ଆଳି: ଯୌତୁକ ଜୁଇରେ ଗତକାଲି ଆଳି ଥାନା ଅଞ୍ଚଳରେ ଦୁଇ ଜଣ ମହିଳା ବଳି ପଡ଼ିଛନ୍ତି। ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକେ ସେମାନଙ୍କୁ ମାରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଦୁଇ ମହିଳା ପ୍ରେମ ବିବାହ କରିଥିଲେ ବୋଲି ଅଭିଯୋଗରୁ ଜଣାପଡିଛି।
ମୃତ ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି, କଳଦିଆ ଗ୍ରାମର ଗୀତାଞ୍ଜଳି। ବିଂଝାରପୁର ଘଣ୍ଟିଆଳି ଗ୍ରାମର ଜ୍ୟୋତ୍ସ୍ନାରାଣୀ ମଲ୍ଲିକ ଆଳି ଥାନାରେ ଦାଏର କରିଥିବା ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି ଯେ, ତାଙ୍କ ଭଉଣୀ ଗୀତାଞ୍ଜଳି କଳଦିଆ ଗ୍ରାମର ମାଧବ ବାରିକଙ୍କ ପୁଅ ଅନୁଜଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହର ୬ ମାସ ପରେ ଅନୁଜ ଯୌତୁକ ବାବଦକୁ ୧ ଲକ୍ଷ ଟଙ୍କା ଦାବି କରି ଗୀତାଞ୍ଜଳିଙ୍କୁ ନିର୍ଯାତନା ଦେଇଥିଲେ। ଗୀତାଞ୍ଜଳିଙ୍କଠାରୁ ଏ କଥା ଜାଣିବା ପରେ ବାପଘର ପକ୍ଷରୁ ୫୦ ହଜାର ଟଙ୍କା ଦିଆଯାଇଥିଲା। କିଛି ଦିନ ପରେ ଅନୁଜ ପଇସା ସରିଗଲାଣି ବୋଲି କହି ପୁଣି ଟଙ୍କା ମାଗିଥିଲେ। ଏଥିସହିତ, ଏକ ହିରୋହୋଣ୍ଡା ମଟରସାଇକଲ ପାଇଁ ଦାବି କରିଥିଲେ। ଆର୍ଥିକ ଅଭାବ ଯୋଗୁ ଗୀତାଞ୍ଜଳିଙ୍କ ପରିବାର ଦାବି ପୂରଣ କରିପାରି ନ ଥିଲେ। ଫଳରେ, ଅନୁଜ ନିର୍ଯାତନା ଦେଇ ଗୀତାଞ୍ଜଳିକୁ ମାରି ଦେଇଛନ୍ତି ବୋଲି ଜ୍ୟୋତ୍ସ୍ନା ଅଭିଯୋଗ କରିଛନ୍ତି।
ଅପର ପକ୍ଷରେ ବିଲିକଣା ଗ୍ରାମର ପ୍ରସନ୍ନ ପରିଡ଼ା ଆଳି ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ପ୍ରିୟମ୍ବଦାଙ୍କୁ ସେହି ଗ୍ରାମର ବୈକୁଣ୍ଠ ସାହୁଙ୍କ ପୁଅ ରଂଜନ ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହ ପରେ ରଂଜନ ତାଙ୍କୁ କ୍ରମାଗତ ଭାବେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଗତକାଲି ରଂଜନ ତାକୁ ଜୀବନରୁ ମାରି ଦେଇ ଖଟ ଉପରେ ଶାଢୀ ଘୋଡାଇ ପକାଇ ଦେଇଥିଲେ ବୋଲି ପ୍ରସନ୍ନ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଉଭୟ ଅଭିଯୋଗ ଆଧାରରେ ଆଳି ପୁଲିସ ଦୁଇଟି ମାମଲା(୧୭,୧୯/୧୮) ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନୁଜଙ୍କୁ ଥାନାରେ ଅଟକ ରଖିଥିବା ବେଳେ ରଂଜନ ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଯୌତୁକ ନେଲା ଦୁଇ ମହିଳାଙ୍କ ଜୀବନ
/sambad/media/post_attachments/wp-content/uploads/2018/02/Dowry.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)