ପାଟକୁରାର ପ୍ରଥମ ବିଧାୟିକା ସାବିତ୍ରୀ

ହାଣ୍ଡିଶାଳରୁ ବିଧାନସଭା

କେନ୍ଦ୍ରାପଡା: ପାଟକୁରା ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରାର୍ଥୀ ଭାବେ ସାବିତ୍ରୀ ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ମହିଳା ବିଧାୟିକା ନିର୍ବାଚିତ ହେବାରେ ସେ ହେଉଛନ୍ତି ୫ମ ମହିଳା । ୧୯୫୨ରୁ ୫୭ ତତ୍କାଳୀନ ପଟ୍ଟାମୁଣ୍ତାଇ ବିଧାନସଭା ଆସନରୁ ରାମରାଜ କୁମାରୀ ଓ ରାଜନଗର ଆସନରୁ ସରସ୍ବତୀ ଦେବୀ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦–୯୫ରେ ଆଳି ବିଧାନସଭା ଆସନରୁ ସୁଶ୍ରୀ ଦେବୀ ଓ ୨୦୧୯–୧୪ରେ ସିପ୍ରା ମଲ୍ଲିକ ଜିଲ୍ଲାରୁ ୪ର୍ଥ ବିଧାୟିକା ଭାବେ ନିର୍ବାଚିତ ହେବାର ଗୌରବ ଅର୍ଜନ କରିଥିଲେ। ସ୍ବର୍ଗତ ବିଜୁବାବୁଙ୍କ ଘନିଷ୍ଠ ଭାବେ ଜଣାଶୁଣା ବିଚକ୍ଷଣ ରାଜନେତା, ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ସହିତ ସଦାସର୍ବଦା ପାଖେପାଖେ ରହି ଆସୁଥିବା ସାବିତ୍ରୀ ଜଣେ ସୁଗୃହିଣୀ । ସିଧା ହାଣ୍ଡିଶାଳରୁ ବିଧାନସଭାକୁ ତାଙ୍କର ଯାତ୍ରା ଏବେ ଚର୍ଚ୍ଚାର ବିଷୟ ହୋଇଛି । କଲେଜ ମାଟି ମାଡ଼ି ନ ଥିଲେ ମଧ୍ୟ ସାବିତ୍ରୀ କେନ୍ଦ୍ରାପଡ଼ାରେ ଏକ ମହିଳା କଲେଜ ପ୍ରତିଷ୍ଠା ପାଇଁ ଅଶୀ ଦଶକରେ ଯେଉଁ ଉଦ୍ୟମ କରିଥିଲେ ସେଥିରୁ ପ୍ରତିଷ୍ଠା ହୋଇଥିଲା ତୁଳସୀ ମହିଳା କଲେଜ । ପାଟକୁରା ବିଧାନସଭା କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାମରେ ଗଲା ୧୦ ବର୍ଷ ହେଲା ବିଧାୟକ ବେଦୁ ବାବୁଙ୍କୁ ପତ୍ନୀ ସାବିତ୍ରୀ ପୂରା ସହଯୋଗ କରୁଥିଲେ । ରାଜନୀତି ପ୍ରତି ରୁଚି ଥିଲେ ସୁଦ୍ଧା ସୁଯୋଗ ନ ଥିଲା । ଏହି ସମୟ ମଧ୍ୟରେ ସେ ପାଟକୁରା ବିଧାନସଭା କ୍ଷେତ୍ରର ପ୍ରତି ଗାଁ ଲୋକଙ୍କ ସହ ସମ୍ପର୍କର ସେତୁକୁ ସୁଦୃଢ କରି ସମସ୍ତଙ୍କ ପ୍ରିୟ ‘ଭାବୀ’ ବନି ଯାଇଥିଲେ । ହାଣ୍ତିଶାଳରେ କମ୍, ରାଜନୀତିରେ ଅବଶ୍ୟ ଅଧିକ ସମୟ ଦେଉଥିଲେ। ବେଦୁ ବାବୁଙ୍କ ଆକସ୍ମିକ ବିୟୋଗରେ ତାଙ୍କୁ ହିଁ ପାଟକୁରା ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବାକୁ ସୁଯୋଗ ଦେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏମିତିକି ୩୦୯ଟି ପଞ୍ଚାୟତରେ ସିଧାସଳଖ କର୍ମୀଙ୍କ ସହ ସମ୍ପର୍କ ସ୍ଥାପନର ଅଭିଜ୍ଞତା ଥିବାରୁ ଖୁବ୍ କମ୍ ଦିନ ମଧ୍ୟରେ ଦଳର ସବୁ କର୍ମୀଙ୍କୁ ଏକାଠି କରିପାରିବାର ସେ ପ୍ରମାଣ ଦେଖାଇ ପାରିଲେ । ଏହାଛଡ଼ା ତାଙ୍କ ସହ ପ୍ରଚାରରେ ଦଳର ବହୁ ତୁଙ୍ଗ ନେତା, ମନ୍ତ୍ରୀ, ବିଧାୟକ ଦିନ ରାତି ଏକାକାର କରି ଏହି ବିଜୟ ଅଭିଯାନକୁ ସାକାର କରିଥିଲେ । ସେ ଅସୁସ୍ଥ ଓ ଆଇସିୟୁରେ ଥିବା ବିଜେପି ଅପପ୍ରଚାର କରୁଛି ବୋଲି ଶ୍ରୀମତୀ ଅଗ୍ରୱାଲ ଅଭିଯୋଗ କରିଥିଲେ ହେଁ ନିର୍ବାଚନ ପ୍ରଚାର ଭିତରେ କେବେ ବି ସେ ପ୍ରତିଦ୍ବନ୍ଦ୍ବୀ ବିଜୟ ମହାପାତ୍ର ଅଥବା ଅନ୍ୟ କାହାକୁ ଟାଗେର୍ଟ୍ କରି ଭାଷଣ ଦେଇ ନ ଥିଲେ । ଆଜି ମଧ୍ୟ ତାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜୟଙ୍କ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କିଛି ବି ମନ୍ତବ୍ୟ ରଖି ନ ଥିଲେ। ପାଟକୁରାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଓ ଘୋଷଣାକୁ ସଫଳ କରିବାକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର