ। ଗାଁରେ ରହି ସ୍ବଳ୍ପ ଆୟରେ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡୁଛି। ଏବେ ବାହାରକୁ ଯାଇ ଦାଦନ ଖଟିବାକୁ ଇଚ୍ଛା ଥିଲେ ବି ମହାମାରୀ କରୋନାର ଭୟ ରହୁଛି। ପରିବାର ସଦସ୍ୟ ମଧ୍ୟ ପୁଅକୁ ବିଦେଶ ଛାଡିବାକୁ ଭୟ କରୁଛନ୍ତି। ଜଣେ ଶିକ୍ଷିତ ଯୁବକ ହୋଇ ମଧ୍ୟ ସେ ଏହି ପନ୍ଥାକୁ ଆଦରି ନେଇଛନ୍ତି। ଲକଡାଉନ୍ ସମୟରେ ଏକ ସ୍ବେଚ୍ଛାସେବୀ ସଂଗଠନ ଆସୁଛି ମୋ କାଳିଆ ସୁନା ଗ୍ରୁପ୍ ଅଫ୍ ଓଡିଶା ଗଠନ କରି ସେ ଅସହାୟ ବ୍ୟକ୍ତି, ମାନସିକ ଅନଗ୍ରସର ବ୍ୟକ୍ତି, ବନ୍ୟାବିପନ୍ନ, ଅଗ୍ନିବିପନ୍ନଙ୍କୁ ଯଥାସାଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି। ବର୍ତ୍ତମାନ ସମାଜସେବାରେ ତାଙ୍କର ଫୁରସତ୍ ସମୟ ଅତିବାହିତ ହେଉଛି। କରୋନା ହିଁ ତାଙ୍କର ଚିରାଚରିତ ଜୀବନଶୈଳୀକୁ ବଦଳାଇ ନୂଆ ମୋଡରେ ଆଣି ଠିଆ କରାଇଦେଇଛି।

ସମ୍ବନ୍ଧିତ ଖବର