କେନ୍ଦ୍ରାପଡ଼ାରେ ଅଟକି ଯାଇଛି ବିକାଶ : ଜଳସେଚନ ପାଇଁ ୧୬ ବର୍ଷ, ରେଳ ପ୍ରକଳ୍ପକୁ ୨୦

କେନ୍ଦ୍ରାପଡ଼ା : ୧୯୯୯ରେ ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ନୀତିଶ କୁମାର ମାର୍ଶାଘାଇ ନିକଟରେ କରିଥିଲେ ରେଳପଥର ଶିଳାନ୍ୟାସ। ୨୦୦୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ-ମହାକାଳପଡ଼ା ଅଞ୍ଚଳରେ ଜଳସେଚନର ବିକାଶ ପାଇଁ କରିଥିଲେ ଶିଳାନ୍ୟାସ। ଗୋଟିଏ ଶିଳାନ୍ୟାସକୁ ୨୦ ବର୍ଷ ପୂରିବାକୁ ବସିଥିବା ବେଳେ ଆଉ ଗୋଟିଏ ଶିଳାନ୍ୟାସକୁ ବିତିଗଲାଣି ୧୬ ବର୍ଷ। କିନ୍ତୁ ଦୁଇଟିଯାକ ପ୍ରକଳ୍ପ ଶେଷ ହୋଇ ନପାରି ଅଧାରେ ଅଟକିଛି। ଯୋଜନାର ଏଭଳି କଚ୍ଛପ ଗତି କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶକୁ ଅଟକାଇ ଦେଇଛି।

କେନ୍ଦ୍ରାପଡ଼ା ବାଟ ଦେଇ ହରିଦାସପୁର-ପାରାଦୀପ ରେଳପଥ ଯାଉଥିବା ବେଳେ ଏଥିପାଇଁ ୧୯୯୪ରେ ସର୍ଭେ ହୋଇଥିଲା। ୧୯୯୯, ଏପ୍ରିଲ ୪ ତାରିଖରେ ମାର୍ଶାଘାଇଠାରେ ତତ୍‌କାଳୀନ ରେଳମନ୍ତ୍ରୀ ନୀତିଶ କୁମାର ଏହି ୮୨ କିମି ଦୀର୍ଘ ରେଳପଥର ଶୁଭ ଦେଇଥିଲେ। ପ୍ରକଳ୍ପ ପାଇଁ ବ୍ୟୟ ବରାଦ ଏବେ ୧୮୦୦ କୋଟି ଟଙ୍କାରେ ପହଞ୍ଚିିଲାଣି। ୨୦୧୮ସୁଦ୍ଧା ରେଳ ଗଡ଼ିବ ବୋଲି ଘୋଷଣା କରାଯାଇଥିଲେ ବି ସମୟ ଗଡ଼ି ଚାଲିଛି। କାମ ସରୁ ନାହିଁ।

ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲା ନଈନାଳର ଜିଲ୍ଲା ଭାବେ ପରିଗଣିତ। ଜିଲ୍ଲାରେ ପ୍ରବାହିତ ହେଉଛି ୭ଟି ନଦୀ, ୨୭ ଉପ ଓ ଶାଖା ନଦୀ। ଜଳସେଚନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୨ରେ ପଟ୍ଟାମୁଣ୍ଡାଇ ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳ ପାଇଁ ସାଢ଼େ ୭ କୋଟି ଟଙ୍କା ବ୍ୟୟରେ ମାଳିବସା- ବେଣାକନ୍ଦା କ୍ରିକ୍‌ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଭାଟିଣି ନିକଟରେ ମାଳିବସା ବେଣାକନ୍ଦା କ୍ରିକ୍‌ ଜଳସେଚନ ପ୍ରକଳ୍ପର ୧୪ କିମି. ଦୀର୍ଘ କେନାଲ ପାଇଁ ଶୁଭ ଦିଆଯାଇଥିଲା। ଏହାର ୪ଟି ସ୍ଥାନରେ ସ୍ଲୁଇସ୍‌ ନିର୍ମାଣ ହେବାର ଥିଲା। ୩ଟି ସ୍ଲୁଇସ୍‌ ନିର୍ମାଣ ପରେ ଚତୁର୍ଥଥର ନିର୍ମାଣ ସମୟରେ ନିମ୍ନମାନର କାମ ଯୋଗୁଁ ତାହା ଦବିଗଲା। ସେହି ସମୟରୁ ପ୍ରକଳ୍ପ କାମ ବନ୍ଦ ରହିଛି।

ଅନ୍ୟପକ୍ଷରେ, ଏହି ପ୍ରକଳ୍ପର ନିମ୍ନମାନର କାମକୁ ନେଇ ବିଧାନସଭାରେ ତୁମ୍ବି ତୋଫାନ ହେଲା। ଗଠିତ କମିଟି ଦୁର୍ନୀତିର ତଦନ୍ତ କଲେ। ଏହି ପ୍ରକଳ୍ପର ବିଫଳତା ପାଇଁ ତତ୍‌କାଳୀନ ନିର୍ବାହୀ ଯନ୍ତ୍ରୀ, ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଦାୟୀ କରି ତଦନ୍ତ କମିଟି ସେମାନଙ୍କ ଠାରୁ ଦେଢ଼ କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଦ୍ୟାବଧି ସେହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନାହିଁ। ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋବରୀ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ୨୦୧୧ରେ ୩ କୋଟି ଟଙ୍କା ବ୍ୟୟବରାଦରେ ଆଉ ଏକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ କାମ ଏଯାଏ ଆରମ୍ଭ ହୋଇ ପାରିଲା ନାହିଁ। ଗୋବରୀ ପୁନରୁଦ୍ଧାର ତ ହୋଇ ପାରିଲା ନାହିଁ ବରଂ ପ୍ରକଳ୍ପ ବାବଦରେ ୮୦ ଭାଗ ଅର୍ଥ ଚଳୁ ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ପଟ୍ଟାମୁଣ୍ଡାଇ ଠାରେ ୧୭.୫ କୋଟି ଟଙ୍କା ବ୍ୟୟରେ ଏକ ଜଳବିଶୋଧନାଗାର ପାଇଁ ଶୁଭ ଦେଇଯାଇଥିଲେ। କିନ୍ତୁ, ପ୍ରକଳ୍ପ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି । ଶିଳାନ୍ୟାସ ପରେ ବିଭିନ୍ନ ପ୍ରକଳ୍ପର ଏଭଳି ମନ୍ଥର ଗତିରେ ଚାଲୁଥିବାରୁ ସାମଗ୍ରିକ ବିକାଶ ପ୍ରକ୍ରିୟାରେ ବାଧକ ସାଜୁଛି।

ସମ୍ବନ୍ଧିତ ଖବର