ଚାନ୍ଦପୁର: ଟ୍ରେନ୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଓଡ଼ିଆ ଯୁବକଙ୍କୁ ନିଶା ଦେଲେ ଦୁର୍ବୃତ୍ତ, ପରଦିନ ଫେରିଲା ଚେତା

ପଟ୍ଟାମୁଣ୍ଡାଇ: କେନ୍ଦ୍ରପଡ଼ା ଜିଲ୍ଳାର ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁରୁବାର ରାତିରୁ ଗ୍ରାମର ବିଶ୍ୱନାଥ ପାତ୍ରଙ୍କ ମଝିଆ ପୁଅ ପପିନ୍‌ ପାତ୍ର(ମଣ୍ଟୁ) ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ନିଖୋଜ ହେବା ପରେ ଶୁକ୍ରବାର ସଂଧ୍ୟାରେ ଅଚେତ ଅବସ୍ଥାରେ ମିଳିଛନ୍ତି। ମଣ୍ଟୁଙ୍କୁ କେହି ଖଳ ପ୍ରବୃତିର ଲୋକ ନିଶା ଦେଇ ଏପରି କାଣ୍ଡ ରଚିଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ପପିନ୍‌ ପାତ୍ର ନିଜ ଘରଠାରୁ ସୁଦୂର ବେଙ୍ଗାଲୁରରେ ରହି ନିଜର ଜୀବିକା ନିର୍ବାହ କରନ୍ତି। ସେ ବେଙ୍ଗାଲୁରରୁ ନିଜ ଘରକୁ ଫେରୁଥିଲେ। ଗୁରୁବାର ରାତି ପ୍ରାୟ ୯.୩୦ ସମୟରେ ମଣ୍ଟୁ ପ୍ରଶାନ୍ତି ଟ୍ରେନ୍‌ ଯୋଗେ ଆସି ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରେ ମଣ୍ଟୁଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ଅଞ୍ଚଳର ଲୋକ ବୋଲି କହି ପରିଚୟ ଦେଇଥିଲେ। ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରି ତାଙ୍କ ସହ ସାଙ୍ଗ ହୋଇ ଗାଆଁକୁ ଫେରିବେ ବୋଲି ଚିନ୍ତା କରି ମଣ୍ଟୁ ରେଳ ଷ୍ଟେସନ୍‌ରୁ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ୍‌କୁ ଯାଇଥିଲେ।

ରାତି ପ୍ରାୟ ୧୧ଟା ବେଳେ ସେ ନିଜ ପରିବାର ଲୋକଙ୍କ ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲେ। ଶେଷ ଥର ଫୋନ୍‌ରେ କଥା ହେବା ବେଳେ ଉକ୍ତ ଅଜଣା ବ୍ୟକ୍ତିଙ୍କ ସଂପର୍କରେ ଘର ଲୋକଙ୍କୁ ସୂଚନା ଦେଇଥିଲେ। ମାତ୍ର ତା’ପର ଠାରୁ ମଣ୍ଟୁଙ୍କ ସହ ଘର ଲୋକଙ୍କର କୌଣସି ପ୍ରକାର ଯୋଗାଯୋଗ ହୋଇ ପାରିନଥିଲା। ଗୁରୁବାର ରାତି ୧୧ଟା ପରଠାରୁ ତାଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଦେଖାଉଥିଲା।

ଯୋଗକୁ କେନ୍ଦୁଝରରେ କାମ କରୁଥିବା ଭୁବନେଶ୍ୱରର ଅନ୍ୟ ଜଣେ ବ୍ୟକ୍ତି ମଣ୍ଟୁଙ୍କ ପର୍ସ ପାଇବା ପରେ ସେଥିରୁ ତାଙ୍କ ଫୋନ୍‌ ନମ୍ବର ସଂଗ୍ରସ କରି ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଘର ଲୋକ ଏବେ ଭୁବନେଶ୍ୱର ଯାଇ ପୁଲିସ୍‌ରେ ଖବର ଦେଇଥିଲେ। ପୁଲିସ୍‌ ଅପରାହ୍ନ ୩ଟାରେ ଖବର ଦେବା ପରେ ସଂଧ୍ୟା ୬ଟାରେ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଶ୍ଚର୍ଯ୍ୟର କଥା ମଣ୍ଟୁଙ୍କ ବ୍ୟାଗ୍‌ ପର୍ସ ବରମୁଣ୍ଡାଠାରେ ପଡ଼ି ରହିଥିବାରୁ କିଏ ଓ କାହିଁକି ଏପରି ଘଟାଇଛି ତାହା ଏବେ ସ୍ପଷ୍ଟ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର