ହୁସିଆର ଜମଧରରେ ଜଗିଛି ‘ଇଣ୍ଟରସେପ୍ଟର‌୍‌’ ଲେନ୍‌ସ; ୫୦ ଡେଇଁଲେ ଦଣ୍ତ

ତିନିମାସରେ ଗଣିଲେଣି ତିନିଲକ୍ଷ ଜରିମାନା; ୪୦ଜଣଙ୍କ ଲାଇସେନ୍ସ ବାତିଲ୍‌

କେନ୍ଦ୍ରାପଡ଼ା: ହୁସିଆର! ଆପଣ କଟକ ପଟୁ କେନ୍ଦ୍ରାପଡ଼ା ଆସୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍‌ ଦଣ୍ତିତ ହେଇପାରନ୍ତି। ଜରିମାନା ଗଣିବା ସହିତ ଆପଣଙ୍କ ଡ୍ରାଇଭି˚ ଲାଇସେନ୍ସ ବି ବାତିଲ୍‌ ହେଇଯାଇପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ଜମଧରରେ ଏଥିପାଇଁ ଜଗିଛି ‘ଇଣ୍ଟରସେପ୍ଟର‌୍‌’ ଲେନ୍‌ସ। ବେଗ ମାପୁଥିବା ଏହି ଲେନ୍ସ ରୂପକ ମେସିନ୍‌ ଧରିଦେଉଛି ଆପଣ କେତେ ସ୍ପିଡ୍‌ରେ ଗାଡ଼ି ଚଳାଇ ଆସୁଛନ୍ତି। ଧାର୍ଯ୍ୟଠୁ ଯଦି ଅଧିକ ବେଗରେ ଚଳାଉଥିବାର ଧରାପଡ଼ିବେ, ତେବେ ଜରିମାନାରେ ଦଣ୍ତିତ ହେବା ସହ ତିନିମାସ ଲାଇସେନ୍ସ ବାତିଲ୍‌ ହେଇଯାଉଛି। ଗଲା ତିନିମାସରେ ଦ୍ରୁତ ବେଗ ଏବ˚ ଲାଇସେନ୍ସ ନ ଥିବା କାରଣ ଯୋଗୁଁ ଖିଲାପିଙ୍କଠୁ ପାଖାପାଖି ୩ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୪୦ଜଣଙ୍କ ଲାଇସେନ୍ସ ବାତିଲ୍‌ ହେଇଥିବା କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ ପଟ୍ଟନାୟକ ସୂଚନା ଦେଇଛନ୍ତି।

କଟକ-ଚାନ୍ଦବାଲି ରାଜ୍ୟ ରାଜପଥ(୯-ଏ) ଏକ ବ୍ୟସ୍ତବହୁଳ ରାସ୍ତା ରୂପେ ପରିଗଣିତ। ପ୍ରତିଦିନ ହଜାର ହଜାର ଗାଡ଼ି ଚଳାଚଳ କରୁଛି। ଚଣ୍ତିଖୋଲ ଭାୟା ଦେଇ ଜାତୀୟ ରାଜପଥରେ ଯା’ଆସ କଲେ ଚଣ୍ତିଖୋଲ ଓ ଟାଙ୍ଗୀ ଟୋଲ ଗେଟ୍‌ରେ ଟିକସ ଦେବାକୁ ପଡ଼ୁଥିବାରୁ ଲୋକମାନେ ଅଧିକ ସ˚ଖ୍ୟାରେ ଏହି ରାସ୍ତାରେ ଯିବାକୁ ପସନ୍ଦ କରୁଛନ୍ତି। ପୁଣି ରାସ୍ତା ଓସାରିଆ ଏବ˚ ଚକାଚକ୍‌ ହେଇଥିବାରୁ ଟ୍ରକ୍‌, ବସ୍‌ଠୁ କାର‌୍‌, ବାଇକ ଯାଏ ସବୁପ୍ରକାର ଗାଡ଼ି ଦ୍ରୁତଗତିରେ ଦୌଡ଼ୁଛନ୍ତି। ଏହି କାରଣରୁ ଅନେକ ସମୟରେ ଦୁର୍ଘଟଣା ଓ ପ୍ରାଣହାନୀ ଘଟୁଥିବାର ନଜିର ରହିଛି। ଦ୍ରୁତ ଗତି ହିଁ ଦୁର୍ଘଟଣାର ପ୍ରମୁଖ କାରଣ ହେଇଥିବାରୁ ସରକାର ଏହାକୁ ନିୟନ୍ତ୍ରଣ କରିବାକୁ କେଉଁ ରାସ୍ତାରେ କେତେ ବେଗରେ ଗାଡ଼ି ଚଳାଯିବ, ତାହା ଧାର୍ଯ୍ୟ କରିଛନ୍ତି।

କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ହେଇଥିବାରୁ ବାଇକ୍‌ ବେଗ ସର୍ବାଧିକ ୫୦କି.ମି ବେଗରେ ରହିବାକୁ ନିୟମ ଥିବା ବେଳେ ଘରୋଇ ପ˚ଜିକୃତ କାର‌୍‌ ବେଗ ୭୦ କି.ମି, ବାଣିଜ୍ୟିକ ପ˚ଜିକୃତ କାର‌୍‌ ବେଗ ୫୦, ଟ୍ରାକ୍ଟର‌୍‌ ଓ ଅଟୋ ୪୦ ଏବ˚ ବସ୍‌ ଇତ୍ୟାଦି ଭାରୀଯାନଗୁଡ଼ିକ ସର୍ବାଧିକ ୫୦କିମି ବେଗରେ ଚାଲିବାର ନିୟମ ରହିଛି। ଉପରୋକ୍ତ ଧାର୍ଯ୍ୟଠୁ ଅଧିକ ବେଗରେ ଗାଡ଼ି ଚଳାଉଥିବାର ‘ଇଣ୍ଟରସେପ୍ଟର‌୍‌’ ଲେନ୍‌ସରେ ଧରାପଡ଼ିଲେ ଦଣ୍ତିତ ହେବାରୁ କେହି ରୋକିପାରିବେ ନାହିଁ। ଜମଧରରେ ଏଥିପାଇଁ ପ୍ରତିଦିନ ଇଣ୍ଟରସେପ୍ଟର‌୍‌ ଲେନ୍ସ ଲାଗିଥିବା ଏକ ଗାଡ଼ି, ଶହ ଶହ ସ˚ଖ୍ୟାରେ ଚାଲୁଥିବା ଗାଡ଼ିଗୁଡ଼ିକର ବେଗ ମାପୁଛି। ଯେଉଁମାନେ ଧାର୍ଯ୍ୟଠୁ ଅଧିକ ବେଗରେ ଚଳାଉଥିବାର ଧରାପଡ଼ୁଛନ୍ତି, ପ˚ଜିକୃତ ଗାଡ଼ି ଠିକଣା ଅନୁଯାୟୀ ସ˚ପୃକ୍ତ ମାଲିକଙ୍କ ନିକଟକୁ ଇ-ଚାଲାଣ ପଠାଇ ଦିଆଯାଉଛି। ଉଲ୍ଳ˚ଘନକାରୀ ବାଇକ୍‌ ଚାଳକ ହେଇଥିଲେ ୨ହଜାର ଟଙ୍କା ଏବ˚ ବସ, ଟ୍ରକ୍‌ ଓ କାର‌୍‌ ହେଇଥିଲେ ୪ହଜାର ଟଙ୍କା ଏଥିପାଇଁ ଦେବାକୁ ପଡ଼ିବ।

ପନ୍ଦର ଦିନ ଭିତରେ ଏହି ଜରିମାନା ଆରଟିଓ କାର୍ଯ୍ୟାଳୟରେ ଦାଖଲ ନ କଲେ ଟ୍ରାନ୍ସପୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ସ˚ପୃକ୍ତ ଗାଡ଼ି ବିରୋଧରେ ମାମଲା(ପିଆର‌୍‌) ରୁଜୁ କରାଯାଉଛି। ଉଲ୍ଲେଖନୀୟ କଥା ହେଉଛି, ନିର୍ଧାରିତ ସମୟସୀମା ମଧୢରେ ଜରିମାନା ଦାଖଲ କଲାବେଳେ ଡ୍ରାଇଭି˚ ଲାଇସେନ୍ସ ଦେବାକୁ ପଡ଼ିବ। ଆଉ ଯେଉଁମାନେ ଦେଇପାରିବେ ନାହିଁ, ଲାଇସେନ୍‌ସ ନ ଥିବା ବାବଦକୁ ସେମାନଙ୍କୁ ଅଧିକ ୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଲାଇସେନ୍ସ ଦାଖଲ କଲେ କେବଳ ଦ୍ରୁତ ଗାଡ଼ି ଚାଳନା ପାଇଁ ଜରିମାନା ଦେବେ ସତ, କିନ୍ତୁ ଲାଇସେନ୍ସକୁ ତିନିମାସ ପାଇଁ ବାତିଲ୍‌ କରିଦିଆଯାଉଛି।

ଗତ ତିନିମାସର ରେକର୍ଡ କହୁଛି ଦ୍ରୁତ ଗାଡ଼ିଚାଳନା ଓ ଲାଇସେନ୍ସ ନ ଥିବା କାରଣ ପାଇଁ ଖିଲାପୀଙ୍କଠୁ ୨ଲକ୍ଷ ୮୮ହଜାର ୬୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ୪୦ଜଣଙ୍କ ଲାଇସେନ୍ସ ବି ବାତିଲ୍‌ ହୋଇଛି। ଅଗଷ୍ଟରେ ୫୩ହଜାର ୪୦୦ଟଙ୍କା ଜରିମାନା ଆଦାୟ କରାଯାଇଥିବାବେଳେ ସେପ୍ଟେମ୍ବରରେ ୧ଲକ୍ଷ ୩୪ହଜାର ୮୦୦ ଟଙ୍କା ଏବ˚ ଅକ୍ଟୋବରରେ ୧ଲକ୍ଷ ୪୦୦ଟଙ୍କା ଖିଲାପି ତଣ୍ତ ଗଣିଛନ୍ତି। ସର୍ବାଧିକ କାର‌୍‌ ଚାଳକମାନେ ହିଁ ନିୟମ ଭାଂଗିଥିବା ଜଣାପଡ଼ିଛି।

ଆର‌୍‌ଟିଓ ନିଖିଲ ପଟ୍ଟନାୟକ କହିଛନ୍ତି ଯେ, ଚଣ୍ତିଖୋଲ ଭାୟା ଦେଇ ଗଲେ ଟୋଲ ଗେଟ୍‌ରେ ଟିକସ ଦେବାକୁ ପଡ଼ୁଥିବାରୁ ଅଧିକା˚ଶ ଲୋକ କଟକ-ଚାନ୍ଦବାଲି ରାସ୍ତାରେ ଯିବାକୁ ପସନ୍ଦ କରୁଛନ୍ତି। ରାସ୍ତା ମଝିରେ ଡିଭାଇଡର‌୍‌ ନାହିଁ। ଭଲ ରାସ୍ତା ହେତୁ ଅନେକ ଚାଳକ ନିୟମକୁ ଅମାନ୍ୟ କରି ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି। ଯେଉଁଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ହ୍ରାସ କରିବା ପାଇଁ ଇଣ୍ଟରସେପ୍ଟର‌୍‌ ମେସିନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଜରିମାନା ଆଦାୟ ଏହାର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ; ବର˚ ଚାଳକଙ୍କ ମଧୢରେ ଦ୍ରୁତ ଗତିର ବିପଦ ସ˚ପର୍କରେ ସଚେତନତା ସୃଷ୍ଟି ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର