କେନ୍ଦ୍ରାପଡ଼ା : ଯୌନ ଶୋଷଣ ଭଳି ସଂଗୀନ ଅପରାଧରେ ଛନ୍ଦି ହୋଇ ପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ରବିବାର ରାତି ପ୍ରାୟ ସାଢେ ୧୧ଟାରେ ପୁଲିସ ବଣିଆମାଳସ୍ଥିତ ବାସଭବନରୁ ଶ୍ରୀ ସାହୁଙ୍କୁ ଉଠାଇ ଆଣି ପଚରାଉଚୁରା କରିଥିଲା ଏବଂ ଏହାପରେ ତାଙ୍କୁ କେନ୍ଦ୍ରାପଡ଼ା ଟାଉନ ଥାନାକୁ ଆଣି ପୁଲିସ ଗିରଫ କରିଥିଲା । ମାମଲା ରୁଜୁ ହେବାର ୩ ମାସ ଯାଏ ପୁଲିସର ଶିଥିଳତାକୁ ନେଇ ମାନବାଧିକାର ସୁରକ୍ଷା ସେଲ୍(ଏଆରପିସି)ଏଡିଜି ଏସ୍.ଏମ୍. ନରଭଣେ ଓ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଭୀଷଣ ବିରକ୍ତି ପ୍ରକାଶ କରିବା ପରେ ପୁଲିସ ଆଜି ଶ୍ରୀ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୂଚନା ଥାଉ କି, କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କ୍ରେ କାର୍ଯ୍ୟ କରୁଥିବା ସଂପୃକ୍ତା ପୀଡ଼ିତା କେନ୍ଦ୍ରାପଡ଼ା ଟାଉନ ଥାନାରେ ଗତ ଏପ୍ରିଲ୍ ୩୦ତାରିଖରେ ସଭାପତି ଶ୍ରୀ ସାହୁଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ଶ୍ରୀ ସାହୁ ତାଙ୍କୁ ମୋବାଇଲ୍ ଶିଖିବା ନାଁରେ ଚାମ୍ବର୍କୁ ଡାକି ଅସଦାଚରଣ କରିଛନ୍ତି। ବାରମ୍ବାର ଫୋନ୍ ତଥା ଭିଡିଓ କଲ୍ କରିବା, ଚାମ୍ବର୍କୁ ଡାକି ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଛନ୍ତି। ମାତ୍ର ପୁଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୀଡ଼ିତା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି ଗତ ଜୁଲାଇରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପାଇଁ ଟାଉନ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁଲିସ ଚଞ୍ଚକତା ପୂର୍ବକ ପିଛିଲା ତାରିଖରେ ଅର୍ଥାତ୍ ଅଭିଯୋଗର ତିନି ମାସ ପରେ ଜୁଲାଇ ୨୩ ତାରିଖରେ ମାମଲା(କେସ୍ ନ˚ ୧୩୮/୨୦୧୯) ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦଫା ୫୦୯, ୩୫୪(ଖ)(୧), ୫୦୬ ଓ ୨୯୪ରେ ମାମଲା ରୁଜୁ କରିଥିଲା। ମାମଲା ରୁଜୁର ୩ ମାସ ଯାଏଁ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଥିଲା।
ଶେଷରେ ପୁଲିସ ଗତ ବୁଧବାର ସନ୍ଧ୍ୟାରେ ସିଆର୍ପିସି ୧୬୪ରେ ମ୍ୟାଜିଷ୍ଟ୍ରେଟ୍ଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା। ଗତକାଲି ପୀଡ଼ିତା ଲୋକାଲ କମ୍ପ୍ଲେଣ୍ଟ କମିଟି(ଏଲ୍ସିସି)ରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। ପୀଡ଼ିତାଙ୍କଠାରୁ ନିର୍ଯାତନାର କାହାଣୀ ଶୁଣିବା ପରେ କମିଟି ଅଭିଯୁକ୍ତ ଶ୍ରୀ ସାହୁଙ୍କୁ ଆସନ୍ତା ୬ ତାରିଖରେ ହାଜର ହେବାକୁ ନୋଟିସ ଦେଇଥିଲେ। ହେଲେ, କମିଟିରେ ହାଜର ପୂର୍ବରୁ ଆଜି ରାତିରେ ଟାଉନ ଥାନା ଅଧିକାରୀ ଜ୍ୟୋତି ରଂଜନ ସାମନ୍ତରାୟ ଏବଂ ସ୍ବତନ୍ତ୍ର ତଦନ୍ତ ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ବାଳ ସ୍ବତନ୍ତ୍ର ସ୍କ୍ବାଡ ସହ ଶ୍ରୀ ସାହୁଙ୍କ ବଣିଆମାଳସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଉଠାଇ ଆଣିଥିଲେ।