କେନ୍ଦ୍ରାପଡ଼ା : ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ହଂସୁଆ ସେତୁ ନିକଟରେ ଗୁଳ ଫୁଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ରାଜନଗର ଗ୍ରାମର ବିଚିତ୍ର କୁମାର ମଳିକ(୪୫)। ସେ ବସ୍ଷ୍ଟାଣ୍ଡରେ ହକର୍ କାମ କରନ୍ତି। ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଫୁଟାଇଛନ୍ତି। ତାଙ୍କ ପିଞ୍ଜରା ତଳେ ଗୁଳି ବାଜିଛି। ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ କଟକ ବଡ଼ ବଡ଼ ମେଡିକାଲ ପଠାଯାଇଛି। ରାଜନଗରରେ ଏହା ପ୍ରଥମ ଗୁଳିକାଣ୍ଡ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଥାଉ କି, ବିଚିତ୍ର ବସ୍ଷ୍ଟାଣ୍ଡରେ ହକରିଂ କାମ କରିବା ସହ ହଂସୁଆ ସେତୁ ନିକଟରେ ତାଙ୍କର ଷ୍ଟେସନାରୀ ଦୋକାନ ରହିଛି। ଆଜି ରାତିରେ ଦୋକାନରେ ଧୂପ ଦେବାକୁ ପାଖରେ ଥିବା ମହାଦେବ ମନ୍ଦିର ନିକଟରୁ ପାଣି ନେଇ ଆସୁଥିଲେ। ଏହି ସମୟରେ ମେଡିକାଲ୍ ଗଡ଼ାଣି ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ରାଜନଗର ମେଡିକାଲ ପଟୁ ଦୁଇ ଜଣ ଯୁବକ ଏକ ପଲସର ବାଇକ୍ରେ ଆସି ପଛ ପଟୁ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଫୁଟାଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।
ଚିତ୍କାର ଶୁଣି ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ସିଲ୍ କରାଯାଇ ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି। ଏସ୍ଡ଼ିପିଓ ଉମାଶଂକର ମହାରଣାଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଦୁର୍ବୃତ୍ତଙ୍କ ପିଛା କରିଥିଲେ ହେଁ ସେମାନଙ୍କ ପତ୍ତା ମଳିନାହିଁ । ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/gun-firing.jpg)