କରିଲୋପାଟଣା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତଳଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଲୁଟ୍ପାଟ୍ କରିଛନ୍ତି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ତଳଗାଁର ରମେଶ ସ୍ୱାଇଁ ଓ ପତ୍ନୀ ଆରତି ଦୁଇଟି ପୃଥକ୍ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଦୃର୍ବୃତ୍ତମାନେ ସିଡ଼ି ଘର ବାଟେ ଭିତରକୁ ପଶିଥିଲେ। ଦୃର୍ବୃତ୍ତମାନେ ପ୍ରଥମେ ରମେଶ ଶୋଇଥିବା ଘରର ବାହାର ପଟୁ ବନ୍ଦକରି ଦେଇଥିଲେ। ଆରତି ଶୋଇଥିବା ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ। ଭୁଜାଲିରେ ତାଙ୍କ ମୁଣ୍ଡ ଓ ନାକକୁ ହାଣି ପକାଇଥିଲେ। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଥିଲେ। ଏଥିସହ ଲୁଟି ନେଇଥିବା ଆସବାସପତ୍ରକୁ ବିଲ ମଝିରେ ଫିଙ୍ଗି ପଳାଇ ଯାଇଥିଲେ।
ସକାଳୁ ପଡୋଶୀମାନେ ଆରତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏ ନେଇ ମାମଲା(୨୨୫/୧୭) ରୁଜୁ କରିଛି। ଡଗ୍ ସ୍କ୍ଵାଡ୍ ଦ୍ୱାରା ଅନୁସନ୍ଧାନ ଜାରି ରହିଛି ବୋଲି ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀ ଜାମେସେଦ ଅଲ୍ଲୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/loot.jpg)