ପହଣା-ପନ୍ଦିଆରେ କିଡ୍‌ନି ରୋଗ ଆତଙ୍କ

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ ଅନ୍ତର୍ଗତ ପହଣା-ପନ୍ଦିଆ ଗ୍ରାମରେ ଏବେ କିଡ୍‌ନି ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ୨ ବର୍ଷ ମଧ୍ୟରେ ୩ ଜଣ ଏହି ରୋଗରେ ପ୍ରାଣ ହରାଇଥିବାବେଳେ ଏବେ ୪ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନେ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ବିଗତ ୨ ବର୍ଷ ମଧ୍ୟରେ କିଡ୍‌ନି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ବହୁ ଲୋକ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତବର୍ଷ ଗ୍ରାମର ସଚିତ୍ର ବେହେରା (୩୬ ବର୍ଷ) ,ନବଘନ ବେହେରା (୫୪ବର୍ଷ) ଓ ବିଜୟ କୁମାର ଦାସ (୫୫ବର୍ଷ) କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ। ଏହାପରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଏବେ ଆଉ ୪ ଜଣ ଯୁବକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନରେଶ ମହାରଣା (୩୨ ବର୍ଷ)। ତାଙ୍କର ୨ ବର୍ଷ ଝିଅ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଗ୍ରାମର ଜୟଦେବ ମିଶ୍ର (୩୧ବର୍ଷ) ଆଜଗୁ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ତାଙ୍କର ୩୦୦ ଥର ଡାଏଲେସିସ୍‌ ହୋଇଥିବା ଜଣାପଡ଼ିଛି। ଜୟଦେବଙ୍କ କହିଛନ୍ତି ଯେ, ‘ ପ୍ରତି ମାସରେ ଡାଇଲେସିସ୍‌ରେ ୩୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର, ଏପର୍ଯ୍ୟନ୍ତ ସୁଦ୍ଧା ସରକାରୀ ଓ ବେସରକାରୀ ସ୍ତରରେ କୌଣସି ସହାୟତା ମିଳିନାହିଁ।’ ବାବୁ ନାୟକ (୪୦ବର୍ଷ) କିଡ୍‌ନି ରୋଗରେ ପୀଡିତ। ତାଙ୍କ ମା’ ଗୋଟିଏ କିଡନି ଦାନ କରିବାରୁ ସେ ଏବେ ସୁସ୍ଥ ଅଛନ୍ତି। ମାତ୍ର, ତାଙ୍କୁ ଚିକିତ୍ସିତ ଅବସ୍ଥାରେ ରହିବାକୁ ପଡ଼ୁଛି। ସେହିପରି, ଗ୍ରାମର ଅବସରପ୍ରାପ୍ତ ମେଜର ସୁବେଦାର ବୈଷ୍ଣବ ବେହେରାଙ୍କ ପୁଅ ମନୋଜ ବେହେରା (୩୨ ବର୍ଷ) କିଡ୍‌ନି ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ମନୋଜ ଜଣେ ଇଞ୍ଜିନିୟର୍‌। ଗତ ରବିବାର ଦିନ ସେ ଘରେ ଥିବାବେଳେ ମନୋଜଙ୍କର ଗୋଡାହାତ ଓ ଦେହ ଫୁଲି ଯାଇଥିଲା। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କିଡ୍‌ନି ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

କେଉଁ କାରଣ ଯୋଗୁ ଏତେସଂଖ୍ୟକ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ଜଣାପଡ଼ିନାହିଁ। ତେବେ, ପାନୀୟ ଜଳ ଏହା ପଛରେ ମୁଖ୍ୟକାରଣ ବୋଲି ସନ୍ଦେହ କରାଯାଉଛି। । ଗ୍ରାମର ବିଭିନ୍ନ ସାହିରେ ସରକାରଙ୍କ ପକ୍ଷରୁ ମୋଟ ୧୭ଟି ଅଗଭୀର ନଳକୂପ ରହିଛି।  ହେଲେ ଗଭୀର ନଳକୂପ ଆଦୌ ନାହିଁ। ଏକହଜାର ଫୁଟିଆ ନଳକୂପ ଖନନ ହୋଇନି । ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ ଚାଲୁ ହୋଇନି । ଗ୍ରାମର ରଥ ଦାଣ୍ଡରେ ଗତବର୍ଷ ବୋରିଂ ଖୋଳା ଯାଇଛି ହେଲେ ପାଇପ ବିଛାଯାଇ ନାହିଁ। କିଡନି ରୋଗ ପଛରେ ଏହା ଏକ କାରଣ ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ।

ସ୍ୱାସ୍ଥ୍ୟ ବିଶେଜ୍ଞମାନେ ତୁରନ୍ତ ଗସ୍ତ କରିବା ସହିତ କାରଣ ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ବିଚିତ୍ର ମିଶ୍ର, ସଂଜୟ ମିଶ୍ର,ବିଭୂତି ଭୂଷଣ ପଣ୍ଡା, ରମେଶ ବିଶ୍ୱାଳ, ପରମାନନ୍ଦ ମିଶ୍ର, ତୈଲୋକ୍ୟ ଦାସ, ସୁରେଶ ଚନ୍ଦ୍ର ମହାରଣା, ରବୀନ୍ଦ୍ର ଦାଶ, ଖଗେଶ୍ୱର ବେହେରା, ଭରତ ଚନ୍ଦ୍ର ମିଶ୍ର, ବିଷ୍ନୁ ଚରଣ ଦାସ, ସୈାନ୍ଦର୍ଯ୍ୟ ପଣ୍ଡା,ସୁମନ ମିଶ୍ର,ଅଭୟ କୁମାର ଦାସ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର