୨ ହଜାର ପାଇଁ ଯନ୍ତ୍ରୀଙ୍କୁ ହତ୍ୟା

୩ ଅଭିଯୁକ୍ତ ଗିରଫ; ପିସ୍ତଲ, ବାଇକ୍‌ ଜବତ

କେନ୍ଦ୍ରାପଡ଼ା : ମାତ୍ର ୨ ହଜାର ଟଙ୍କା ନେଇ ଗୁପ୍ତା ପାଓ୍ଵାର ଇନ୍‌ଫ୍ରାଷ୍ଟ୍ରକଚର୍‌ କମ୍ପାନିର ଯୁବ ଇଞ୍ଜିିନିୟର ଦେବାଶିଷ ସାହୁ(୨୭)ଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ଏହିଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’ର ହସ୍ତଗତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ, ପାଟକୁରା ଥାନା ସମାଳ ଗାଁର ଉମାକାନ୍ତ ପଣ୍ଡା(୨୩), ସେହି ଗାଁର ତୋଫାନ୍‌ ପ୍ରଧାନ ଓରଫ ପାପୁନ୍‌ ଓ ଜମପଡ଼ା ରାଇବୋଲର ସୋନୁ ନିଗମ ମହାପାତ୍ର ଓରଫ୍‌ ଗୁଡ଼ୁ(୨୨)। ସେମାନଙ୍କଠାରୁ ପିସ୍ତଲ, ଗୁଳି ଖୋକା, ୫ଟି ମୋବାଇଲ୍‌, ବାଇକ୍‌ ଜବତ କରିଛି। ଦାଦାବଟିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି। ଆଜି ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଆଇଜି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ, ବଟି ଆଦାୟ ପାଇଁ ଅଭିଯୁକ୍ତମାନେ ଦେବାଶିଷ(୨୯)ଙ୍କୁ ଟାର୍ଗେଟ କରିଥିଲେ। ବାଇକ୍‌ରେ ଆସିଥିବା ଉମାକାନ୍ତ ଓ ସୋନୁ ନିଗମ ସବ୍‌ଷ୍ଟେସନ୍‌ ନିର୍ମାଣ ହେଉଥିବା ସ୍ଥାନରେ ପହଞ୍ଚି ଗେଟ୍‌ ପାଖରେ ଠିଆ ହୋଇ ଦେବାଶିଷଙ୍କୁ ଡାକିଥିଲେ। ଉମାକାନ୍ତ ହିଁ ଗୋଟିଏ ଗୁଳି ତାଙ୍କ ପେଟକୁ ଲକ୍ଷ୍ୟ କରି ମାରିଥିଲା । ଗାଡ଼ି ଷ୍ଟାର୍ଟରେ ରଖିଥିବା ଗୁଡ଼ୁ ତାକୁ ବାଇକ୍‌ରେ ଧରି ସେଠାରୁ ଫେରାର ହୋଇ ଯାଇଥିଲା । ବାଇକ୍‌ଟି ତୋଫାନ୍‌ ଘରୁ ଜବତ କରାଯାଇଛି । ଉମାକାନ୍ତ ଓ ତୋଫାନ୍‌ଠାରୁ ଦୁଇଟି ଲେଖାଏଁ ମୋବାଇଲ୍‌ ଓ ଗୁଡ଼ୁ ପାଖରୁ ଗୋଟିଏ ମୋବାଇଲ୍‌ ଜବତ କରାଯାଇଛି ।

ଅନ୍ୟପକ୍ଷରେ ‘ସମ୍ବାଦ’ ହସ୍ତଗତ କରିଥିବା ତଥ୍ୟ ଅନୁସାରେ ମାତ୍ର ଦୁଇ ହଜାର ଟଙ୍କା ପାଇଁ ଉମାକାନ୍ତ ଓ ସହଯୋଗୀ ସୋନୁ ନିଗମ ଦୋବଶିଷଙ୍କୁ ଗୁଳିରେ ଉଡ଼ାଇ ଦେଲେ। ଉମାକାନ୍ତ ଓ ଅନ୍ୟତମ ଅଭିଯୁକ୍ତ ତୋଫାନ୍‌ ଦୁହେଁ ବିଜୟଓ୍ଵାଡ଼ାର ଏକ ସୂତା ମିଲ୍‌ରେ କାମ କରୁଥିଲେ। ସେଠାରେ ସେମାନେ କାମ କରୁଥିବା ବେଳେ କେନ୍ଦ୍ରାପଡ଼ା ଅପରାଧ ଦୁନିଆର୍‌ ଫେରାର ଥିବା ଆତ୍ମଘୋଷିତ ଗ୍ୟାଙ୍ଗଷ୍ଟର କଟାଦୀପୁ ସେଠାରେ ପହଞ୍ଚି ଦୁହିଁଙ୍କ ପାଖରେ ଆଶ୍ରୟ ନେଇଥିଲା। ପୁଲିସ୍‌ ଦୀପୁ ପଛରେ ପଡ଼ିଥିଲେ ହେଁ ସେ କେତେବେଳେ ବିଜୟଓ୍ଵାଡ଼ା ତ କେବେ ମୁମ୍ବାଇ ଆଉ କେବେ ସୁରଟ ଯାଇ ଆତ୍ମଗୋପନ କରୁଥିଲା । ଜାଣିଶୁଣି ହେଉ ଅବା ଅପାରଗତା କାରଣରୁ ହେଉ ପୁଲିସ୍‌ର ପଞ୍ଝା ତା ନିକଟରେ ଏବେବି ପହଞ୍ଚି ପାରି ନାହିଁ।

ବିଜୟଓ୍ଵାଡ଼ା କାରଖାନା ବନ୍ଦ ହୋଇଯିବାରୁ ଜୀବିକା ହରାଇ ଉମାକାନ୍ତ ଓ ତୋଫାନ୍‌ ଏବେ ଗାଁରେ। ସେହି ବେକାର ଜୀବନର ଫାଇଦା ନେବାକୁ ଦୀପୁ ସେମାନଙ୍କୁ କାମରେ ଲଗାଇଥିଲା । କିଛି ଦିନ ତଳେ ଦେବାଶିଷଙ୍କୁ ବଟି ମାଗିବାରୁ ସେ କୁଆଡ଼େ ମନା କରି ଦେଇଥିଲେ। ଫଳରେ, ଏହି ଅପରାଧୀ ଗ୍ୟାଙ୍ଗ ଟାର୍ଗେଟ୍‌କୁ ଆସି ଯାଇଥିଲେ ଦେବାଶିଷ। ଉମାକାନ୍ତକୁ ମାତ୍ର ୨ ହଜାର ଟଙ୍କା ଦେଇ ପିସ୍ତଲରେ ଦେବାଶିଷଙ୍କୁ ଉଡ଼ାଇ ଦେବାକୁ ଥିଲା ନିର୍ଦ୍ଦେଶ । ତେବେ ବଟି କେତେ ମଗା ଯାଇଥିଲା, ସେ ନେଇ ଦେବାଶିଷ କିଛି କାହାକୁ କହି ନ ଥିଲେ। କିନ୍ତୁ ଦେବାଶିଷଙ୍କ ମାମୁ ଘର ଲୋକ ଏ ନେଇ କିଛିଟା ସୁରାକ୍‌ ପାଇଥିବାରୁ ପୁଲିସ୍‌କୁ ଜଣାଇଥିଲେ।

ବାସ୍‌, ପୁଲିସ୍‌ କିଛି ଅପରାଧୀଙ୍କ ମୋବାଇଲ୍‌ କଲ ରେକର୍ଡ ନେଇ ଖୋଳତାଡ଼ କଲା ବେଳେ ସେହି ସମୟ ମଧ୍ୟରେ ଉମାକାନ୍ତର କଲ୍‌ ରେକର୍ଡ ସମ୍ପର୍କରେ ସୁରାକ୍‌ ମିଳିଥିଲା । ତୋଫାନ୍‌ ପାଖରୁ ଉମାକାନ୍ତ ପିସ୍ତଲ ଓ ବାଇକ୍‌ ଆଣି ଆସିଥଲା। ବାଟରେ ଗୁଡ଼ୁକୁ ସାଙ୍ଗ କରିଥିଲା । ଗୁଡ଼ୁ ବାଇକ୍‌ରେ ତାକୁ ନେଇ ଯାଇଥିଲା । କିନ୍ତୁ ସେହି ସ୍ଥାନରେ ପହଞ୍ଚିିବାକୁ ଆଉ କିଛି ଯୁବକ ଉଭୟଙ୍କୁ ସହଯୋଗ କରିଥିବା ଆଶଙ୍କା କରାଯାଉଛି। ଗୁଳି ଫୁଟିବା ପରେ ଦୁହେଁ କଳପଡ଼ା ବ୍ରିଜ୍‌ ନିକଟରେ ପହଞ୍ଚିଥିଲେ। ଗୁଡ଼ୁକୁ ଛାଡ଼ି ବାଇକ୍‌ ନେଇ ଉମାକାନ୍ତ ନିଜ ଘରକୁ ଚାଲି ଯାଇଥିଲା । କିନ୍ତୁ ସେହି ସମୟ ଭିତରେ ଯେଉଁମାନଙ୍କ ସହ କଥା ହୋଇଥିଲା ତାହା ପୁଲିସ୍‌ ଟ୍ରାକିଂରେ ଜଣାପଡ଼ିଯିବାରୁ ସ୍ୱତନ୍ତ୍ର ସ୍କ୍ଵାଡ୍‍ କାଲିରାତିରେ ଉମାକାନ୍ତକୁ ରଘୁନାଥପୁର ସମାଳ ରଙ୍କାଳ ଗାଁରୁ ଉଠାଇ ଆଣିଥିଲା।

ଗିରଫ ଅଭିଯୁକ୍ତଙ୍କୁ ପୁଲିସ୍‌ ରିମାଣ୍ଡରେ ନେଇ ପଚରାଉଚୁରା କରିବ ବୋଲି ସେ କହିଛନ୍ତି। ଘଟଣାପଛରେ କେହି ଗ୍ୟାଙ୍ଗଷ୍ଟର ବା ସଂଗଠିତ ଅପରାଧୀ ନେଟ୍‌ଓ୍ଵାର୍କ ଅଛି କି ନା ସେ ସମ୍ପର୍କରେ ଛାନ୍‌ଭିନ୍‌ କରାଯିବ ବୋଲି ଆଇଜି ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୟାନିଧି ଗୋଚ୍ଛାୟତ, ଉପଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ଜେନା,ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର