ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ଆକ୍ରମଣ କରି ଲୁଟ୍‌

କେନ୍ଦ୍ରାପଡ଼ା : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ ତଥା କେନ୍ଦ୍ରାପଡ଼ାର ଜଣାଶୁଣା ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁଙ୍କୁ ଗତକାଲି ସନ୍ଧ୍ୟାରେ ଆକ୍ରମଣ କରି ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସୁନା ଚେନ୍‌ ଲୁଟି ନେଇଛନ୍ତି।

ବଡ଼ହାଟ ଗ୍ରାମର ଶ୍ରୀ ସାହୁ ମଙ୍ଗଳବାର ସନ୍ଧ୍ୟାରେ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ବେଳେ ୪ ଜଣ ଯୁବକ ତାଙ୍କୁ ହଠାତ୍‌ ଅଟକାଇଥିଲେ। ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖିଥିଲେ ଓ ଅନ୍ୟ ଜଣେ ବେକରେ ଭୁଜାଲି ଲଗାଇ ଦେଇଥିଲେ। ତୃତୀୟ ଯୁବକ ଜଣଙ୍କ ବେକରୁ ସୁନା ଚେନ୍‌ଟି ଝାମ୍ପି ନେଇ ଫରାର ହୋଇ ଯାଇଥିଲେ । ଆଜି ଶ୍ରୀ ସାହୁ ଏ ନେଇ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ମାମଲା(୧୬/୧୮)ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ବୋଲି ଟାଉନ୍‌ ଥାନା ଅଧିକାରୀ ଦାମୁ ପରିଜା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ୪ ଜଣ ଯୁବକ ସେହି ସମୟରେ ରାସ୍ତା ପାର୍ଶ୍ୱରେ ବାଇକ୍‌ ରଖି କଥାବାର୍ତ୍ତା କରୁଥିବାର ଏକ ସିସିଟିଭି ଫୁଟେଜ୍‌ ପୁଲିସ୍‌ ହାତର ଲାଗିଛି। ସେହି ଯୁବକମାନେ କିଏ ଓ ସେମାନେ ଲୁଟ୍‌ ଘଟଣାରେ ସଂପୃକ୍ତ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍‌ ତଦନ୍ତ ଚାଲୁ ରଖିଛି।

ସମ୍ବନ୍ଧିତ ଖବର