ଶିଳାନ୍ୟାସ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

ଡେରାବିଶ: ୪ ମାସ ପରେ ଡେରାବିଶ ବ୍ଲକରେ ପୁଣି ଫଳକ ଭଙ୍ଗା ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ରାତିରେ ବାଲିଆ ପଞ୍ଚାୟତ ଅଧୀନ ଦେଶପୁର ମଠ ନିକଟରେ ଏକ ପାନୀୟ ପ୍ରକଳ୍ପର ଶିଳାନ୍ୟାସ ଫଳକକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଗତ ମେ’ ୩୦ ତାରିଖରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ଵାଲ୍‌ ଏକାଧିକ ରାସ୍ତା କାଯ୍ୟର୍ ଓ ବାଲିଆ ପଞ୍ଚାୟତର ଦେଶପୁର ମଠ ନିକଟରେ ଉକ୍ତ ପାନୀୟ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ ପୂର୍ବ ରାତିରେ ଗୋଲରାହାଟ ଓ ଖମୋଳ ପଞ୍ଚାୟତରେ ନିର୍ମିତ ଫଳକକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ସକାଳୁ ତରବରିଆ ଭାବେ ଉକ୍ତ ଫଳକ ମରାମତି କରାଯାଇ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ସେହିପରି ପ୍ରଥମ କରି କୁଶିଆପାଳ ବିଦ୍ୟାଳୟରେ ବିଧାୟକଙ୍କ ଏକ ଉଦଘାଟନ ଫଳକକୁ ଦୁର୍ବୃତ୍ତ ଭାଙ୍ଗି ନିକଟସ୍ଥ ଗାଡିଆରେ ପକାଇ ଦେଇଥିଲେ। ଏ ନେଇ ଥାନରେ ଅଭିଯୋଗ ହୋଇଥିଲା। ଏହାର କିଛି ଦିନ ପରେ କୁରୁଜଙ୍ଗା ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ଫଳକକୁ ମଧ୍ୟ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ଯାହାକୁ ନେଇ ସଂପୃକ୍ତ ପଞ୍ଚାୟତ ବିଜେଡି ସଭାପତି ଡେରାବିଶ ଥାନାରେ ଅଭିଯୋଗ କରିଥିଲେ। ୪ମାସ ପରେ ଦେଶପୁର ମଠ ନିକଟ ପାନୀୟ ଜଳ ପ୍ରକଳ୍ପ ଫଳକକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି।

ସମ୍ବନ୍ଧିତ ଖବର