ନିଶାଦେଇ ଯୁବକଙ୍କଠାରୁ ଲୁଟ

ପରିତ୍ୟକ୍ତ ଘରେ ଅଚେତ ହୋଇ ପଡ଼ି ରହିଲେ ୩ ଦିନ, ଭୁବନେଶ୍ବରରୁ ଚାଲିଚାଲି ପହଞ୍ଚିଲେ କଟକରେ

ଗରଦପୁର : ଭୁବନେଶ୍ବର ରେଳ ‌ଷ୍ଟେସନରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପାଟକୁରା ଗ୍ରାମର ପ୍ରକାଶ କୁମାର ନନ୍ଦି(୨୮)ଙ୍କୁ ନିଶା ଖୁଆଇ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ୍‌ ଫୋନ ଲୁଟି ନେଇଛନ୍ତି। ତିନିଦିନ କାଳ ସେ ଷ୍ଟେସନ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ସଜ୍ଞାହୀନ ଭାବେ ପଡ଼ି ରହିଥିଲେ। ଗତକାଲି ରାତିରେ ଚେତା ଫେରିବା ପରେ ଭୁବନେଶ୍ବରରୁ ଚାଲିଚାଲି ଆସି ଆଜି ଭୋର୍‌ ସମୟରେ କଟକରେ ପହଞ୍ଚିଥିଲେ। ଜଣେ ବସ୍‌ କଣ୍ଡକ୍ଟର ତାଙ୍କୁ କଟକରୁ ସାଥୀରେ ଆଣି ସନ୍ଧ୍ୟାରେ ଘରେ ପହଞ୍ଚାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରକାଶ ବାଙ୍ଗାଲୋରର ଏକ କମ୍ପାନିରେ ସେଲସ୍‌ମ୍ୟାନ କାମ କରନ୍ତି। ସରସ୍ବତୀ ପୂଜା ଦିନ ଗ୍ରାମରେ ତାଙ୍କ ଘର ପ୍ରତିଷ୍ଠା ହେବାକୁ ଥିବାରୁ ଗତ ବୁଧବାର ଦିନ ବାଙ୍ଗାଲୋରରୁ ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ସେ ଭୁବନେଶ୍ବରକୁ ବାହାରିଥିଲେ। ଗୁରୁବାର ରାତି ୯ଟା ୧୫ରେ ଭୁବନେଶ୍ବର ଷ୍ଟେସନରେ ଓହ୍ଲାଇ ଷ୍ଟେସନ ବାହାରେ ଅଟୋକୁ ଅପେକ୍ଷା କରିଥିବା ବେଳେ କିଛିଦୂରକୁ ପରିସ୍ରା କରିବାକୁ ଯାଇଥିଲେ। ଏହି ସମୟରେ ୪ଜଣ ଲୁଟେରା ପ୍ରକାଶଙ୍କୁ କାବୁ କରି ନେଇଥିଲେ। ସେମାନେ ପ୍ରକାଶଙ୍କୁ ନିଶା ରୁମାଲ ଶୁଂଘାଇ ଅଚେତ କରି ଦେଇଥିଲେ। ଏହା ପରର ଘଟଣା ସେ କିଛି ଜାଣିପାରି ନ ଥିଲେ। ଲୁଟେରାମାନେ ତାଙ୍କ ବ୍ୟାଗ, ସୁନା ଲକେଟ, ମୋବାଇଲ ଫୋନ୍‌, ନଗଦ ୫ହଜାର ଟଙ୍କା ନେଇଯାଇ ପ୍ରକାଶଙ୍କୁ ରାସ୍ତା କଡ଼ରେ ଶୁଆଇ ଦେଇ ପଳାଇଥିଲେ। ଏପଟେ ଘରଲୋକଙ୍କ ସହ ପ୍ରକାଶଙ୍କର ଯୋଗାଯୋଗ ହୋଇ ନ ପାରିବାରୁ ଘରେ କାନ୍ଦବୋବାଳି ପଡ଼ି ଯାଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କର ଚେତା ଫେରିବା ପରେ ରାସ୍ତାକଡ଼ର ଏକ ପରିତ୍ୟକ୍ତ ଘରେ ସେ ନିଜକୁ ଆବିଷ୍କାର କରିଥିଲେ। ତାଙ୍କ ପାଖରେ ଥିବା ସବୁ ଜିନିଷପତ୍ର ଲୁଟ୍‌ ହୋଇଥିବାରୁ ଭୟରେ ପ୍ରକାଶ ଉକ୍ତ ସ୍ଥାନ ଛାଡି ଚାଲି ଚାଲି କଟକ-ଭୁବନେଶ୍ବର ରାସ୍ତାକୁ ଆସିଥିଲେ। ପଇସା ନ ଥିବାରୁ ଭୁବନେଶ୍ବରରୁ ଚାଲିଚାଲି ଆସି ଆଜି ଭୋର ସମୟରେ କଟକର ବାଦାମବାଡିରେ ପହଞ୍ଚିଥିଲେ। ସେଠାରେ ‘ହରଗୌରୀ’ ନାମକ ବସର କଣ୍ତକ୍ଟର ତାଙ୍କୁ ସାଥିରେ ନିଜ ଗ୍ରାମ ପାଟକୁରାକୁ ଆଣି ସଂଧ୍ୟାରେ ପହଞ୍ଚାଇଥିଲେ। ପରିବାର ଲୋକେ ତାଙ୍କୁ ପାଟକୁରା ମେଡିକାଲରେ ଚିକିତ୍ସା କରାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର