ଆରମ୍ଭ ହେଲା ଦୁର୍ଗାପୂଜା: ପରଦା ଭିତରେ ପୂଜା, ୧୮୦ ପୂଜା କମିଟିକୁ ଅନୁମତି

କେନ୍ଦ୍ରାପଡ଼ା: ଆରମ୍ଭ ହେଲା ଦୁର୍ଗାପୂଜା। କୋଭିଡ୍‌ ପାଇଁ ପୂଜା ମାହୋଲ ନାହିଁ। ପରଦା ଭିତରେ ପୂଜା ପାଇବେ ମା’। ମୂର୍ତ୍ତିର ଉଚ୍ଚତା ୪ଫୁଟ୍‌ ମଧ୍ୟରେ ସୀମିତ ରହିବ। ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ମନା। ସାତରୁ ଅଧିକ ଲୋକ ପୂଜା ମଣ୍ତପରେ ରହିପାରିବେ ନାହିଁ। ପ୍ରଶାସନ ଏପ୍ରକାର କଟକଣା ଲଗାଇବା ସହ ପୂଜା ପାଇଁ ଅନୁମତି ନେବାକୁ ପଡ଼ିବ ବୋଲି ନିର୍ଦେଶନାମା ଜାରି କରିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନର ପୂଜା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖେ ଆବେଦନ କରାଯାଇଥିଲା।

ଆଜି ସୁଦ୍ଧା ୧୮୦ ଆବେଦନ ହୋଇଥିବା ବେଳେ କୋଭିଡ୍‌ ନିୟମ ମାନି ପୂଜା କରିବା ପାଇଁ କମିଟି ପକ୍ଷରୁ ସୁନିଶ୍ଚିତ କରାଯିବା ପରେ ସମସ୍ତଙ୍କୁ ଅନୁମତି ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ ସୂଚନା ଦେଇଛନ୍ତି।
ମହାମାରୀ କରୋନା ପାଇଁ ଚଳିତବର୍ଷ ପୂଜା ମାହୋଲ୍‌ ଫିକା ପଡ଼ିଯାଇଛି। ରଥଯାତ୍ରା ହେଲାନି। ଗଣେଶ ପୂଜାରେ ବି କଟକଣା ଲାଗୁ ହେଲା। ଏବେ ଦୁର୍ଗା ପୂଜା। ସରକାର ଏହି ପାର୍ବଣ ଋତୁରେ ଶ୍ରଦ୍ଧାଳୁଙ୍କ ଗହଳି ବଢ଼ିଲେ କରୋନା ସ˚କ୍ରମଣ ବଢ଼ିବା ଆଶଙ୍କା କରି ସେପ୍ଟେମ୍ବରରୁ ଡିସେମ୍ବର ଭିତରେ ପଡ଼ୁଥିବା ଦୁର୍ଗାପୂଜାଠୁ ଲକ୍ଷ୍ମୀପୂଜା, କାଳୀପୂଜା ଏବ˚ ଅନ୍ୟ ସମସ୍ତ ପ୍ରକାର ପୂଜା ଉପରେ କଟକଣା ଲଗାଇଛନ୍ତି।

ଏହି ମର୍ମରେ ଜିଲ୍ଳା ପ୍ରଶାସନ ବି ଗତ ସେପ୍ଟେମ୍ବର ୧୪ ତାରିଖରେ ସର୍ବସାଧାରଣଙ୍କ ଅବଗତି ନିମେନ୍ତ ଏକ ନିର୍ଦେଶନାମା ଜାରି କରି କୋଭିଡ୍‌ କଟକଣା ଭିତରେ ପୂଜା ହେବ ବୋଲି ଜଣାଇ ଦେବା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ସହର ଓ ଏହାର ଉପକଣ୍ଠରେ ବିଶେଷ କରି ଦୁର୍ଗାପୂଜା ଅପେକ୍ଷା ଲକ୍ଷ୍ମୀପୂଜା ଜାକଜମକରେ ପାଳିତ ହେଉଥିବା ବେଳେ ରାଜନଗର, ପଟ୍ଟାମୁଣ୍ତାଇରେ ଦୁର୍ଗାପୂଜା ଧୁମଧାମ୍‌ରେ ପାଳିତ ହୋଇଥାଏ। କିନ୍ତୁ ଏଥର ଆଡ଼ମ୍ବରପୂର୍ଣ୍ଣ ପୂଜା ଆୟୋଜନରେ କରୋନା ରୋକ୍‌ ଲଗାଇ ଦେଇଛି।

ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ରାଉତଙ୍କ କହିବାନୁଯାୟୀ, ଆବେଦନକାରୀଙ୍କୁ ବିଶେଷ କରି କୋଭିଡ୍‌ ନିୟମାବଳୀ ମାନି ମଣ୍ତପ ଆଗରେ ଗହଳି କିମ୍ବା ସା˚ସ୍କୃତିକ କାର୍ଯ୍ୟକ୍ରମ ନ କରିବା ପାଇଁ କୁହାଯାଉଛି। ଏଥିରେ ଅମାନ୍ୟ ହେଲେ ସ୍ଥାନୀୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାଇ ଦିଆଯାଇଛି।

ଏଥର କ’ଣ ରହିଛି ନିୟମ ଓ କଟକଣା…?

ସ୍ଥାୟୀ ଅଥବା ଅସ୍ଥାୟୀ ମଣ୍ତପରେ ପୂଜା କରିବା ପୂର୍ବରୁ ପ୍ରଶାସନଠୁ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ଆବେଦନ କରିବାକୁ ପଡ଼ିବ।
ମଣ୍ତପ ଭିତରେ ହିଁ ପୂଜା ହେବ। ବାହାରେ ଶ୍ରଦ୍ଧାଳୁଙ୍କ ଗହଳି ରହିବ ନାହିଁ। ମଣ୍ତପର ତିନି ପାର୍ଶ୍ବ ପରଦା ଢଙ୍କାଯିବ। ସମ୍ମୁଖ ପାର୍ଶ୍ବ ବି ପରଦା ଖୋଲା ରହିବେ ବୋଲି ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ମୂର୍ତ୍ତିର ଉଚ୍ଚତା ୪ଫୁଟ୍‌ ଭିତର ସୀମିତ ରହିବ। ସାଧାରଣ ସଭା କଲା ଭଳି ବ୍ୟବସ୍ଥା ରହିବ ନାହିଁ। ପୂଜକ, ପୂଜା କମିଟି ସଦସ୍ୟଙ୍କୁ ମିଶାଇ ୭ରୁ ଅଧିକ ଲୋକ ମଣ୍ତପରେ ରହିପାରିବେ ନାହିଁ। ମଣ୍ତପରେ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ ହେବ। ସାମାଜିକ ଦୂରତା ରକ୍ଷା, ମାସ୍କ୍‌ ପରିଧାନ ସହ ପରିମଳ ଉପରେ ସ୍ଥାନୀୟ ପ୍ରଶାସନ ଦୃୃଷ୍ଟି ଦେବ। ପ୍ରଶାସନ ଦ୍ବାରା ସ୍ଥିରୀକୃତ ସ୍ଥାନରେ ମୂର୍ତ୍ତି ବିସର୍ଜନ ହେବ। କୌଣସି ପ୍ରକାର ସା˚ସ୍କୃତିକ କାର୍ଯ୍ୟକ୍ରମ ଅଥବା ଅନ୍ୟ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ହେବ ନାହିଁ।
ଏହି ନିର୍ଦେଶନାମାକୁ ଜିଲ୍ଲାପାଳ କଡ଼ାକଡ଼ି ପାଳନ କରିବେ। ନିୟମ ଉଲ୍ଲ˚ଘନ ହେଲେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୬ ଏବ˚ ମହାମାରୀ ଆଇନ ୧୯୮୭ର ଧାରା ୫୧ରୁ ୬୦ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର