ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଯଅଁରାବାରିମୂଳ ପଞ୍ଚାୟତ ଅର୍ତ୍ତାମୂଳ ଗ୍ରାମର ଭରତ ନାୟକଙ୍କ ପୁଅ ମୃତ୍ୟୁଞ୍ଜୟ(୪୫)ଙ୍କ ସୋମବାର ବିଳମ୍ବିତ ରାତିରେ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। ହେଲେ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପତ୍ନୀ ସାଗରିକା କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରଛନ୍ତି। ଶ୍ୱଶୁର, ଦିଅର ଓ ଶାଶୂ ମିଳିମିଶି ତାଙ୍କୁ ହତ୍ୟା କରି ପୋଡ଼ିଦେଇଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ମାମଲା ରୁଜୁ କରି ମୃତ୍ୟୁଞ୍ଜୟଙ୍କ ବାପା ଓ ସାନଭାଇଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ଘଟଣାରୁ ପ୍ରକାଶ ଯେ, ଅର୍ତ୍ତାମୂଳ ଗ୍ରାମର ଭରତ ନାୟକଙ୍କ ବଡ଼ପୁଅ ମୃତ୍ୟୁଞ୍ଜୟ ସଦର ଥାନା ଅଧୀନ କେନ୍ଦ୍ରାପଡ଼ା ବ୍ଲକ ଭରତପୁର ପଞ୍ଚାୟତ ମେଣ୍ଢାଖିଆ ଗ୍ରାମର ସାଗରିକା ନାୟକଙ୍କୁ ବିବାହ କରିଥିଲେ । କିଛିମାସ ପରେ ସାଗରିକା ବାପଘର ମେଣ୍ଢାଖିଆ ପଳାଇଯାଇଥିଲେ । ସେବେଠାରୁ ଶ୍ୱଶୁର ଘର ସହିତ ତାଙ୍କର କୌଣସି ସମ୍ପର୍କ ରଖି ନ ଥିଲା । ମୃତ୍ୟୁଞ୍ଜୟ ଗାଁରେ ମୂଲ ମଜୁରି ଲାଗି ଚଳି ଆସୁଥିଲେ। ଗତ ସୋମବାର ସନ୍ଧ୍ୟାରେ ଗାଁ ଶେଷମୁଣ୍ଡରେ ଥିବା ଏକ କଲଭର୍ଟ ଉପରେ ଶୋଇଥିବା ଲୋକମାନେ ଦେଖିଥିଲେ ।
କଲଭର୍ଟ ତଳେ ସାଇକଲ ରଖିଥିଲେ। ମଙ୍ଗଳବାର ସକାଳେ କଲଭର୍ଟ ତଳୁ ପରିବାର ଲୋକେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ପରିବାର ଲୋକେ ଗାଁ ଶ୍ମଶାନରେ ମୃତ୍ୟୁଞ୍ଜୟଙ୍କ ଶବ ଦାହ କରିଦେଇଥିଲେ । ମୃତ୍ୟୁଞ୍ଜୟ ଅଧିକାଂଶ ସମୟରେ ମଦ୍ୟପାନ କରୁଥିବା ଓ ଘଟଣାଦିନ ସେ ନିଶାସକ୍ତ ଅବସ୍ଥାରେ କଲଭର୍ଟ ତଳକୁ ଖସି ପଡ଼ିଥିବା ସନ୍ଦେହ କରାଯାଉଛି।
ତେବେ ଦୀର୍ଘ ବର୍ଷ ଧରି ଶ୍ୱଶୁର ଘର ସହ ସମ୍ପର୍କ ନ ଥିବାରୁ ତାଙ୍କ ଶାଶୂଘର ଲୋକ ମାରି ଦେଇଥିବା ସାଗରିକା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ପାଇ ଆଜି କେନ୍ଦ୍ରାପଡ଼ା ଅତିରିକ୍ତ ଏସ୍ପି ଅରୁଣ କୁମାର ଜେନା, ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ସଦର ଥାନା ଅଧିକାରୀ କାବୁଲି ବାରିକ, ସଦର ଥାନା ଏସ୍ଆଇ ଶରତ ଚନ୍ଦ୍ର ଦାସ, ଚାନ୍ଦୋଳ ଫାଣ୍ଡି ଅଧିକାରୀ ତୁଷାରକାନ୍ତ କାନୁନ୍ଗୋ ଏବଂ ଜିଲ୍ଲା ଫୋରେନ୍ସିକ୍ ଲାବ୍ର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିି ଶ୍ମଶାନରୁ ଅସ୍ଥି ଏବଂ ଘରୁ ଖାଲି ମଦ ବୋତଲ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/kdp-1.jpg)