ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦ ଖାଲି, ନାଁକୁ ଚାଲିଛି ସ୍ବାସ୍ଥ୍ୟସେବା

ମାର୍ଶାଘାଇ: ମାର୍ଶାଘାଇର ବହୁ ପୁରାତନ ବଜାର, ନୂତନ ବଜାର,ଜାତୀୟ ରାଜପଥ ଅଂଚଳ ଓ ଆଖପାଖ ଅଂଚଳକୁ ନେଇ ଏଠାରେ ଏକ ବୃହତ ସହର ଗଢି ଉଠିଛି। ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ବ୍ୟକ୍ତି ଏଠାରେ ସ୍ଥାୟୀ ଭାବେ ବସବାସ କରି ଏହାର ଲୋକସଂଖ୍ୟା ବୃଦ୍ଧିରେ ସାମିଲ ହୋଇଛନ୍ତି। ମାତ୍ର ଏଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥାରେ କିନ୍ତୁ ସୁଧାର ଆସିପାରି ନାହିଁ। ୧୯୯୩ରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଲାଭ କରିଥିଲେ ହେଁ ଏଠାରେ ବିଶେଷଜ୍ଞ ଡାକ୍ତରପଦବି ପୂରଣ କରାଯିବା ଦୂରେ ଥାଉ ଜଣେ ହେଲେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏଠାରେ ଏମବିବିଏସ୍‌ ଡାକ୍ତରଙ୍କ ସମେତ ଜଣେ ଶିଶୁରୋଗ, ସ୍ତ୍ରୀପ୍ରସୂତି, ମେଡିସିନ୍ ଓ ସର୍ଜରି ବିଶେଷଜ୍ଞ ଡାକ୍ତର ଓ ଜଣେ ମେଡିକାଲ ଅଫିସର ଇନ୍‌ଚାର୍ଜଙ୍କୁ ନିଯୁକ୍ତି ଦିଆଯିବା କଥା। ତେବେ କୌଣସି ବିଭାଗରେ ଜଣେ ହେଲେ ବିଶେଷଜ୍ଞ ଡାକ୍ତର ନ ଥାଇ ଏଠାରେ ନାମକୁ ମାତ୍ର ସ୍ବାସ୍ଥ୍ୟସେବା ଚାଲୁ ରହିଛି। ଦୁଇ ଜଣ ଚୁକ୍ତିଭିତ୍ତିକ ଓ ୩ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ମିଶାଇ ୫ ଜଣ ଡାକ୍ତର କାଁଭାଁ ଡାକ୍ତରଖାନା ଜଗୁଥିବା ବେଳେ ଏକମାତ୍ର ଆୟୁଷ ଡାକ୍ତରଙ୍କ ଭରସାରେ ରୋଗୀ ସେବା ଚାଲିଛି। ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀମାନେ କଟକ, ଭୁବନେଶ୍ବର ଆଦି ସ୍ଥାନରେ ଥିବା ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଗତ ଜୁନ୍‌ ମାସ ୨୩ ତାରିଖରୁ ପାଖାପାଖି ଏକବର୍ଷ ହେବ ଏଡିଏମଓ ପଦୋନ୍ନତି ପାଇ ଡା. ପ୍ରଦୀପ୍ତ ଦାସ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ହେଁ ମାଶାର୍ଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ରରେ ପରିବର୍ତନ ସମ୍ଭବ ହୋଇ ପାରିନାହିଁ। ଡା.ଦାସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରିବାକୁ ପଡୁଥିବାରୁ ସେ ଏଠାକୁ ବେଳେବେଳେ ଯାହା କେବଳ ଦରମାପତ୍ର କାମ କରିବାକୁ ଆସୁଛନ୍ତି।

ଏ ନେଇ ସିଡିଏମ୍ଓ ଡା.ଅନିତା ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ମାର୍ଶାଘାଇରେ କିଛି ସମସ୍ୟା ରହିଛି ସେ ସଂପର୍କରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହି ଆସୁଥିଲେ ହେଁ ତାହାର ସୁଫଳ ମିଳି ପାରିନାହିଁ। ବର୍ତମାନ ଦୈନିକ ୩ଶହରୁ ୪ଶହ ପର୍ଯ୍ୟନ୍ତ ରୋଗୀ ଏଠାକୁ ସ୍ବାସ୍ଥ୍ୟସେବା ପାଇବା ଆଶାରେ ଆସୁଛନ୍ତି। ମାତ୍ର ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ଆୟୁଷ ଡାକ୍ତରଙ୍କ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହି ୨୪ ଘଂଟିଆ ସେବାଯୋଗାଇ ଆସୁଥିବା ଆୟୁଷ ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କୁ ଭଂଗା ଆଜବେଷ୍ଟସ ଛପରତଳେ ମୁଣ୍ତ ଗୁଂଜିବାକୁ ପଡୁଥିଲେ ବି ନୂଆ କ୍ବାର୍ଟର୍ସ ହସ୍ତାନ୍ତର କରାଯାଇପାରିନାହିଁ। ଗତ ବର୍ଷା ଋତୁରେ ସେମାନଙ୍କର କ୍ବାର୍ଟର୍ସରେ ପାଣି ଲହଡି ମାରିବା ପରେ ବି ଏହି ସମସ୍ୟା ପ୍ରତି କାହାରି ନିଘା ନାହିଁ। ସେହିପରି ନୂଆ ମେଡିକାଲ ଗୃହ କାମ ଶେଷ ପର୍ଯ୍ୟାୟରେ ପହଂଚି ଥିଲେବି ତାହା ଶେଷ କରାଯାଇ ହସ୍ତାନ୍ତର କରାଯାଉନାହିଁ। ବ୍ଲକ୍‌ର ୨୪ଟି ପଂଚାୟତର ୧୦୬ ରାଜସ୍ବ ଗ୍ରାମର ୧ଲକ୍ଷ ୩୦ହଜାର ଅଧିବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ତେବେ ବ୍ଲକ ମୁଖ୍ୟାଳୟରେ ଥିବା ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥାରେ ପରିବର୍ତନ ବିନା ସବୁଠି ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେବାନେଇ ଆଶଙ୍କା ଦେଖାଦେଇଛିା ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯିବା ସହ ‘ପାଳି ପ୍ରଥା’ ଉଠାଯିବା ଓ କ୍ବାର୍ଟର୍ସ ହସ୍ତାନ୍ତର କରାଯିବା ଜରୁରୀ ହୋଇପଡିଛି।

ସମ୍ବନ୍ଧିତ ଖବର