ପିସ୍ତଲ ଦେଖାଇ ଦାଦା ବଟି ଆଦାୟ : ପୂର୍ବତନ କାଉନସିଲରଙ୍କ ସମେତ ୩ ଗିରଫ

କେନ୍ଦ୍ରାପଡା : ଦୁହୁରିଆ ଠାରେ ଏକ ମଦ ଦୋକାନ ନିକଟରେ ଅଶୋକ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ୧୦ ହଜାର ୫ଶହ ଟଙ୍କା, ସୁନା ମୁଦି ଲୁଟ୍ କରିବା ଅଭିଯୋଗରେ ସଦରଥାନା ପୁଲିସ୍ ପୂର୍ବତନ କାଉନସିଲର ରଶ୍ମିରଂଜନ ଦାସ ଓରଫ୍ ନିଉଙ୍କୁ ଗିରଫ କରିଛି। ତାଙ୍କ ସହିତ ଥିବା ପପୁ ଓ ଅନ୍ୟ ଜଣେ ଯୁବକକୁ ମଧ୍ୟ ପୁଲିସ ଗିରଫ କରିଛି । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଆଇଆଇସି କାବୁଲି ବାରିକ୍ ସୂଚନା ଦେଇଛନ୍ତି । ଗତକାଲି ଦୁହୁରିଆର ମଦ ଦୋକାନ ନିକଟରେ ଅଶୋକଙ୍କୁ ଏହି ତିନି ଜଣ ପ୍ରଥମେ ଧମକ ଦେଇ ବଟି ମାଗିଥିଲେ। ପିସ୍ତଲ ଦେଖାଇ ଭୟଭୀତ କରାଇ ଥିଲେ । ଅଶୋକ ଟଙ୍କା ନ ଦେବାରୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ତନାଘନା କରି ନସିଡ଼ିପୁର ଅଂଚଳରୁ ଏହି ତିନି ଜଣଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ପିସ୍ତଲ ଜବତ କରାଯାଇଛି।

ସମ୍ବନ୍ଧିତ ଖବର