କେନ୍ଦ୍ରାପଡ଼ା : ୬ ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦ୍ରାପଡ଼ାର ଜଣେ ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍) ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଟକସ୍ଥିତ ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏକ ଆବାସ ଯୋଜନାର ଚୂଡ଼ାନ୍ତ ବିଲ୍ କରାଇ ଦେବା ପାଇଁ ସେ ଏହି ଲାଞ୍ଚ ନେଇଥିବା ଜଣାପଡ଼ିଛି।
ଗିରଫ ଜିଆର୍ଏସ୍ ହେଲେ ଉପେନ୍ଦ୍ର ବେହେରା। ସେ କେନ୍ଦ୍ରାପଡ଼ା ବ୍ଲକ୍ କପାଳେଶ୍ୱର ପଂଚାୟତରେ କାର୍ଯ୍ୟ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ଗୃହର ଚୂଡାନ୍ତ ବିଲ୍ ପାଇଁ ସେ ଏହି ପଞ୍ଚାୟତ ଅନ୍ତର୍ଗତ ସମଲପୁର ଗ୍ରାମର ବସନ୍ତ କୁମାର ପରିଡ଼ାଙ୍କ ଠାରୁ ୧୦,୦୦୦ ଟଙ୍କା ଦାବି କରିଥିଲେ। ଏଥିପାଇଁ ସେ ବାରମ୍ବାର ଦଉଡ଼ାଉଥିଲେ। ଶେଷରେ, ୬ ହଜାର ଟଙ୍କା ଦେବା ପାଇଁ ସ୍ଥିର ହୋଇଥିଲା। ତେବେ, ବସନ୍ତ ଏ ନେଇ କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।
ଭିଜିଲାନ୍ସ ଅଧିକାରୀ ଆଜି ସକାଳେ ରାସାୟନିକ ପ୍ରଲେପ ବୋଳା ୩ଟି ଦୁଇ ହଜାର ଟଙ୍କା ଦେଇ ବସନ୍ତଙ୍କ ଜ୍ୱାଇଁ ନୀଳକଣ୍ଠ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା ବ୍ଲକ୍ ଅଫିସ୍କୁ ପଠାଇଥିଲେ। ନୀଳକଣ୍ଠ ଏହି ଟଙ୍କା ଶ୍ରୀ ବେହେରାଙ୍କୁ ଦେଇଥିଲେ। ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ର ନାଥ ରାଏଗୁରୁଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରି ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ଏହାପରେ ତାଙ୍କୁ କଟକ ଅଣାଯାଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
ଇନ୍ସପେକ୍ଟର ବିଜୟ କୁମାର ସେଠୀ, କନେଷ୍ଟବଳ ଜ୍ଞାନରଂଜନ ଦାସ ପ୍ରମୁଖ ଏହି ଚଢ଼ାଉରେ ସାମିଲ୍ ହୋଇଥିଲେ।